୫-ଟି ସଚିବଙ୍କ କଳାହାଣ୍ଡି ଗସ୍ତର ଦ୍ୱିତୀୟ ଦିନ

  • ପିପଳ ନଳା ଜଳସେଚନ ପ୍ରକଳ୍ପର ଉନ୍ନତି ଓ ପର୍ଯ୍ୟଟନର ବିକାଶ ପାଇଁ ଏକ ମାସ ମଧ୍ୟରେ ଡିପିଆର
  • ମା’ ଇନ୍ଦ୍ରାବତୀ ମନ୍ଦିର ଓ ମ୍ୟୁଜିଅମ କମ୍ପ୍ଲେକ୍ସ ପାଇଁ ଆଉ ୧୪ କୋଟି
  • ମା’ ମାଣିକେଶ୍ୱରୀଙ୍କ ମନ୍ଦିରର ପୁନର୍ବିକାଶ ପାଇଁ ଏକ ସପ୍ତାହ ମଧ୍ୟରେ ଖର୍ଚ୍ଚ ଆକଳନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ
  • ଥୁଆମୁଳ-ରାମପୁରରେ ହେବ ଯୁକ୍ତ ୩ ଡିଗ୍ରୀ କଲେଜ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି କଳାହାଣ୍ଡି ଗସ୍ତର ଦ୍ୱିତୀୟ ଦିନରେ ଅନେକ ପ୍ରକଳ୍ପ ପରିଦର୍ଶନ କରି ତାର ଉନ୍ନତିକରଣ ପାଇଁ ପଦକ୍ଷେପ ନେଇଛନ୍ତି ।

ପ୍ରଥମେ ସେ ପିପଳ ନଳା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅଞ୍ଚଳ ଗସ୍ତ କରି ସେଠାରେ ଏହାର ଉନ୍ନତି ପାଇଁ ସ୍ଥାନୀୟ ଲୋକ ଓ ବିଭାଗୀୟ ଇଂଜିନିଅରମାନଙ୍କ ସହ ଆଲୋଚନା କରିଥିଲେ । ପିପଳ ନଳାର ଜଳସେଚନ କ୍ଷମତାର ବୃଦ୍ଧି ତଥା ଏଠାରେ ଏକ ପର୍ଯ୍ୟଟନ ବିକାଶ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ସେ ନିଷ୍ପତ୍ତି ନେଇଥିଲେ । ଏହାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଏକ ମାସ ମଧ୍ୟରେ ପ୍ରସ୍ତୁତ କରି ପ୍ରଦାନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଏହାପରେ ସେ ଥୁଆମୁଳ-ରାମପୁର ଯାଇ ସେଠାରେ ସାଧାରଣ ଲୋକ ଓ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରି ସେଠାରେ ଏକ ଯୁକ୍ତ ୩ ଡିଗ୍ରୀ କଲେଜ ସ୍ଥାପନ କରାଯିବ ବୋଲି ଘୋଷଣା କରିଥିଲେ । ଏହାଦ୍ୱାରା ସ୍ଥାନୀୟ ଛାତ୍ରଛାତ୍ରୀମାନଙ୍କର ଶିକ୍ଷାର ବିକାଶ ହେବ ବୋଲି ସେ ଆଶାପ୍ରକାଶ କରିଥିଲେ ।

ଭଟଙ୍ଗପଦର ହାଇସ୍କୁଲ ପଡିଆରେ ସେ ସ୍ଥାନୀୟ ଛାତ୍ରଛାତ୍ରୀ ଓ ମିଶନ ଶକ୍ତି ଗୋଷ୍ଠୀର ସଦସ୍ୟମାନଙ୍କ ସହିତ ଆଲୋଚନା କରି ସେମାନଙ୍କର ସୁବିଧା ଅସୁବିଧା ସଂପର୍କରେ ବୁଝିଥିଲେ ଏବଂ ଏହାର ସମାଧାନ ପାଇଁ ସ୍ଥାନୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।

କଳାହାଣ୍ଡିର ଥୁଆମୁଳ-ରାମପୁରଠାରେ ପ୍ରସିଦ୍ଧ ମା’ ମାଣିକେଶ୍ୱରୀ ମନ୍ଦିର ପରିଦର୍ଶନ କରି ସେ ମା’ଙ୍କ ପୂଜାର୍ଚ୍ଚନା କରିଥିଲେ । ଏହାପରେ ସ୍ଥାନୀୟ ଜନସାଧାରଣ ଓ ମନ୍ଦିର କମିଟି ସଦସ୍ୟମାନଙ୍କ ସହିତ ଆଲୋଚନା କରି ଏହାର ପୁନର୍ବିକାଶ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଏଥିପାଇଁ ଖର୍ଚ୍ଚର ଏକ ଆକଳନ କରି ଏକ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ ।

