
ରାଉରକେଲା, (ସସ୍ମିତା ପ୍ରଧାନ) : ଗତକାଲି ୮ ତାରିଖ ଦିନ ରାଷ୍ଟ୍ରାୟତ୍ତ ଇସ୍ପାତ ଉଦ୍ୟୋଗ ଭାଇଜାଗ ଷ୍ଟିଲ ପ୍ଳାଣ୍ଟର ଏସ୍ଏମ୍ଏସ୍ -୧ ବିଭାଗରେ ଭୟାବହ ଅଗ୍ନିକାଣ୍ଡ ଘଟି ଆଠ ଜଣ ଶ୍ରମିକ କର୍ମଚାରୀଙ୍କର ଘଟଣା ସ୍ଥଳରେ ଅକାଳ ବିୟୋଗ ଘଟିଛି ଓ ବହୁ ଶ୍ରମିକ ପୋଡିଯାଇ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି । କୁହାଯାଉଛି ଯେ, ତରଳ ଲୌହ ଢାଳି ହୋଇ କାର୍ଯ୍ୟରତ ଶ୍ରମିକ କର୍ମଚାରୀଙ୍କ ପାଇଁ ଏହା ମୃତ୍ୟୁର କାରଣ ହେଲା ଓ ବହୁ ଶ୍ରମିକ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି । ପ୍ରତିକୂଳ ପରିସ୍ଥିତିରେ ଓ କେନ୍ଦ୍ର ସରକାରଙ୍କ ଭାଇଜାଗ ପ୍ଲାଣ୍ଟକୁ ଘରୋଇକରଣ ଉଦ୍ୟମକୁ ପ୍ରତିହତ କରି ଉତ୍ପାଦନ କରିବା ସହ ନିଜର ଜୀବନ ଜୀବିକାକୁ ବଜାୟ ରଖିବା ପାଇଁ ଅହରହ ସଂଘର୍ଷ କରୁଥିବା ଶ୍ରମିକ କାରଖାନା କର୍ତ୍ତୃପକ୍ଷଙ୍କର ଉଦାସୀନ ଓ ତ୍ରୁଟିପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥାର ଫଳସ୍ୱରୂପ ଏକ ଭୟଙ୍କର ଦୁର୍ଘଟଣାର ଶିକାର ହେଲେ ବୋଲି ରାଉରକେଲା ମଜଦୁର ସଭାର ସଭାପତି ଶଶଧର ନାୟକ ଅବିହିତ କରି ଏଥିନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ରାଷ୍ଟ୍ରାୟତ୍ତ ଇସ୍ପାତ ଶିଳ୍ପରେ ବାରମ୍ବାର ଏ ଭଳି ଦୁର୍ଘଟଣା ଘଟୁଥିଲେ ହେଁ ଉତ୍ପାଦନ ଓ ଲାଭାର୍ଜନ ନେଇ ଇସ୍ପାତ କାରଖାନାର କର୍ତ୍ତୃପକ୍ଷଙ୍କ ସୁରକ୍ଷା ବ୍ୟବସ୍ଥାର ପରିବର୍ତ୍ତନ ହେଉନାହିଁ । ଏଭଳି ଦୁର୍ଘଟଣା ଅନ୍ୟତମ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସେଲ ପାଇଁ ଏକ ସତର୍କ ଘଣ୍ଟି । ସ୍ୱଳ୍ପ ଲୋକ ଶକ୍ତିରେ ଠିକାଦାରୀକରଣକୁ ପ୍ରୋତ୍ସାହନ ଦେଇ ଉତ୍ପାଦନ ଲକ୍ଷ୍ୟ ହାସଲ କରିବାର ଚେଷ୍ଟା, ସୁରକ୍ଷା ନେଇ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଉଦ୍ଦିଷ୍ଟ ଯୁଗ୍ମ କମିଟି ବୈଠକ ନ ଡାକିବା ଆଭିମୁଖ୍ୟକୁ ପରିହାର କରି ଶୂନ୍ୟ ଦୁର୍ଘଟଣା ଲକ୍ଷ୍ୟ ନେଇ ସୁରକ୍ଷା ନୀତି ପ୍ରବର୍ତ୍ତନ କରିବା ପାଇଁ ମଜଦୁର ସଭା ପକ୍ଷରୁ କୁହାଯାଇଛି । ପୁଣି ଭାଇଜାଗ ଇସ୍ପାତ କାରଖାନାରେ ଘଟିଥିବା ଏହି ଦୁର୍ଘଟଣାର କାରଣ ନେଇ ଏକ ଉଚ୍ଚ ସ୍ତରୀୟ ତଦନ୍ତ ଓ ଏଥିନେଇ ଦାୟୀ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି ।