ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସ୍ୱାର୍ଥପର ଦୁନିଆରେ କିଏ କାହାର ? ସମସ୍ତେ ଯିଏ ଯାହାର ସ୍ୱାର୍ଥରେ ବ୍ୟସ୍ତ, ତା’ ଭିତରେ ବି ମାନବିକତା ବଞ୍ଚି ରହିଛି । ଟିଟିଲାଗଡ ସହରର ହାଟପଦାପଡ଼ାରେ ସୋମବାର ସନ୍ଧ୍ୟାରେ ଶାନ୍ତି ନିବାସ ଗଳି ବିଦ୍ୟୁତ ଟ୍ରାନସଫର୍ମର ନିକଟ ଗୌରାଙ୍ଗ ଗନ୍ତାୟତଙ୍କ ଘର ସମ୍ମୁଖରେ ଗୋଟିଏ ବାଛୁରୀ ଏପଟୁ ସେପଟ ହାମା ହାମା ଡାକ ଦେଇ ପାଟି କରୁଥିଲା, ପାଖରେ ଥିବା ଲୋକେ ଯାଇ ଦେଖିଲା ବେଳକୁ ଗୋଟିଏ ଗାଈ ଅଚେତ ହୋଇ ପଡ଼ି ରହିଥିଲା, ଏହା ଦେଖିବା ପରେ ସ୍ଥାନୀୟ ଲୋକେ ପ୍ରାଣୀଧନ କାର୍ଯ୍ୟାଳୟକୁ ଫୋନ କରି ଜଣାଇଥିଲେ, ଜଣେ ଚିକିତ୍ସକ ଆସି ଦେଖି ଯିବା ପରେ ହାଟପଦାପଡ଼ାରେ ରହୁଥିବା ଲେବେଡ଼ା ପ୍ରାଣୀଧନ ଚିକିତ୍ସକ ବିରେନ ଷଡ଼ଙ୍ଗୀ ଡ୍ୟୁଟିରୁ ଫେରି ଘରକୁ ନ ଯାଇ ପ୍ରାୟ ୪ ଘଣ୍ଟା ଅକ୍ଳାନ୍ତ ପରିଶ୍ରମ କରି ଚିକିତ୍ସା ପ୍ରଦାନ କରିଥିଲେ, ସେହି ସମୟରେ ଗୌରାଙ୍ଗ ଗନ୍ତାୟତ, ହନୁ ଅଗ୍ରୱାଲ, ରାଜୁ ଅଗ୍ରୱାଲ, ସଞ୍ଜୟ ଅଗ୍ରୱାଲ, ରିଙ୍କୁ ଶର୍ମା, ରଞ୍ଜୀବ ଦ୍ଵୀପ , ଗୌର ଚିନାଗୁନ, ସଂଗ୍ରାମ ପଟ୍ଟନାୟକ, ରାହୁଲ ଶର୍ମା, ସଞ୍ଜୀବ ପାଢ଼ୀ, ଜିତେନ ପଟ୍ଟନାୟକ, ସଞ୍ଜୟ ନାୟକ ପ୍ରମୁଖ ଉପସ୍ଥିତ ରହି ସେ ଗାଈର ସେବା ସୁଶ୍ରୁଷା ତଥା ସୁସ୍ଥ କରିବାକୁ ଚିକିତ୍ସକଙ୍କ ସହ ସହଯୋଗ କରିଥିଲେ । ଅନ୍ୟ ପଟେ ଦୁଇ ଚାରି ଦିନର ବାଛୁରି ଭୋକରେ ଅଚେତ ଅବସ୍ଥାରେ ଥିବା ମା’ଠୁ କ୍ଷୀର ଖାଉଥିବା ଦୃଶ୍ୟ ଲୋକଙ୍କ ଆଖିରୁ ଲୁହ ବାହାର କରିବାକୁ ବାଧ୍ୟ କରିଥିଲା । ସଂଗ୍ରାମ ପଟ୍ଟନାୟକ ନିଜ ଘରକୁ ନେଇ ବାଛୁରୀକୁ ରଖିବା ସହ ବୋତଲରେ କ୍ଷୀର ପିଆଉ ଥିଲେ । ପ୍ରତି ଘଣ୍ଟାରେ କେତେ ଉନ୍ନତି ପରିଲକ୍ଷିତ ହେଉଛି ପଡାବାସୀ ଜଗି ରହିଥାନ୍ତି । ଗାଇଟିକୁ ଶନିପାତ ତଥା ଖାଦ୍ୟ ଅଭାବରୁ ସେ ଦୁର୍ବଳ ହୋଇପଡିଥିଲା, ତାକୁ ସାଲାଇନ, ଇଞ୍ଜେକସନ ଦେଇ ନିଆଁର ତାପ ଦିଆଯାଇଥିଲା, ଚାରି ଘଣ୍ଟା ପରେ ରାତି ସାଢେ ଦଶ ଟାରେ ଗାଈ ଛିଡା ହେବାରେ ସକ୍ଷମ ହେଲା, ଏହା ଦେଖି ଲୋକଙ୍କ ଖୁସି କହିଲେ ନ ସରେ । ସଙ୍ଗେ ସଙ୍ଗେ ବାଛୁରୀକୁ ଆଣି ମା’ ଗାଈ ପାଖରେ ଛଡ଼ା ଗଲା, ମା’କୁ ଦେଖିଲା ମାତ୍ରେ ଆନନ୍ଦରେ କ୍ଷୀର ଖାଇଲା ବାଛୁରୀ । ଗୋଟିଏ ମା’ ଓ ବାଛୁରୀର ପ୍ରେମ, ମା’ର ମାତୃତ୍ଵ ଦେଖି ଲୋକେ ଭାବ ବିହ୍ବଳ ହୋଇପଡ଼ିଥିଲେ । ଦୁଃଖ ଦେଖି ଲାଗି ପଡ଼ିଲେ ଗାଈକୁ ସୁସ୍ଥ କରିବାକୁ । ସକାଳୁ ପୁଣି ଥରେ ଚିକିତ୍ସା କରିବା ସତ୍ତ୍ୱେ ଗାଇଟି ଶେଷରେ ଜୀବନ ହାରିଲା । ବାଛୁରୀକୁ ନେଇ ଗୋଶାଳାଠାରେ ସ୍ଥାନୀୟ ଲୋକେ ଛାଡ଼ି ଦେଈ ଆସିଲେ । ଯେଉଁ ଲୋକମାନେ ଗାଈ ରଖୁଛନ୍ତି କେବଳ କ୍ଷୀର ପାଇବା ପାଇଁ, କ୍ଷୀର ପାଇବା ପରେ ବାହାରକୁ ଛାଡ଼ି ଦେଉଛନ୍ତି ସେହି ଅପାରଗ ଗାଈ ମାଲିକମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଥିଲେ ପଡ଼ାବାସୀ ।