
ବଲାଙ୍ଗିର, (କେପିଏନ୍ଏସ୍) : ବିଜ୍ଞାନ ଶିକ୍ଷକଙ୍କ ଡେପୁଟେସନ ବାତିଲ ଦାବିରେ ସ୍କୁଲରେ ତାଲା । ରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ। ବାରମ୍ବାର ଗୁହାରି ପରେ ବି ଶୁଣିଲାନି ଶିକ୍ଷା ବିଭାଗ, ଶେଷରେ ଧାରଣାରେ ବସିଲେ ଅଭିଭାବକ। ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଧରପଗଡ଼ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି, ଏଭଳି ଅଭାବନୀୟ ଦୃଶ୍ୟ। ବିଜ୍ଞାନ ଶିକ୍ଷକଙ୍କ ଡେପୁଟେସନ ବାତିଲ କରି ପୁନର୍ବାର ବିଦ୍ୟାଳୟରେ ନିଯୁକ୍ତି ଦେବା ଦାବିରେ ସ୍କୁଲର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ। ସୂଚନା ଅନୁସାରେ, ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ହେରମ୍ବଚନ୍ଦ୍ର କୁମ୍ଭାରଙ୍କୁ ପ୍ରାୟ ୬ ମାସ ପୂର୍ବରୁ ଅନ୍ୟତ୍ର ଡେପୁଟେସନରେ ପଠାଯାଇଥିଲା। ଫଳରେ ସ୍କୁଲରେ ବିଜ୍ଞାନ ଶିକ୍ଷାଦାନ ପ୍ରଭାବିତ ହେଉଥିବା ଅଭିଯୋଗ କରିଛନ୍ତି ଅଭିଭାବକ। ଶିକ୍ଷକଙ୍କ ଡେପୁଟେସନ ବାତିଲ କରିବା ପାଇଁ ଅନେକ ଥର ଶିକ୍ଷା ବିଭାଗ ନିକଟରେ ଗୁହାରି କରିଥିଲେ। ଏପରିକି ଜିଲ୍ଲାପାଳଙ୍କୁ ମଧ୍ୟ ୪ ଥର ଅଭିଯୋଗ ଜଣାଇଥିଲେ। ହେଲେ ବାରମ୍ବାର ଦାବି ଓ ଅଭିଯୋଗ ସତ୍ତ୍ୱେ କୌଣସି ସୁଫଳ ନମିଳିବାରୁ ଶେଷରେ ଆନ୍ଦୋଳନର ପନ୍ଥା ଆପଣାଇଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ। ତେବେ ଶିକ୍ଷା ବିଭାଗ କେବେ ଏହି ସମସ୍ୟାର ସମାଧାନ କରୁଛି ଏବଂ ଛାତ୍ରଛାତ୍ରୀଙ୍କ ପାଠପଢ଼ା କେବେ ସ୍ୱାଭାବିକ ହେଉଛି, ତାହା ଏବେ ଦେଖିବାର କଥା।