ମନରେଗା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ନାଁରେ ଘୋଟାଲା ଅଭିଯୋଗ

ପାଟଣାଗଡ଼, (ଅଜିତ ପୁରୋହିତ) : ସରକାରଙ୍କ ସବୁ ଯୋଜନା ଗରିବଙ୍କ ପାଇଁ, ହେଲେ ଏଠି ଗରିବଙ୍କୁ ହିଁ ଲୁଟ ପାଇଁ ଅସାଧୁ ଅଧିକାରୀମାନେ ପ୍ରସ୍ତୁତ କରନ୍ତି ବ୍ଲୁ ପ୍ରି ବୋଲି ସାଧାରଣରେ ଆଲୋଚନା ହେଉଛି । ଆବାସ ଯୋଜନା ହେଉ ଅବା ପକ୍କା ଘର, ଭତ୍ତା ଟଙ୍କା ଠୁ ମନରେଗା କାମ, ସବୁଠି ଚାଲେ ଗାଁ ଅସାଧୁଙ୍କ ରାଜ । ଏହି ବ୍ଲକ୍‌ରେ ଗରିବଙ୍କ ପାଇଁ ଆସିଥିବା ଆବସ ଯୋଜାନରେ ଜଣେ ନେତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ନାମରେ ୫ ଟି ଆବସ ଗୃହ ପ୍ରଦାନ କରାଯାଇଥିଲା ବ୍ଲକ ପ୍ରଶାସନ ପକ୍ଷରୁ, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏବେ ପୁଣି ଏକ ଘୋଟାଲାର ଅଭିଯୋଗ କରିଛନ୍ତି ଠକାମୀର ଶିକାର ହୋଇଥିଭା ଖୋଦ୍‌ ହିତାଧିକାରୀ ।


ଦାଦନ ଏବଂ ମାଓ ଅଧ୍ୟୁଷିତ ଅଂଚଳ ଭାବରେ ପରିଚିତ ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ବ୍ଲକ ଏବେ କିନ୍ତୁ ଦୁର୍ନୀତି ଏବଂ ଘୋଟାଲା ପାଇଁ ପରିଚୟ ବଦଳିବାରେ ଲାଗିଛି ବୋଲି ବୁଦ୍ଧିଜୀବୀମାନେ ଆଲୋଚନା କରନ୍ତି । ପଡିଆବାହାଲ ଗାଁର କଏଁରୁ ପନିକା ନାମକ ଜଣେ ଦିନ ମଜୁରିଆଙ୍କ କ୍ଷେତ୍ରରେ ଏଭଳି ଘଟଣା ଘଟିଛି । ତାଙ୍କ ନାଁରେ ମନରେଗା ଯୋଜନାରେ ପାଖାପାଖି ୮ ଲକ୍ଷ ଟଙ୍କାର ଚାଷଜମି ପୋଖରୀ ବା ଫାର୍ମ ଟେଙ୍କକୁ ଜୟଲାଲ ପଧାନ ନାମକ ଜଣେ ବ୍ୟକ୍ତିଙ୍କ ଦଖଲ ଜମିରେ କରାଇ ନେବା ପରେ ଏବେ ଠକାମୀର ଶିକାର କଏଁରୁ ପନିକା ଏବଂ ତାଙ୍କ ବାପା ଜଣେ ସମାଜସେବୀଙ୍କ ମାଧ୍ୟମରେ ବ୍ଲକ ଏବଂ ପୋଲିସ ପ୍ରଶାସନଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏପରିକି ଗାଁର ସୁଶାନ୍ତ ପଧାନ, ଅରକ୍ଷିତ ବାଗ, ପଞ୍ଚାୟତ ନିର୍ବାହୀ ଅଧିକାରୀ ତପନ ମେହେର ଏବଂ ଜିଆରଏସ ନୀଳମଣି ଜାଲଙ୍କ ନାଁରେ ଥାନାରେ ଲିଖିତ ଅଭିିଯୋଗ କରିଥିବା କୁହାଯାଇଛି ।


