ଇଟା ବୋଝେଇ ଟ୍ରାକ୍ଟରରୁ ୪୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତକାଲି ଏକ ବିଶେଷ ସୂତ୍ରରୁ ଖବର ପାଇ ଗଞ୍ଜାମ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ମିଳିତ ଚଢ଼ାଉ ହୋଇଥିଲା । ମିଳିତ ସହଯୋଗରେ ଏକ ଇଟା ବୋଝେଇ ଟ୍ରାକ୍ଟରରୁ ଗଞ୍ଜେଇ ଜବତ କରାଯାଇଛି । ପୂର୍ବରୁ ଟ୍ରକଠାରୁ ଆରମ୍ଭ କରି ମଟର ସାଇକେଲ ପର୍ଯ୍ୟନ୍ତ ବିଭିନ୍ନ ଯାନବାହାନରୁ ଗଞ୍ଜେଇ ଜବତ କରିବାର ନଜିର ଥିଲେ ସୁଦ୍ଧା ଇଟା ବୋଝେଇ ଟ୍ରାକ୍ଟରରୁ ଗଞ୍ଜେଇ ଜବତ ହେବା ଘଟଣାଟି ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣାଟି ଗଞ୍ଜାମ ଜିଲ୍ଲାର ବେଗୁନିଆପଡା ବ୍ଲକର କଞ୍ଚଣା ରୋଡ଼ରେ ଥିବା ବିଜୟ ଫେମିଲି ରେଷ୍ଟୁରାଣ୍ଟ ନିକଟରେ ଏହି ଧରପଗଡ଼ ଘଟିଛି । ବିଶେଷ ସୂତ୍ରରୁ ଖବର ପାଇ କୋଦଳା ତହସିଲଦାର ଅବନୀ ସାହୁଙ୍କ ନେତୃତ୍ୱରେ ଅବକାରୀ ଉପଅଧିକ୍ଷକ ଦେବାଶିଷ ମହାନ୍ତି ସଦଳବଳେ ଓଡ଼ି୦୭ ଏଲ୍‌ ୮୨୪୩ ଟ୍ରାକ୍ଟରକୁ ଅଟକାଇ ତନଖି କରିଥିଲେ । ତନଖି ବେଳେ ଇଟା ତଳେ ୩୦ଟି ପଲିଥିନ ବ୍ୟାଗ୍‌ ମିଳିଥିଲା । ପ୍ରତ୍ୟେକ ବ୍ୟାଗ୍‌ରୁ ୩୦ କେ.ଜି. ଭାବେ ମୋଟ ୯ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଥିଲା । ତେବେ ଟ୍ରାକ୍ଟର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିବା ବେଳେ ମାଜିଷ୍ଟ୍ରେଟ ତହସିଲଦାରଙ୍କ ଉପସ୍ଥିତିରେ ସମସ୍ତ ଗଞ୍ଜେଇ ଜବତ କରାଯାଇଥିଲା । ଛତ୍ରପୁର ସ୍ଥିତ ଷ୍ଟ୍ରାଇକିଙ୍ଗ ଫୋର୍ସ ଇନିସ୍ପେକ୍ଟର ପ୍ରୀତିଧାରା ନାୟକଙ୍କ ଦ୍ୱାରା ଗଞ୍ଜେଇ ଟ୍ରାକ୍ଟରକୁ ଜବତ କରିବା ସହ ମାଦକ ଦ୍ରବ୍ୟ ନିରୋଧ ଆଇନ ଅନୁସାରେ ଟ୍ରାକ୍ଟର ମାଲିକ ଅରୁଣ ସାହୁ ଓ ଡ୍ରାଇଭରଙ୍କ ନାମରେ ମାମଲା ରୁଜୁ କରାଯାଇଛି । ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ୪୫ ଲକ୍ଷ ଟଙ୍କାର ହେବ ବୋଲି ଅବକାରୀ ଅଧିକ୍ଷକ ରାଜେନ୍ଦ୍ର ଭତ୍ରା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

two × 3 =

error: Content is protected !!