pakka

ମୁଖ୍ୟମନ୍ତ୍ରୀଙ୍କ ଇଂଲଣ୍ଡ ଗସ୍ତ : ଖର୍ଚ୍ଚ କମ ଥିଲା, କିନ୍ତୁ ସୁଫଳ ବେଶୀ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ଏକ ଦଶନ୍ଧି ପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମାସ ଶେଷ ସପ୍ତାହରେ ପୁଣି ବିଦେଶ ଗସ୍ତ କରୁଥିବା ଜଣାପଡିଛି । ମୁଖ୍ୟମନ୍ତ୍ରୀ ୨୦୧୨ ମସିହା ମଇ ୨୧ରୁ ୩୧ ପର୍ଯ୍ୟନ୍ତ ଇଂଲଣ୍ଡ ଗସ୍ତ କରିଥିଲେ । ଦଶ ବର୍ଷ ତଳର ଏହି ବିଦେଶ ଗସ୍ତରୁ ମୁଖ୍ୟମନ୍ତ୍ରୀ କମ ଖର୍ଚ୍ଚରେ ରାଜ୍ୟକୁ ସୁଫଳ ଆଣିଥିବା କଥା ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧରକାର କର୍ମୀ ହେମନ୍ତ କୁମାର ପଣ୍ଡା ମିଳିଥିବା ତଥ୍ୟକୁ ଆଧାର କରି କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହିତ ତାଙ୍କ ତତ୍କାଳୀନ ପ୍ରମୁଖ ସଚିବ ଏ. ପି. ପାଢୀ, ସ୍କୁଲ ଓ ଗଣ ଶିକ୍ଷା ସଚିବ ରାଜେଶ ବର୍ମା, ମହିଳା ଓ ଶିଶୁ ବିକାଶ ସଚିବ ଶ୍ରୀମତୀ ଆରତି ଆହୁଜା ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନ ବିଦେଶ ଗସ୍ତ କରିଥିଲେ । ଏହି ଗସ୍ତକୁ ରାଜ୍ୟପାଳ ସ୍ୱୀକୃତି ପ୍ରଦାନ କରିଥିଲେ । ଗସ୍ତ କାର୍ଯ୍ୟକ୍ରମରେ ସାମିଲ ପ୍ରତିନିଧିମାନଙ୍କୁ ଦୈନିକ ୧୦୦ ଆମେରିକୀୟ ଡଲାର ଭତ୍ତା ଦିଆଯିବା ପାଇଁ ସ୍ଥିରୀକୃତ ହୋଇଥିବା ସାଧାରଣ ପ୍ରଶାସନ ବିଭାଗର ତା୮/୫/୨୦୧୨ ଅଫିସ ଅର୍ଡରରୁ ଜଣାପଡିଛି । ଓଡିଶା ସରକାର ଓ ଡିଏଫଆଇଡିର ସହଭାଗିତାକୁ ଦୃଢ କରିବା ପାଇଁ ଓ ନୂତନ ସମ୍ଭାବନାକୁ ନେଇ ଆଲୋଚନା, ଗରିବୀ ଓ କୁପୋଷଣକୁ ହ୍ରାସ କରିବା ପାଇଁ ଆଇଡିଏସ ସସେସ୍କ ସହ ଆଲୋଚନା ସହ ଲଣ୍ଡନରେ ଓଡିଶା ହସ୍ତତନ୍ତ ପ୍ରଦର୍ଶନୀ ଉଦଘାଟନ ଇତ୍ୟାଦି କାର୍ଯ୍ୟକ୍ରମ ରହିଥିଲା । ମୁଖ୍ୟମନ୍ତ୍ରୀ ଏବଂ ପ୍ରତିନିଧିମାନଙ୍କ ରହିବା, ଯିବା ଆସିବା ପାଇଁ ଭାରତୀୟ ଦୂତାବାସକୁ ଅନୁରୋଧ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଓ ତାଙ୍କ କାର୍ଯ୍ୟାଳୟର ସଚିବ ମାନଙ୍କ ଖର୍ଚ୍ଚ ସଂସଦୀୟ ବ୍ୟାପାର ବିଭାଗ କରିବା ପାଇଁ କୁହାଯାଇଥିବା ବେଳେ ବାକି ମାନଙ୍କ ଖର୍ଚ୍ଚ ସେମାନଙ୍କ ସମ୍ପୃକ୍ତ ବିଭାଗ କରିବା ପାଇଁ କୁହାଯାଇଥିଲା । ଓଡିଶାରୁ ଲଣ୍ଡନକୁ ମୁଖ୍ୟମନ୍ତ୍ରୀଙ୍କ ଯିବା ଆସିବା ଖର୍ଚ୍ଚ ୨ ଲକ୍ଷ ୫୪ ହଜାର ୫୨୪ ଟଙ୍କା ଥିବା ବେଳେ ତାଙ୍କ ପ୍ରମୁଖ ସଚିବ ଓ ସଚିବ ଲଣ୍ଡନ ଗସ୍ତ ବାବଦକୁ ୨ ଲକ୍ଷ ୯୭ ହଜାର ୨୭୭ ଟଙ୍କା ଦାବୀ କରିଥିବା ରାଜ୍ୟର ସଂସଦୀୟ ବ୍ୟାପାର ବିଭାଗ ତଥ୍ୟରେ କୁହାଯାଇଛି । ଲଣ୍ଡନ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା କର୍ମୀ ଶ୍ରୀ ପଣ୍ଡାଙ୍କୁ ଦିଆଯାଇଥିବା ତଥ୍ୟରେ ମୁଖ୍ୟମନ୍ତ୍ରୀ ଲଣ୍ଡନ ସ୍ଥିତ ହୋଟେଲ କ୍ଲାରିଜସରେ ୨୩ ମଇ ୨୦୧୨ରୁ ୩୧ ମଇ ୨୦୧୨ ପର୍ଯ୍ୟନ୍ତ ରହିଥିବା କୁହାଯାଇଛି । ଏହାର ଖର୍ଚ୍ଚ ୩ ଲକ୍ଷ ୮୫ ହଜାର ୩୦୦ ଟଙ୍କା ବୋଲି ତଥ୍ୟରେ କୁହାଯାଇଛି । ଲଣ୍ଡନ ରହଣି ମଧ୍ୟରେ ମୁଖ୍ୟମନ୍ତ୍ରୀ ଡିଏଫଆଇଡି.ର ସେକ୍ରେଟାରୀ ଅଫ ଷ୍ଟେଟ ଆଣ୍ଡ୍ରିଉ ମିଚେଲଙ୍କୁ ସାକ୍ଷାତ କରି ଗରିବୀ ଦୂରୀକରଣ ଓ ଶିକ୍ଷା ସ୍ୱାସ୍ଥ୍ୟ କ୍ଷେତ୍ରରେ ସରକାରୀ ଘରୋଇ ସହେଯାଗିତା ସମ୍ବନ୍ଧରେ ଆଲୋଚନା କରିଥିଲେ । ଆଡିଏସ ସସେକ୍ସର ନିର୍ଦ୍ଦେଶକ ଡ. ଲରେନ୍ସ ହାଡାଡଙ୍କ ସହ ଦୂତାବାସରେ ସାକ୍ଷାତ କରିଥିଲେ । ଆଡିଏସ ସସେକ୍ସ ସହିତ ମମତା ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିବା ବେଳେ ଡିଏଫଆଇଡି ସହିତ ବିଦ୍ୟାଳୟରେ ଉପସ୍ଥାନ ବୃଦ୍ଧି କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଆର୍ଥିକ ସହାୟତା ଦେବା ସମ୍ବନ୍ଧରେ ଆଲୋଚନା ହୋଇଥିଲା । ରାୟଗଡାରେ ପ୍ରଥମେ ଏହାର ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରାଯାଇଥିଲା । ମୋଟ ଉପରେ ଏହି ଯୋଜନା ଗୁଡିକ ବର୍ତ୍ତମାନ ସମୟରେ ସଫଳତାର ସହ ଚାଲିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିଗତ ବିଦେଶ ଗସ୍ତକୁ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ଏକ ସଫଳ ଗସ୍ତ ବୋଲି କୁହାଯାଇପାରେ ବୋଲି ପଣ୍ଡା କହିଛନ୍ତି ।

jay balangir
Leave A Reply

Your email address will not be published.

3 + 1 =

error: Content is protected !!