jayashree

ଟ୍ରକ ଧକ୍କାରେ ଯୁବକ ମୃତ୍ୟୁ ଘଟଣା : କ୍ଷତିପୂରଣ ଦାବି ନେଇ ମୃତ ଯୁବକଙ୍କ ଶବ ରଖି ରାସ୍ତା ଅବରୋଧ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ଟ୍ରକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁକୁ ନେଇ ତାତିଲା ପରିସ୍ଥିତି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ସରକାରୀ ସହାୟତା ଦାବିରେ ଶବ ରଖି ରାସ୍ତାରୋକ କଲେ ପରିବାର ଓ ଗ୍ରାମବାସୀ । ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା-ଖଡ଼ିଆଳ ୫୯ ନମ୍ବର ଜାତୀୟ ରାଜପଥର ବୋରୋବାହାଲ ଗାଁ ନିକଟରେ । ଗତକାଲି ଅପରାହ୍ନରେ ବୋରୋବାହାଲ ଗାଁ ବୁଲାଣି ନିକଟରେ ଏକ ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀ ଦୁଃଖୀ ଭୋଇଙ୍କ ମୃତ୍ୟୁ ହୋଇଥିଲା । ସେ କଣ୍ଟାବାଞ୍ଜି ଥାନା ଅଧୀନ କପିଲାଭଟା ପଞ୍ଚାୟତର ବରତୁଣ୍ଡା ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି । ଆଜି କଣ୍ଟାବାଞ୍ଜି ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ଶବ ହସ୍ତାନ୍ତର କରାଯାଇଥିଲା । ଏହାପରେ ମୃତକଙ୍କ ଶବକୁ ଦୁର୍ଘଟଣାସ୍ଥଳକୁ ଆଣି ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ପରିବାରକୁ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରିବା ଦାବିରେ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଖବର ପାଇ ବଙ୍ଗୋମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଆନ୍ଦୋଳନକାରୀମାନେ ଦାବିରେ ଅଟଳ ରହିଥିଲେ । ପରେ କଣ୍ଟାବାଞ୍ଜି ଏସଡିପିଓ ଲକ୍ଷ୍ମୀନାରାୟଣ ମାରାଣ୍ଡି ଓ ବଙ୍ଗୋମୁଣ୍ଡା ତହସିଲଦାର ଜ୍ୟୋତ୍ସ୍ନା ମାଝୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ରେଡକ୍ରସ ପାଣ୍ଠିରୁ ସହାୟତା ସହ ବିଭିନ୍ନ ସରକାରୀ ଯୋଜନାରେ ପରିବାରକୁ ସହାୟତା ଯୋଗାଇଦେବା ନେଇ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା । ଦୀର୍ଘ ପ୍ରାୟ ୩ ଘଣ୍ଟା ଧରି ରାସ୍ତାରୋକ ଯୋଗୁଁ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇ ଅନେକ ଯାନବାହନ ଅଟକି ରହିଥିଲା । ଏହାଫଳରେ ଯାତ୍ରୀମାନେ ମଧ୍ୟ ହଇରାଣ ହୋଇଥିଲେ । ଆଜି ସନ୍ଧ୍ୟାରେ ଗାଁରେ ମୃତକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଏବେ ମୃତକଙ୍କ ଗରିବ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି ।

Leave A Reply

Your email address will not be published.