ଦୁର୍ଘଟଣାରେ ଆହତଙ୍କ ପାଇଁ ରକ୍ଷକ ସାଜିଲେ ଶିକ୍ଷକ ଦିବସ କୁମାର ସାହୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ଯୋଖିପାଲି ଗ୍ରାମର ସ୍ୱେଚ୍ଛାସେବୀ ତଥା ଶିକ୍ଷକ ଦିବସ କୁମାର ସାହୁ ତାଙ୍କର ନିଃସ୍ୱାର୍ଥପର ସେବା ମନୋଭାବ ପାଇଁ ସବୁଠାରେ ପରିଚିତ ଅଛନ୍ତି । ମଙ୍ଗଳବାର ଦିନ ତାଙ୍କର ଏକ କାର୍ଯ୍ୟକୁ ଗାଇସିଲେଟ ବ୍ଲକର ଗୁଦେରପାଲି ଅଞ୍ଚଳରେ ଉଚ୍ଚ ପ୍ରଶଂସା କରାଯାଇଛି । ସୂଚନା ଅନୁଯାୟୀ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଏବଂ କୁଣ୍ଡାଖାଇ ଛକ ମଝିରେ ଏକ ଦୁର୍ଘଟଣା ଘଟିଥିଲା ଯେଉଁଥିରେ ଦୁଇଜଣ ବାଇକ ଅରୋହି ପରସ୍ପର ସହ ଧକ୍କା ଲାଗି ଜଣେ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣା ଘଟିବା ପରେ କିଛି ଲୋକ ସେଠାରେ ରୁଣ୍ଡ ମଧ୍ୟ ହୋଇଥିଲେ, ଏହି ସମୟରେ ବଲାଙ୍ଗିରରୁ ପରୀକ୍ଷା ଦେଇ ନିଜ ଘର ଯୋଖିପାଲିକୁ ଫେରୁଥିଲେ ଶିକ୍ଷକ ଦିବସ କୁମାର ସାହୁ । ସେ ଏହା ଦେଖିବା ପରେ ଗାଡ଼ିରୁ ଓହ୍ଲେଇ ପ୍ରଥମେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ପାଖରେ ଅଟକି ଥିବା ଗାଡ଼ିରେ ଥିବା ଫାଷ୍ଟ୍ ଏଡ଼ ସାମଗ୍ରୀ ସହାୟତାରେ କ୍ଷତ ସ୍ଥାନକୁ ବାନ୍ଧି ରକ୍ତସ୍ରାବ ବନ୍ଦ କରିଥିଲେ । ଇତିମଧ୍ୟରେ ସ୍ଥାନୀୟ ଲୋକଙ୍କ ଠାରୁ ଦୁର୍ଘଟଣାରେ ଆହତଙ୍କ ପରିଚୟ ମିଳିବା ପରେ ତାଙ୍କର ପରିବାର ବର୍ଗକୁ ଯୋଗାଯୋଗ କରିଥିଲେ । ଆହତ ଜଣଙ୍କ ନାମ ପାଣ୍ଡବ ବନଛୋର ହୋଇଥିବା ବେଳେ ସେ ଗୁଦେରପାଲି ନିକଟସ୍ଥ ବେଲମୁଣ୍ଡା ଗ୍ରାମର ଅଟନ୍ତି ବୋଲି ଲୋକେ କହିଥିଲେ । ଇତିମଧ୍ୟରେ ମେଲଛାମୁଣ୍ଡା ପୋଲିସ ଘଟଣା ସ୍ଥଳରେ ଉପସ୍ଥିତ ହୋଇଥିଲେ । ୧୦୮ ଆମ୍ବୁଲାନ୍ସ ଆସିବା ପରେ ପୋଲିସ, ପରିବାରବର୍ଗ ଏବଂ ନିଜେ ଶିକ୍ଷକ ଦିବସ କୁମାର ସାହୁଙ୍କ ସହାୟତାରେ ଆମ୍ବୁଲାନ୍ସ ଉପରକୁ ଟେକି ନେଇଥିଲେ । ଖବର ଲେଖାଯିବା ପର୍ଯ୍ୟନ୍ତ ତାଙ୍କୁ ଆମ୍ବୁଲାନ୍ସ ମାଧ୍ୟମରେ ବିଜେପୁର ଡାକ୍ତରଖାନା ନିଆଯାଇଥିବା ସୂଚନା ରହିଛି ଏବଂ ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ପରିବାର ବର୍ଗ କହିଛନ୍ତି । ଦିବସଙ୍କ ଉପସ୍ଥିତ ବୁଦ୍ଧି ତଥା ନିଃସ୍ୱାର୍ଥପର ସେବା ମନୋଭାବକୁ ସ୍ଥାନୀୟ ଜନସାଧାରଣ ଉଚ୍ଚ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.

nineteen − 2 =

error: Content is protected !!