ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ଘୋଷଣା : ଆଗାମୀ ୨୪ରୁ ଘରକୁ ଘର ସର୍ଭେ, ଗତ ବର୍ଷ ପରି ଏଥର ମଧ୍ୟ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା

ଭୁବନେଶ୍ୱର, (ସୁଶାନ୍ତ ସାହୁ) : କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ରାଜ୍ୟର କରୋନା ସ୍ଥିତି ଉପରେ ଆଜି ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯ଼ାଇଛି । ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି । ରାଜ୍ୟର ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ବ୍ୟାପିବା ଦିଗକୁ ଦୃଷ୍ଟିରେ ରଖି ଗାଁରେ କରୋନା ସର୍ଭେ ଓ ମୁକାବିଲା ଉପରେ ଗୁରୁତ୍ବ ଦିଆଯାଇଛି । ଏଏନ୍‌ଏମ ଓ ଆଶାକର୍ମୀମାନେ ଗାଁରେ ଘରକୁ ଘର ବୁଲି କରୋନା ଲକ୍ଷଣ, ଅନ୍ୟାନ୍ୟ ରୋଗ ସଂପର୍କରେ ସର୍ଭେ କରିବେ । ଏଥିପାଇଁ ସେମାନଙ୍କୁ ୧ ହଜାର ଟଙ୍କା ଲେଖାଏଁ ପ୍ରେତ୍ସାହନ ରାଶି ମଧ୍ୟ ମିଳିବ । ସଂଗରୋଧ କେନ୍ଦ୍ର ଦାୟିତ୍ବରେ ଥିବା ଆଶାକର୍ମୀଙ୍କୁ ସାଇକେଲ, ଛତା, ଟର୍ଚ୍ଚ, ଚପଲ ଆଦି କିଣିବା ପାଇଁ ୧୦ ହଜାର ଟଙ୍କା ମିଳିବ । ଗତ ବର୍ଷ ପରି ଏଥର ମଧ୍ୟ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରାଯ଼ିବ ବୋଲି ଘୋଷଣା କରିଛନ୍‌ନ୍ତି ମୁଖ୍ୟମନ୍ତ୍ରୀ । ପରିସ୍ଥିତିକୁ ଦେଖି ସେମାନେ ଗାଁରେ ଲକଡାଉନ ବା କଣ୍ଟେନମେଣ୍ଟ ଜୋନ ଘୋଷଣା କରିପାରିବେ । ପୁଣି କୋଭିଡ ନିୟନ୍ତ୍ରଣ କାର୍ୟ଼୍ୟରେ ସାମିଲ ହେବ ଗାଁ କଲ୍ୟାଣ କମିଟି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, କରୋନାରେ ମୃତ ପରିବାରକୁ ପେନସନ ମିଳିବ । ମା’ ଓ ବାପାଙ୍କୁ ହରାଇଥିବା ପିଲାମାନଙ୍କୁ ମଧୁବାବୁ ପେନସନ ଯ଼ୋଜନାରେ ସାମିଲ କରାଯ଼ିବା ସହ ମାଗଣା ଶିକ୍ଷା ପ୍ରଦାନ କରାଯିବ । ରାଜ୍ୟରେ ଅକ୍ସିଜେନ ବ୍ୟବହାର ପାଇଁ ସରକାର ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବେ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ବିଧାୟକ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ପର୍ୟ଼୍ୟନ୍ତ ଅର୍ଥ କରୋନା ମୁକାବିଲା ପାଇଁ ବ୍ୟୟ କରାଯାଇ ପାରିବ । ଗରିବ ଲୋକଙ୍କୁ ମାସ୍କ ବଣ୍ଟନ ପାଇଁ ମିଶନ ଶକ୍ତି ଗ୍ରୁପମାନଙ୍କ ଠାରୁ ମାସ୍କ ଖରିଦ ମଧ୍ୟ ଏହି ଅର୍ଥରେ କରାଯ଼ାଇ ପାରିବ ।

Leave A Reply

Your email address will not be published.

five × three =