ଅବହେଳିତ ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର : ବିଶେଷଜ୍ଞ ଡାକ୍ତର ପଦବୀ ଖାଲି

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବର୍ଷ ବର୍ଷ ହେଲା ଅବହେଳାର ଶିକାର ହୋଇ ଆସୁଛି । ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡିଛି । ଫଳରେ ରୋଗୀମାନେ ଉପଯୁକ୍ତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ଲାଗିରହିଛି । ୧୯୯୧ମସିହାରେ ଆଗଲପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମାନ୍ୟତା ଦିଆଯାଇଥିଲା । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନ୍ୟତା ପରେ ଜଣେ ମେଡିକାଲ ଅଧିକାରୀ ଓ ଅନେକ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିଲା । ବର୍ତମାନ ଏହି ଡାକ୍ତରଖାନା ଉପରେ ଆଗଲପୁର ବ୍ଲକ ସହିତ ପଡୋଶୀ ବିଜେପୁର ଓ ଗାଇସିଲେଟ ବ୍ଲକର ଜନସାଧାରଣ ମଧ୍ୟ ନିର୍ଭର କରିଥାନ୍ତି । ଅନ୍ୟପଟେ ବିଭିନ୍ନ ସମୟରେ ସଡ଼କ ଦୁର୍ଘଟଣାରେ ଶିକାର ଲୋକେ ଚିକିତ୍ସା ପାଇଁ ଆସନ୍ତି । ଏଠାରେ ବର୍ତମାନ ଭେଷଜ ବିଶେଷଜ୍ଞ, ଶିଶୁରୋଗ ବିଶେଷଜ୍ଞ, ଶଲ୍ୟ ବିଶେଷଜ୍ଞ, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ରହିବା କଥା । ମାତ୍ର ଉକ୍ତ ବିଶେଷଜ୍ଞ ପଦବୀ ଖାଲି ପଡିଛି । ଅଞ୍ଚଳର ଜଣସାଧାରଣ ବାରମ୍ବାର ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଦୁଇ ଏମବିବିଏସ୍ ଡାକ୍ତର ଓ ଜଣେ ମେଡିକାଲ ଅଧିକାରୀ ନିଯୁକ୍ତି ଦେଇ ଚୁପ ବସିଛନ୍ତି । ଫଳରେ ଗରିବ ଶ୍ରେଣୀର ରୋଗୀମାନେ ଅଧିକ ଖର୍ଚାନ୍ତ ହୋଇ ଲୋଇସିଂହା କିମ୍ବା ବଲାଙ୍ଗିର ଭୀମ ଭୋଇ ମେଡିକାଲ ଡାକ୍ତରଖାନା ଯିବାକୁ ବାଧ୍ୟ ହେଉଛନ୍ତି । ତେଣୁ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ଡାକ୍ତର ଓ କର୍ମଚାରୀ ନିଯୁକ୍ତି କରିବା ପାଇଁ ଦାବୀ ହେଉଛି ।

Leave A Reply

Your email address will not be published.