jayashree

ଛତ୍ରପୁରରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବରିଷ୍ଠ ନାଗରିକଙ୍କୁ ସମ୍ମାନ ଓ ସୁରକ୍ଷା ଏକ ସୁସ୍ଥ ଓ ସଶକ୍ତ ସମାଜର ପରିଚୟ । ସେମାନଙ୍କ ପ୍ରତି ସମ୍ମାନ ଓ ସମ୍ବେଦନଶୀଳତା କେବଳ ପରିବାରର ନୁହେଁ, ସମଗ୍ର ସମାଜର ଦାୟିତ୍ୱ ବୋଲି ଜିଲ୍ଲା ପ୍ରଶାସନର ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ଆଜି ଛତ୍ରପୁରସ୍ଥିତ ସଂସ୍କୃତି ଭବନଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ କହିଛନ୍ତି । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୁନୀଲ କୁମାର କେରକେଟା, ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ବ୍ୟୋମକେଶ ନାୟକ, ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡା. ଅଲେଖ ପ୍ରଧାନ ପ୍ରମୁଖ ଯୋଗଦେଇ ବରିଷ୍ଠ ନାଗରିକଙ୍କ ସାମାଜିକ ସୁରକ୍ଷା, ଆଇନଗତ ଅଧିକାର, ସ୍ୱାସ୍ଥ୍ୟର ଯତ୍ନ ଓ ସମାଜରେ ସେମାନଙ୍କ ସକ୍ରିୟ ଅଂଶଗ୍ରହଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ବେହେରା ସ୍ୱାଗତ ଭାଷଣ ଓ ଛତ୍ରପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରିଣୀ ସସ୍ମିତା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଯୋଗ ଓ ପ୍ରାଣାୟାମ ଅଧିବେଶନ, ମେଗା ସ୍ୱାସ୍ଥ୍ୟ ଶିବିର, ଏକ ପେଡ ମା କେ ନାମ ଅଧୀନରେ ଚାରା ରୋପଣ ଏବଂ ଆଇନ ସଚେତନତା ଶିବିର ଆୟୋଜନ କରାଯାଇଥିଲା । ଏଥିସହ ପାରମ୍ପରିକ ଘୁଡୁକି ନାଚ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ମାଧ୍ୟମରେ ବରିଷ୍ଠ ନାଗରିକମାନଙ୍କ ପ୍ରତି ସମ୍ମାନ ପ୍ରକାଶ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମକୁ ପ୍ରଶାନ୍ତ କୁମାର ଶତପଥୀ ସଂଯୋଜନା କରିଥିବା ବେଳେ ବିଭିନ୍ନ ବରିଷ୍ଠ ନାଗରିକ ସଂଗଠନର ପ୍ରତିନିଧି ଓ ବହୁ ବରିଷ୍ଠ ନାଗରିକ ଯୋଗଦେଇଥିଲେ ।

Leave A Reply

Your email address will not be published.