csstore

୩୫ କେଜି ଗଞ୍ଜେଇ ଜବତ : ୩ ଆନ୍ତଃରାଜ୍ୟ ବେପାରୀ ଗିରଫ

ଦେଓଗାଁ, (ମନୀଷ କୁମାର ସାହୁ) : ଗଞ୍ଜେଇ ଚାଲାଣର ମୁଖ୍ୟ ରାସ୍ତା ପାଲଟିଛି ଜାମୁଟ- ଗୁଡ଼ଭେଲା-ତୁଷୁରା ରାସ୍ତା । ପ୍ରତିଦିନ ୨ ଚକିଆ ଓ ୪ ଚକିଆ ଗାଡ଼ିରେ ବୌଦ୍ଧ, ଫୁଲବାଣୀ, କନ୍ଧମାଳ ଅଞ୍ଚଳରୁ ଏହି ରାସ୍ତା ଦେଇ ଗଞ୍ଜେଇ ଚାଲାଣ ହେଉଥିବା ଦେଖାଯାଉଛି । ଏ ବିଷୟରେ ଖବର ପାଇ ରବିବାର ଦେଓଗାଁ ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ଏକ କାର୍‌ରୁ ବିପୁଳ ଗଞ୍ଜେଇ ଜବତ କରିଛି । ସେଠାରୁ ୪ ପ୍ୟାକେଟ ଗଞ୍ଜେଇ ଜବତ କରିବା ସହ ୩ ଜଣକୁ ଗିରଫ କରିଛି । ସୂଚନା ଅନୁସାରେ, ଦେଓଗାଁ ରାସ୍ତାର ତୁଷୁରା ଛକ ନିକଟରେ ପୁଲିସ ଚଢ଼ାଉ କରି ଏକ ଆର୍ଟିକା (ଓଡି୦୧ଜେ-୭୭୭୪)କୁ ଅଟକାଇ ଯାଞ୍ଚ କରିଥିଲା । ପରେ ଗାଡ଼ିର ସିଟ୍ ତଳେ ଥିବା ଗଞ୍ଜେଇ ଜବତ କରି ତହସିଲଦାର ସଂଗ୍ରାମ କେଶରୀ ନାୟକଙ୍କ ଉପସ୍ଥିତିରେ ଓଜନ କରାଯିବାରୁ ୩୫ କେଜି ହୋଇଥିଲା । ପରେ ଘଟଣାରେ ସଂପୃକ୍ତ ପଶ୍ଚିମବଙ୍ଗ କାଳୀନଗର ହସାନୁର ଜାମନ ମଣ୍ଡଳ (୨୮), କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା କରଡୁପା ଗାଁର ରଶ୍ମିରଞ୍ଜନ ଦିଗାଲ(୨୪), କଳାହାଣ୍ଡି ଜିଲ୍ଲା ଏମ୍.ରାମପୁର ଥାନା କୁଟେଟପଡ଼ା ଗାଁର ଲେଙ୍କା ନାଏକ (୩୨)କୁ ଗିରଫ କରାଯାଇଥିବା ଦେଓଗାଁ ଥାନା ଅଧିକାରୀ ବୁଲୁ ମୁଣ୍ଡା ସୂଚନା ଦେଇଛନ୍ତି । ଏନେଇ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିବା ବେଳେ ଗଞ୍ଜେଇ ମାଫିଆଙ୍କୁ ଆଜି କୋର୍ଟ ଚାଲାଣ କରା‌ଯିବ ବୋଲି ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.