csstore

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ପବିତ୍ର ମାଟି ଓ ଜଳ ସଂଗ୍ରହ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଚଳିତ ବର୍ଷ ଗାନ୍ଧୀ ଜୟନ୍ତୀକୁ ସ୍ମରଣୀୟ ଭାବେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଗାନ୍ଧୀଙ୍କ ଆଦର୍ଶ, ବିଚାର, ଜୀବନୀ ଓ ଓଡିଶା ଆଗମନ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତ ଅହିଂସା ରଥ ନାମରେ ୪ ଗୋଟି ରଥ ସମଗ୍ର ଓଡିଶା ପରିକ୍ରମଣ କରି ସ୍ୱାଧୀନତା ସଂଗ୍ରାମ ଓ ଅହିଂସା ମନ୍ତ୍ରର ଗାଥା ବାଣ୍ଟିଚାଲିଛି । ଏହି ରଥକୁ ପ୍ରତ୍ୟେକ ଜିଲ୍ଲାରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ମିଳିଛି ଯାହା ଦେଶପ୍ରୀତିର ନମୁନା ଦେଉଛି । ସେହିପରି ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକସେବା ଭବନ ପରିସରରେ ଶାନ୍ତି ଓ ପ୍ରଗତିର ପ୍ରତୀକ ସ୍ୱରୂପ ଅଶ୍ୱତଥ୍ ଚାରା ରୋପଣ କରାଯିବ । ଏଥିପାଇଁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ଯେଉଁଠାକୁ ମହାତ୍ମାଗାନ୍ଧୀଙ୍କ ଆଗମନ ହୋଇଥିଲା, ସ୍ୱାଧୀନତା ସଂଗ୍ରାମରେ ପ୍ରମୁଖ ସ୍ଥାନ କିମ୍ବା ସ୍ୱାଧୀନତା ସଂଗ୍ରାମ ସହ ଜଡିତ ପ୍ରମୁଖ ସ୍ଥାନରୁ ପବିତ୍ର ମାଟି ଓ ନଦୀରୁ ପବିତ୍ର ଜଳ ସଂଗ୍ରହ କରାଯାଇ ଭୁବନେଶ୍ୱର ପଠାଯିବ । ଏହି ଉପଲକ୍ଷେ ପୁରୀ ଜିଲ୍ଲାର ପ୍ରମୁଖ ସ୍ୱାଧୀନତା ପୀଠ ଡେଲାଙ୍ଗ ବ୍ଲକର ବେରବୋଇ ଯେଉଁଠାକୁ ମହାତ୍ମାଗାନ୍ଧୀ ୧୯୩୮ ମସିହା ମାର୍ଚ୍ଚ ୨୫ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଗାନ୍ଧୀ ସେବା ସଂଘର ବାର୍ଷିକ ଅଧିବେଶନ ପାଇଁ ଆସି ରହିଥିଲେ ସେଠାରୁ ଆଜି ପବିତ୍ର ମାଟି ସଂଗ୍ରହ କରାଯାଇଛି । ପିପିଲି ଡେଲାଙ୍ଗ ବିଧାୟକ ରୁଦ୍ର ପ୍ରତାପ ମହାରଥୀ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାଶା ନିଶଙ୍କ, ଜିଲ୍ଲା ପରିଷଦ ସଭ୍ୟା ଦୀପ୍ତୀଶ୍ରୀ ରାଉତରାୟ, ବେରବୋଇ ସରପଂଚ ମଳୟ କୁମାର ସେଠୀ, ଗାନ୍ଧି ସ୍ମାରକୀ ସମିତର ସଭାପତି ବିଚିତ୍ରା ନନ୍ଦ ମହାନ୍ତି, ଅନାମ ମଲ୍ଲିକ, କୁନ୍ତଳା ବିଶ୍ୱାଳ, ଚନ୍ଦ୍ରଶେଖର ବିଶ୍ୱଳ ପ୍ରମୁଖଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ପୂଜାର୍ଚ୍ଚନା ପରେ ଏହି ମାଟି ସଂଗ୍ରହ କରାଯାଇଥିଲା । ସେହିପରି ପବିତ୍ର ଦୟା ନଦୀର ଗଡବେଗୁନିଆ ପଡା ଘାଟରୁ ଜଳ ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଡେଲାଙ୍ଗ ବିଡ଼ିଓ ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପରିଚାଳନା କରିଥିଲେ । ପରେ ଏହି ପବିତ୍ର ମାଟି ଓ ଜଳକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ବିଧାୟକ ହସ୍ତାନ୍ତର କରିଥିଲେ । ଏଠାରେ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.