କଲମପୁର ମିନି ଷ୍ଟାଡିୟମଠାରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ଷ୍ଟାଡିୟମର ଅଧିକ ଉନ୍ନତି ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ଏହାପରେ ଶ୍ରୀ ପାଣ୍ଡିଆନ ମଙ୍ଗଳପୁର ବ୍ୟାରେଜଠାରେ ଇନ୍ଦ୍ରାବତୀ ପାର୍କ ଓ ମ୍ୟୁଜିଅମ ପରିଦର୍ଶନ କରିଥିଲେ । ସେଠାରେ ମା’ ଇନ୍ଦ୍ରାବତୀଙ୍କ ମନ୍ଦିରର ନିର୍ମାଣ କାର୍ଯ୍ୟ ମଧ୍ୟ ଦେଖିଥିଲେ । ଏହି ମନ୍ଦିର ଓ ମ୍ୟୁଜିଅମ ପାଇଁ ଆହୁରି ଅତିରିକ୍ତ ୧୪ କୋଟି ଟଙ୍କା ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଥିଲେ ଥିଲେ । ଏହାପରେ ସେ ଇନ୍ଦ୍ରାବତୀ ଦକ୍ଷିଣ କେନାଲର ଲାଇନିଂ କାମ ବୁଲି ଦେଖିଥିଲେ । ଏହି କାମ ଠିକ୍‌ ସମୟରେ ଶେଷ କରିବାକୁ ସେ ବିଭାଗୀୟ ଇଂଜିନିଅରମାନଙ୍କୁ ପରାମର୍ଶ ଦେଇଥିଲେ ।

ଆମପାଣିଠାରେ ପ୍ରସିଦ୍ଧ ବୁଢାରାଜା ମନ୍ଦିର ପରିଦର୍ଶନ କରି ଶ୍ରୀ ପାଣ୍ଡିଆନ ପୂର୍ଜାର୍ଚ୍ଚନା କରିଥିଲେ ଏବଂ ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ୧୫ ଦିନ ମଧ୍ୟରେ ଡିପିଆର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଡୋକ୍ରିଚାଞ୍ଚରା ଓ ଗୁଡହାଣ୍ଡିଠାରେ ସ୍ଥାନୀୟ ଲୋକ ଓ ବନ କମିଟି ସଦସ୍ୟମାନଙ୍କ ସହ ଆଲୋଚନା କରି ସ୍ଥାନୀୟ ଲୋକଙ୍କ ସୁବିଧା ପାଇଁ ପଦକ୍ଷେପ ନେବାକୁ ଡିଏଫଓଙ୍କୁ ପରାମର୍ଶ ଦେଇଥିଲେ । ଏଥିପାଇଁ ଏକ ମାସ ମଧ୍ୟରେ DPR ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଥିଲେ ।

ଧରମଗଡରେ ମା’ ଭଣ୍ଡାରଘରଣୀ ମନ୍ଦିର ପରିଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ ଏବଂ ଏହା ଅଧିକ ଉନ୍ନତି ପାଇଁ ପ୍ରସ୍ତାବ ଆହ୍ଵାନ ଦେଇଥିଲେ । ଗମ୍ଭାରୀଗୁଡାଠାରେ ଯଶୋଦା ଅନନ୍ତ ଆଶ୍ରମ ପରିଦର୍ଶନ କରି ସେଠାରେ ଅନ୍ତେବାସୀଙ୍କ ସହ ଆଲୋଚନା କରି ଆଶ୍ରମର ଉନ୍ନତି ପାଇଁ ପଦକ୍ଷେପ ନେବାକୁ ସ୍ଥାନୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଯଶୋଦା ଆଶ୍ରମରେ Dinning hall, computer room, library ଓ ପାର୍କର ବିକାଶ କରାଯିବ ବୋଲି ଶ୍ରୀ ପାଣ୍ଡିଆନ୍ କହିଥିଲେ । 5T ସଚିବ ଯଶୋଦା ଆଶ୍ରମ ଅନ୍ତେବାସୀଙ୍କ ସହିତ ମଧ୍ୟାହ୍ନ ଭୋଜନ ମଧ୍ୟ କରିଥିଲେ ।

ଏହାପରେ ସେ ଧରମଗଡ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ, ପଞ୍ଚାୟତ କଲେଜ, କଲ୍ୟାଣ ମଣ୍ଡପ ଆଦି ପରିଦର୍ଶନ କରି ସ୍ଥାନୀୟ ଲୋକ, ମିଶନ ଶକ୍ତି ସଦସ୍ୟା ଓ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରି ସେ ସବୁ ସ୍ଥାନର ଅଧିକ ବିକାଶ ପାଇଁ ସେମାନଙ୍କ ଠାରୁ ମତାମତ ଗ୍ରହଣ କରିଥିଲେ ।

Leave A Reply

Your email address will not be published.

20 − 18 =