୪୦ କେଜି ଗଞ୍ଜେଇ ଜବତ : ୩ ଗିରଫ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଗଞ୍ଜାମ ଜିଲ୍ଲା ଦେଇ ବିଭିନ୍ନ ସ୍ଥାନକୁ ଗଞ୍ଜେଇ ଚୋରା ଚାଲାଣ ହେଉଛି । ଗଜପତି ଓ କନ୍ଧମାଳରୁ ବେଆଇନ ଭାବେ ଏହି ଗଞ୍ଜେଇ ଚୋରା ଚାଲାଣ ହୋଇଥାଏ । ଏହି ଗଞ୍ଜେଇ ଚାଲାଣକାରୀଙ୍କୁ ଧରିବା ପାଇଁ ଅବକାରୀ ଗୁଇନ୍ଦା ବିଭାଗ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି । ଅବକାରୀ ଗୁଇନ୍ଦା ବିଭାଗ (ଦକ୍ଷିଣାଞ୍ଚଳ) ଡେପୁଟି କମିଶନର ଅଶୋକ କୁମାର ଶତପଥୀଙ୍କ ନିର୍ଦ୍ଦେଶରେ ଅବକାରୀ ଗୁଇନ୍ଦା ଟିମ୍‌ ରବିବାର ବିଳମ୍ବିତ ରାତିରେ ଦୁର୍ଗାପ୍ରସାଦରେ ବ୍ଲକିଂ ଓ ଚେକିଂ କରୁଥିଲା । ସେଠାରୁ ଏକ ଗଞ୍ଜେଇ ଭର୍ତ୍ତି କାର୍‌ ଜବତ କରିଛି । କାର୍‌ ଭିତରୁ ଦୁଇଟି ଜରି ବସ୍ତାରେ ରହିଥିବା ୪୦ କେଜି ଗଞ୍ଜେଇ ମଧ୍ୟ ଜବତ କରାଯାଇଛି । ଜଣେ ଚାଲାଣକାରୀଙ୍କ ସମେତ ୩ ଯୁବକଙ୍କୁ ଅବକାରୀ ପୋଲିସ ଗିରଫ କରିଛି । ସେମାନେ ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁନାପଙ୍ଗା ଗ୍ରାମର ଦିଲୀପ ଦୀଘାଲ (୩୪), ପନାଲ ଦୀଘାଲ (୨୫) ଓ ଆକାଶ ଦୀଘାଲ (୨୭) । ଦିଲୀପ ଗଞ୍ଜେଇ ଚାଲାଣକାରୀ ତଥା ଉକ୍ତ କାର୍‌ ମାଲିକ ବୋଲି ପୋଲିସ ସ୍ପଷ୍ଟ କରିଛି । ସେ ଉକ୍ତ ଗଞ୍ଜେଇ ବେଆଇନ ଭାବେ ବାଲିଗୁଡ଼ା ଅଞ୍ଚଳରୁ ଆଣି ଦୁର୍ଗାପ୍ରସାଦ ଦେଇ ଭୁବନେଶ୍ୱର ଚାଲାଣ କରିଥାନ୍ତେ ବୋଲି ପୋଲିସ ଜେରା ବେଳେ ଜାଣିବାକୁ ପାଇଛି । ଏ ସଂକ୍ରାନ୍ତରେ ପୋଲିସ ୭୪୭/୨୨-୩ରେ ଏକ ମାମଲା ରୁଜୁ କରାଯାଇଛି । ମଙ୍ଗଳବାର ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଶତପଥୀ ସୂଚନା ଦେଇଛନ୍ତି । ଜବତ କାର୍‌ ଓ ଗଞ୍ଜେଇର ମୂଲ୍ୟ ଆନୁମାନିକ ୧୯ ଲକ୍ଷ ଟଙ୍କା ହେବ ବୋଲି ମଧ୍ୟ ସେ କହିଛନ୍ତି । ଚଢ଼ାଉରେ ଅବକାରୀ ଗୁଇନ୍ଦା ଡେପୁଟି ସୁପରିଟେଣ୍ଡେଣ୍ଟ କୁବେର ସେଠୀ, ଇନ୍ସପେକ୍ଟର ହୃଦୟ ଚନ୍ଦ୍ର ସାମନ୍ତ, ଏସ୍‌ଆଇ ସୁଦର୍ଶନ ବିଷୋୟୀ, ବ୍ରଜ ବିହାରୀ ନାୟକ ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.

seventeen − four =