
- ନିଶାଶକ୍ତ ଟ୍ରକ୍ ଚାଳକ ଗିରଫ୍ : ଟ୍ରକ୍ ଜବତ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ସର୍ଭିସ୍ ରୋଡରେ ବସ୍କୁ ପିଟିଲା ଟ୍ରକ୍, ବସ୍ ଯାଇ ଠିଆ ହୋଇଥିବା ଲୋକ ଓ ବାଇକ୍ ଆରୋହୀଙ୍କୁ ଧକ୍କା ଦେବା ଫଳରେ ୩ ଜଣ ଲୋକ ଗୁରୁତର ଆହତ ହୋଇଥିବା ବେଳେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଛି । ଫେରାର ମାରୁଥିବା ନିଶାଶକ୍ତ ଟ୍ରକ୍ ଚାଳକ ଗିରଫ୍ ସାଂଗକୁ ଟ୍ରକ୍ ଜବତ କରାଯାଇଛି । ମୃତକ ଜଣକ ହେଉଛନ୍ତି, ଭାଗ୍ୟଲକ୍ଷ୍ମୀନଗରର ପ୍ରାସାଦ ଆଚାରୀଙ୍କ ପୁତ୍ର ଟୁକୁନା ଆଚାରୀ ବୋଲି ଜଣାପଡ଼ିଛି । ଏଠାରେ ସୂଚନା ଯୋଗ୍ୟ ଯେ, ଗାଡ଼ିଟି ପଶ୍ଚିମବଙ୍ଗର ଦୀଘାରୁ କେରଳକୁ ମାଛ ବୋଝେଇ ଟ୍ରକ୍ ଯାଉଥିଲା । ତେବେ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଉକ୍ତ ଟ୍ରକ୍ ଏକ ବସ୍କୁ ଧକ୍କା ଦେଇଥିଲା । ଛତ୍ରପୁର ସହରର ଭାଗ୍ୟଲକ୍ଷ୍ମୀ ନଗର ହାଡ଼ଭଙ୍ଗା ଚିକିତ୍ସାଳୟ ଛକ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ଦୁର୍ଘଟଣା ଘଟି ଟୁକୁନା ଆଚାରୀ ବସ୍ ତଳେ ଚାପି ହୋଇ ରହିଥିବା ଅବସ୍ଥାରେ ଛତ୍ରପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରି ମୃତ ଯୁବକ ଟୁକୁନା ଆଚାରୀକୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ହସ୍ତାନ୍ତର କରିଥିଲେ । ଆହାତମାନେ ହେଲେ ଭାଗ୍ୟଲକ୍ଷ୍ମୀନଗରର ପ୍ରଶାନ୍ତ ଶବର, ପାଲିଆ-ଛତ୍ରପୁର ଅଞ୍ଚଳର ଗୁଡ୍ଡୁ ଗୌଡ଼ ଏବଂ ଚିକଲଖଣ୍ଡି ଅଞ୍ଚଳର ଆକାଶ ଗୌଡ଼ ବୋଲି ଜଣାପଡ଼ିଛି । ଦୁଇଜଣ ଗୁରୁତର ଆହତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଚାଳକ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଚମାଖଣ୍ଡି ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ସଦଳ ବଳେ ଧରିବାରେ ସଫଳ ହୋଇଥିଲେ । ଟ୍ରକ୍ ଚାଳକ ନିଶାଶକ୍ତ ଅବସ୍ଥାରେ ରହି ଗଞ୍ଜାମ ସହରର ଏକ ଛକ ଠାରେ ମଧ୍ୟ ଧକ୍କା ଦେଇଥିଲା । ବାଟରେ ଅନେକ ସ୍ଥାନରେ ଧକ୍କା ଦେଇଥିବା ଅଭିଯୋଗ ହୋଇଛି । ଏଭଳି ନିଶାଶକ୍ତ ଗାଡ଼ି ଚାଳକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି ।