
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡରେ ଦୀର୍ଘଦିନ ଧରି ଲାଗିରହିଥିବା ଡାକ୍ତର ଅଭାବ ସମସ୍ୟାର ସମାଧାନ ନେଇ ଆଶା ସଞ୍ଚାର ହୋଇଛି । ଦୀର୍ଘଦିନ ଧରି ବିଭିନ୍ନ ସରକାରୀ ଡାକ୍ତରଖାନାରେ ଡାକ୍ତର ପଦ ଖାଲି ଥିବାରୁ ସ୍ୱାସ୍ଥ୍ୟସେବା ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଆସୁଛି । ଏପରିକି ଡାକ୍ତର ନିଯୁକ୍ତି ଦାବିରେ ଅଞ୍ଚଳବାସୀଙ୍କ ପକ୍ଷରୁ ଆନ୍ଦୋଳନ ଓ ଧାରଣା ମଧ୍ୟ ହୋଇଛି । ଏହି ସମସ୍ୟାକୁ ନେଇ ପଦ୍ମପୁର କଂଗ୍ରେସ ବିଧାୟକ ପ୍ରାର୍ଥୀ ଟଙ୍କଧର ସାହୁ ଭୁବନେଶ୍ୱରରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି । ଉପଖଣ୍ଡର ବିଭିନ୍ନ ଡାକ୍ତରଖାନାରେ ଡାକ୍ତର ଅଭାବ ଯୋଗୁଁ ରୋଗୀ ଓ ସାଧାରଣ ଲୋକେ କିଭଳି ସମସ୍ୟା ଭୋଗୁଛନ୍ତି, ସେନେଇ ମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ବିଶେଷକରି ଉପାନ୍ତ ଅଞ୍ଚଳରେ ଡାକ୍ତର ଅଭାବ ଯୋଗୁଁ ରୋଗୀଙ୍କୁ ଚିକିତ୍ସା ପାଇଁ ଦୂରଦୂରାନ୍ତର ଡାକ୍ତରଖାନାକୁ ଯିବାକୁ ପଡୁଥିବା ସମ୍ପର୍କରେ ଆଲୋଚନା ହୋଇଥିଲା । ତେଣୁ ଶୀଘ୍ର ଡାକ୍ତର ନିଯୁକ୍ତି ସହ ନିୟମିତ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବାକୁ ଶ୍ରୀ ସାହୁ ଦାବି ରଖିଥିଲେ । ଆଲୋଚନା ସମୟରେ ଦଶହରା ପରେ ପଦ୍ମପୁର ଉପଖଣ୍ଡକୁ ପ୍ରାୟ ୧୫ ଜଣ ଡାକ୍ତର ନିଯୁକ୍ତି ଦିଆଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଆଶ୍ୱାସନା ଦେଇଥିବା ଶ୍ରୀ ସାହୁ ପ୍ରକାଶ କରିଛନ୍ତି । ଏହି ନିଯୁକ୍ତି ହେଲେ ଉପଖଣ୍ଡର ବିଭିନ୍ନ ଡାକ୍ତରଖାନାରେ ଡାକ୍ତର ଅଭାବ କିଛି ପରିମାଣରେ ଦୂର ହେବା ସହ ସ୍ଥାନୀୟ ଲୋକଙ୍କୁ ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଚିକିତ୍ସା ସେବା ମିଳିପାରିବ ବୋଲି ଆଶା କରାଯାଉଛି । ସାକ୍ଷାତ ସମୟରେ ପାଇକମାଲ ବ୍ଲକ୍ କଂଗ୍ରେସ କମିଟି ସଭାପତି ମହେନ୍ଦ୍ର ଖୁଣ୍ଟିଆ, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ବିଜୟାନନ୍ଦ ପଟ୍ଟନାୟକ ଓ ପାଇକମାଲ ଜୋନ୍ ସଭାପତି ଅଶ୍ୱିନୀ ପାଣିଗ୍ରାହୀ ଉପସ୍ଥିତ ଥିଲେ ।