୨୦୧୯-୨୦ ବର୍ଷ ପାଇଁ ତାଙ୍କ ଜମିରେ ଫାର୍ମ ପଣ୍ଡ୍‌ ପାଇଁ ସମସ୍ତ ଦସ୍ତାବିଜ କଏଁରୁ ଠାରୁ ପଞ୍ଚାୟତ ଅଧିକାରୀ ଏବଂ ପଡିଆବାହାଲର ସୁଶାନ୍ତ ପଧାନ ଓ ଅରକ୍ଷିତ ବାଗ ନେଇଥିଲେ ବୋଲି ଅଭିଯୋଗ କରିଛନ୍ତି କଏଁରୁ । ହେଲେ କାମ ଅନ୍ୟ ଲୋକଙ୍କ ଜମିରେ ହୋଇ ସୂଚନାଫଳକ ଲାଗିବା ପରେ ଏ ବିଷୟରେ କଏଁରୁ ଗ୍ରାମବାସୀଙ୍କ ଠାରୁ ଖବର ପାଇଥିଲେ ଏବଂ ତାଙ୍କୁ ଭୁଆଁବୁଲାଇ ଦୁର୍ନୀତି ହୋଇଥିବା ଜାଣିବାକୁ ପାଇଥିଲେ । ୨୦୧୯-୨୦ ବର୍ଷ ପାଇଁ ୭୯୯୯୯୯.୯୬ ଟଙ୍କାର ଉକ୍ତ ଯୋଜନା ପାଇଁ ମଂଜୁର ହୋଇଥିଲା । ଉକ୍ତ ଫଳକରେ କୋର୍ଡ ନମ୍ବର ୨୪୦୯୦୦୩/ଡବ୍ଲୁସି/ ୧୦୪୦୮୩୭୬ ଥିବା ବେଳେ ଅନ୍ୟ ଜମିରେ କଏଁରୁ ପନିକାଙ୍କ କାମ ହୋଇଥିବା ଦୁର୍ନୀତିକୁ ପ୍ରମାଣ କରୁଛି । ଅନ୍ୟପକ୍ଷରେ ୮ ଲକ୍ଷ ଟଙ୍କାର କାମ ହୋଇଥିଲେ ସୁଦ୍ଧା କାମକୁ ଦେଖିଲେ ଜଣାପଡୁଛି, କେତେ ମାତ୍ରାରେ କାମ ହୋଇ କେତେ ଟଙ୍କା ଖର୍ଚ୍ଚ ହୋଇଛି । ପାଣି ଟାଙ୍କି ପୁନରୁଦ୍ଧାର ନାମକ ଏହି ଯୋଜାନଟି ମୁଖ୍ୟତଃ ବହୁମିଖୀ ବା ବୃହତସ୍ୱାର୍ଥକୁ ନଜରରେ ରଖି ଗ୍ରାମମାନଙ୍କରେ ହୋଇଥାଏ । କିନ୍ତୁ ଏହି କାମକୁ ନଜର କଲେ ଅନୁମାନ କରାଯାଏ ଯେ, କେବଳ ଏକମାତ୍ର ବ୍ୟକ୍ତିଙ୍କ ସ୍ୱାର୍ଥ ସାଧନ ପାଇଁ ଏହି ଯୋଜନାରେ ସରକାରୀ ତହବିଲରୁ ୮ ଲକ୍ଷ ଟଙ୍କା ପ୍ରଦାନ କରାଯାଇ ଦୁର୍ନୀତି ହୋଇସାରିଛି ।
ଏ ବିଷୟରେ ଆମେ ପ୍ରତିନିଧିଙ୍କ ଦ୍ୱାରା ଖପ୍ରାଖୋଲ ବ୍ଲକ ପ୍ରଶାସନର ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଯାଇଥିଲେ ସୁଦ୍ଧା ବିଭିନ୍ନ ଆଳ ଦେଖାଇ ସାମ୍ନାକୁ କୌଣସି ଅଧିକାରୀ ଆସିନଥିବା କୁହାଯାଇଛି । ଏପରିକି ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ଖସାଇବାକୁ ଉଦ୍ୟମ ଆରମ୍ଭ କରାଯାଉଥିବା ମଧ୍ୟ ଜଣାପଡିଛି । ତେବେ ଏ ଉପରେ ବଲାଙ୍ଗିର ଜିଲ୍ଲାପାଳଙ୍କ ଦୃଷ୍ଟି ଦେବାକୁ ଦାବୀ ହେଉଥିବା ବେଳେ ଅଭିଯୋଗ ଅନୁସାରେ ପଡିଆବାହାଲ ପଂଚାୟତ ନିର୍ବାହୀ ଅଧିକାରୀ ତପନ ମେହେର ଏବଂ ଗ୍ରାମ ରୋଜଗାର ସହାୟକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ ହେଉଛି ।

Leave A Reply

Your email address will not be published.