
- ମୌଳିକ ସୁବିଧାରୁ ବଞ୍ଚିତ ବନଛୋରପାଲି ବିସ୍ଥାପିତ, ନ୍ୟାୟ ଦାବିରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରର ବିକାଶ ଓ ଜଳସେଚନର ନୂଆ ଆଶା ନେଇ ନିର୍ମାଣ ହୋଇଛି ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ । ହେଲେ ଏହି ପ୍ରକଳ୍ପ ପାଇଁ ନିଜର ଭିଟାମାଟି ଓ ଜନ୍ମମାଟି ଛାଡ଼ିଥିବା ବିସ୍ଥାପିତଙ୍କ ଦୁଃଖ ଏବେ ବି ଦୂର ହୋଇନାହିଁ । ପ୍ରକଳ୍ପ ପାଇଁ ତ୍ୟାଗ କରିଥିବା ଲୋକେ ଆଜି ମୌଳିକ ସୁବିଧା ପାଇଁ ସଂଘର୍ଷ କରୁଛନ୍ତି । ବନଛୋରପାଲି ଗାଁରୁ ବିସ୍ଥାପିତ ହୋଇ କୁସମେଲ ଗାଁରେ ଗତ ୪ ବର୍ଷ ଧରି ରହୁଥିବା ପରିବାରଗୁଡ଼ିକ ଏବେ ନାନା ସମସ୍ୟାର ସମ୍ମୁଖୀନ । ଅଭିଯୋଗ ଅନୁଯାୟୀ, ଏଠାରେ ପିଲାଙ୍କ ପାଠପଢ଼ା ପାଇଁ ବିଦ୍ୟାଳୟ, ପାନୀୟ ଜଳ, ସ୍ୱାସ୍ଥ୍ୟସେବା ଏବଂ ଉନ୍ନତ ରାସ୍ତା ଭଳି ଅତ୍ୟାବଶ୍ୟକ ସୁବିଧା ଏଯାଏଁ ଉପଲବ୍ଧ ହୋଇପାରିନାହିଁ । ଫଳରେ ଦୈନନ୍ଦିନ ଜୀବନଯାପନ ସହ ପିଲାଙ୍କ ଶିକ୍ଷା ଓ ପରିବାରର ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ଅଛନ୍ତି ବିସ୍ଥାପିତ । ବିଭିନ୍ନ ସମୟରେ ସମସ୍ୟା ସମ୍ପର୍କରେ ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଆଶାନୁରୂପ ସମାଧାନ ହୋଇନଥିବା ଅଭିଯୋଗ କରିଛନ୍ତି ସେମାନେ । ଶେଷରେ ନିଜର ମୌଳିକ ଅଧିକାର ଓ ସୁବିଧା ଦାବିରେ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚି ଦାବିପତ୍ର ପ୍ରଦାନ କରିଛନ୍ତି । ତୁରନ୍ତ ସମସ୍ୟାର ସମାଧାନ କରି ବିସ୍ଥାପିତ ପରିବାରଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି । ନଚେତ୍ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି । ବଡ଼ ପ୍ରକଳ୍ପର ସଫଳତା ସହ ଏହା ପାଇଁ ବିସ୍ଥାପିତ ହୋଇଥିବା ପରିବାରଙ୍କ ଥଇଥାନ ଓ ଜୀବନଜୀବିକାର ସୁରକ୍ଷା ମଧ୍ୟ ସମାନ ଗୁରୁତ୍ୱ ବହନ କରେ । ତେବେ ବନଛୋରପାଲି ବିସ୍ଥାପିତଙ୍କ ସମସ୍ୟା କେବେ ସମାଧାନ ହେବ ଏବଂ ସେମାନଙ୍କୁ କେବେ ମିଳିବ ନ୍ୟାୟ, ତାହା ଏବେ ଅପେକ୍ଷାର ବିଷୟ ।