om academy

ମହିଳାଙ୍କୁ ବଳାତ୍କାର ଘଟଣା : ପୂର୍ଣ୍ଣିମାଙ୍କ ତିନିଦିନିଆ ଶୁଦ୍ଧିରେ ବାପା ମଧ୍ୟ ଚାଲିଗଲେ ଆରପାରିକୁ

jsm

ଜୟପାଟଣା, (ଶେଷଦେବ ବେହେରା) : ଶୋକରେ ଭାଙ୍ଗି ପଡ଼ିଥିବା ଜାମଚୁଆ ଗାଁ ଏବେ ସମ୍ପୂର୍ଣ୍ଣ ନିସ୍ତବ୍ଧ ପାଲଟି ଯାଇଛି । ଗୋଟିଏ ଘରୁ ଗତ ମଙ୍ଗଳବାର ଦିନ ଯୌନ ବଳାତ୍କାରକୁ ସହି ନପାରି ବିଷପାନ କରି ଆତ୍ମହତ୍ୟା କରିଥିବା ପୂର୍ଣ୍ଣିମାର ତିନିଦିନିଆ ନ ହେଉଣୁ ଗୁରୁବାର ରାତିରେ ତାଙ୍କ ବାପା କରନ ମାଝୀଙ୍କ ଅସ୍ୱଭାବିକ ମୃତ୍ୟୁ ପରିବାର ପାଇଁ ଯେତିକି କଷ୍ଟଦାୟକ, ସେତିକି ପରିମାଣରେ ଗାଁ ଟା ମଧ୍ୟ ପ୍ରଭାବିତ । ଶୁକ୍ରବାର ଦିନ ପୂର୍ଣ୍ଣିମାଙ୍କ ଶଶୁର ଘର ଟିଙ୍ଗୋ ପଖାନରେ ଅନ୍ତେଷ୍ଟି ସରିବା ପରେ ତିନିଦିନିଆ ଶୁଦ୍ଧି ପାଇଁ ପ୍ରସ୍ତୁତି ଚୂଡାନ୍ତ କରାଯାଇଥିଲା । ଦାଦନ ଖଟିବାକୁ ଅନ୍ୟତ୍ର ଯାଇଥିବା ମୃତଙ୍କ ସ୍ଵାମୀ ଉମା ମାଝୀ ମଧ୍ୟ ଘରକୁ ଫେରିଥିଲେ । ଶୁକ୍ରବାର ସକାଳୁ ପୂର୍ଣ୍ଣିମାର ବାପା, ମା ଓ ଦୁଇଭାଇ ଶୁଦ୍ଧିରେ ଯୋଗ ଦେବାର ଥିଲା । କିନ୍ତୁ ବିଧିର ବିଧାନ ଭିନ୍ନ ଥିଲା । ସନ୍ଧ୍ୟାରେ ପୂର୍ଣ୍ଣିମାର ବାପା ଘରୁ ବାହାରି ଆଉ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରି ନ ଥିବାରୁ ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ । ଶେଷରେ ଘରରୁ ଅଳ୍ପ ଦୂରେ ରହିଥିବା ପୋଖରୀ କୂଳରୁ କରନଙ୍କୁ ମୂମୂର୍ଷ ଅବସ୍ଥାରେ ଉଦ୍ଧାର କରିଥିଲେ । କିଛି ସମୟ ପରେ ତାଙ୍କ ପ୍ରାଣବାୟୁ ଚାଲି ଯାଇଥିଲା । ଅସାମାଜିକ ଅରୁଣ ମାଝୀର ପୂର୍ଣ୍ଣିମା ସାଙ୍ଗରେ ଘଟାଇ ଥିବା ବଳାତ୍କାର ଘଟଣା ତିନିଦିନ ମଧ୍ୟରେ ଦୁଇଟି ଜୀବନକୁ ଲିଭାଇ ଦେଲା । ଏବେ ଅଭିଯୁକ୍ତ ଅରୁଣ ଜେଲ୍ ଭିତରେ ଥିବା ଜଣା ପଡ଼ିଛି । ଜୟପାଟଣା ବ୍ଲକ ଅନ୍ତର୍ଗତ ଜାମଚୁଆ ଗ୍ରାମର କରନ ମାଝୀଙ୍କ ଝିଅ ପୂର୍ଣ୍ଣିମା ନିକଟ ଟିଙ୍ଗୋ ପଖାନ ଗ୍ରାମର ଉମା ମାଝୀଙ୍କୁ ତିନିବର୍ଷ ତଳେ ବିବାହ କରିଥିଲେ । ଉମା ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିବା ବେଳେ ଗ୍ରାମର ଅରୁଣ ମାଝୀର ପାଶବିକ ଆଖି ପୂର୍ଣ୍ଣିମା ଉପରେ ପଡିଥିଲା । ଦିନେ ନିରୋଳାର ସୁଯୋଗ ନେଇ ପୂର୍ଣ୍ଣିମାକୁ ଟେକି ନେଇ ଏକ ଗ୍ରାମ ସଂଲଗ୍ନ ଜଙ୍ଗଲ ମଧ୍ୟରେ ବଳାତ୍କାର କରିବା ସହିତ ଘଟଣା ପ୍ରଘଟ କଲେ ଜୀବନରେ ମାରି ଦେବା ପାଇଁ ଧମକ ଦେଇଥିଲା । ଗତ କିଛିଦିନ ତଳେ ପୂର୍ଣ୍ଣିମା ବାପା ଘରକୁ ଆସି ପରିବାର ଲୋକଙ୍କ ପାଖରେ ସବୁକିଛି ବର୍ଣ୍ଣନା କଲାପରେ ଜୟପାଟଣା ଥାନାରେ ପୂର୍ଣ୍ଣିମା ଏକ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ପରଦିନ ଅଭିଯୋଗ କାରିଣୀ ବିଷପାନ କରି ଆତ୍ମହତ୍ୟା କରିଦେଇଥିଲା । ଶୁକ୍ରବାର ସ୍ଵାମୀ ଘରେ ପୂର୍ଣ୍ଣିମାର ତିନିଦିନିଆ ଶୁଦ୍ଧି ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଅନ୍ୟପଟେ ପୂର୍ଣ୍ଣିମାଙ୍କ ବାପାଙ୍କ ଅବାଭାବିକ ମୃତ୍ୟୁ ପୁଣି ସମସ୍ତଙ୍କୁ ଚହଲାଇ ଦେଲା । ଏବେ ଜୀବନ ଯୁଦ୍ଧରେ ବଳାତ୍କାର ହେଲାପରେ ଜୀବନ ହାରିଥିବା ପୂର୍ଣ୍ଣିମାର ବାପା ମଧ୍ୟ ଲୋକ ଲଜ୍ଜ୍ୟାକୁ ସହି ନପାରି ଆରପାରିକୁ ଚାଲି ଯିବା ଘଟଣା ସମସ୍ତଙ୍କୁ ଚହଲାଇ ଦେଲା । ପୋଲିସ ଗଲା, ଶବ ଜବତ ହେବା ସହ ବ୍ୟବଚ୍ଛେଦ ମଧ୍ୟ ହେଲା । କିନ୍ତୁ ଏହି ଘଟଣା ବଳାତ୍କାର ଘଟାଉ ଥିବା ଅସାମାଜିକ ଲୋକଙ୍କ ପାଇଁ ଓ ଆଇନକୁ କେତେ ପ୍ରଭାବିତ କରୁଛି ତାହା ଦେଖିବାର ବେଳ ଆସିଛି ।

Leave A Reply

Your email address will not be published.