csstore

ପରିବେଶ ସ୍ଥିରତା ଉପରେ ଜେଏସ୍‌ଏମ୍‌ ବାଣିଜ୍ୟ ଓ କଳା ମହାବିଦ୍ୟାଳୟରେ ଏକ ଦିବସୀୟ ସେମିନାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ପରିବେଶ ସ୍ଥିରତା ଉପରେ ଜେଏସ୍‌ଏମ୍‌ ବାଣିଜ୍ୟ ଓ କଳା ମହାବିଦ୍ୟାଳୟରେ ଏକ ଦିବସୀୟ ସେମିନାର ଆୟୋଜିତ ହୋଇଯାଇଛି । ଆମର ପରିବେଶ ସମସ୍ତ ଜୀବ ଏବଂ ସେମାନଙ୍କର ପରିବେଶକୁ ନେଇ ଗଠିତ । ପରିବେଶ ସମସ୍ତଙ୍କ ପାଇଁ ଜୀବନର ଉତ୍ସ । ସମସ୍ତଙ୍କ ଜୀବନକୁ ନିର୍ଦ୍ଦେଶ କରେ ଏବଂ ଉପଯୁକ୍ତ ଅଭିବୃଦ୍ଧି ଏବଂ ବିକାଶ ନିର୍ଣ୍ଣୟ କରେ ବୋଲି ଏହି ଅବସରରେ ମତ ପ୍ରକାଶ ପାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ନୂଆଦିଲ୍ଲୀ, ଆଇଏସ୍‌ଡିର ମହାନିର୍ଦ୍ଦେଶକ ଡକ୍ଟର ଶ୍ରୀକାନ୍ତ କୁମାର ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ଉପଦେଷ୍ଟା ସଦସ୍ୟ ମନୋରଂଜନ ସାହୁ, ଅଧ୍ୟକ୍ଷ ସିଏ ଶ୍ରୀକାନ୍ତ ଶର୍ମା ଏବଂ ନିର୍ଦ୍ଦେଶକା ଶ୍ରୀମତୀ ସୁମନ ଶର୍ମାଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମ୍ମାନିତ ଅତିଥି ନିଜ ବକ୍ତବ୍ୟରେ କହିଥିଲେ ଯେ, ପ୍ରତ୍ୟେକ ବ୍ୟକ୍ତି ଆପଣା ଆପଣା ଦାୟିତ୍ୱକୁ ବୁଝି ସର୍ତକ ହେବା ଦ୍ୱାରା ପରିବେଶ ସୁରକ୍ଷା ହୋଇପାରିବ । ପରିବେଶକୁ ସନ୍ତୁଳନ କରିବା ଦିଗରେ ଅନେକ ଗୁଡିଏ ଉପାୟ ରହିଛି ବୋଲି ଛାତ୍ରଛାତ୍ରୀମାନଙ୍କୁ କହିଥିଲେ । ଉପଦେଷ୍ଟା ମନୋରଂଜନ ସାହୁ ମଧ୍ୟ ଉକ୍ତ ବିଷୟରେ ପ୍ରକାଶ କରି କହିଥିଲେ ଯେ, ଆମ ପାଇଁ ପରିବେଶ ରହିଛି ଓ ପରିବେଶକୁ ନେଇ ଆମେ ଜଡିତ ରହିଛୁ ତେଣୁ ଏହାର ସୁରକ୍ଷା ବା ସ୍ଥିରତା ଆମର ଦାୟିତ୍ୱ ଅଟେ । ଆମ ପରିବେଶର ସ୍ଥିତି, ଗ୍ଲୋବାଲ ୱାର୍ମିଂର କାରଣ ଏବଂ ପରିବେଶ ସ୍ଥିରତା ପାଇଁ ରଣନୀତି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଜ୍ଞାନଦାୟକ ଆଲୋଚନା ହୋଇଥିଲା ।

jayashree
Leave A Reply

Your email address will not be published.