pakka

ଡ଼ିଜିଟାଲ ପ୍ରଚାର : ଅପହଞ୍ଚ ଇଲାକାରେ ପ୍ରାର୍ଥୀ ଯିବେ ଘରକୁ ଘର, ମ.ରାମପୁର ବ୍ଲକରେ ଭାଗ୍ୟ ନିର୍ଦ୍ଧାରଣ କରିବେ ୫୮୭୫୬ ଭୋଟର୍‌

bbehera

ମ.ରାମପୁର, (ହେମନ୍ତ ସାହୁ) : କୋଭିଡ଼ କଟକଣା ମଧ୍ୟରେ ଏଥର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରଚାରର ଅନ୍ୟ ଏକ ପ୍ରମୁଖ ମାଧ୍ୟମ ଡ଼ିଜିଟାଲ ମିଡ଼ିଆ ହେବା ନେଇ ଘୋଷଣା ପରେ ପ୍ରାର୍ଥୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ଗୋଟିଏ ପଟେ ନିଜ ପ୍ରିୟ ଭୋଟରଙ୍କ ସ୍ୱାସ୍ଥ୍ୟ ଏବଂ ଅନ୍ୟପଟେ ନିଜ ବିଜୟ ପାଇଁ ସମସ୍ତ କଳା ଓ କୌଶଳ । ପ୍ରାର୍ଥୀ ପତ୍ର ଦାଖଲ ସହିତ ଡ଼ିଜିଟାଲ ୱାର ଆରମ୍ଭ ହୋଇଯିବ ବୋଲି ବିଭିନ୍ନ ମହଲରେ ଆଲୋଚନା ହୋଉଥିବା ବେଳେ ଏଥିପାଇଁ ତିନି ପ୍ରମୁଖ ଦଳ ନିଜକୁ ସଜ କରୁଥିବା ଜଣାଯାଇଛି । ମ.ରାମପୁର ବ୍ଳକର ୨୩୮ଟି ୱାର୍ଡ଼ରେ ୫୮୭୫୬ ଭୋଟର ଭାଗ୍ୟ ନିର୍ଦ୍ଧାରଣ କରିବାକୁ ଅପେକ୍ଷା କରିଛନ୍ତି । ତେବେ ଗତ ଦୁଇବର୍ଷ ତଳେ କରୋନା ମହାମାରୀ ପରେ ଡ଼ିଜିଟାଲ ପାଠ ବ୍ୟବସ୍ଥାର ଆରମ୍ଭ କରାଯାଇଥିଲା ଏବଂ ତାହା କେତେ ଫଳପ୍ରଦ ହୋଇଥିଲା ତାହା ସମସ୍ତଙ୍କୁ ଜଣା । ମାତ୍ର କୋଡ଼ିଏ ପ୍ରତିଶତ ପିଲା ଏହି ଶିକ୍ଷା ଉପଲବ୍ଧ କରିପାରୁଥିବା ଜଣାଯାଇଥିଲା । ଯାହାକି ଡ଼ିଜିଟାଲ ଶବ୍ଦ ଉପରେ ଏକ ଉପହାସ ମାତ୍ର । ଡ଼ିଜିଟାଲର କଥା କୁହାଯାଉଥିବା ବେଳେ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକରେ ଡ଼ିଜିଟାଲ ଇଣ୍ଡିଆର ଚିତ୍ର କେତେ ଯେ ବିକଳ ତାହା କହିବା ମୁସ୍କିଲ । ଏହି ବ୍ଲକର ବାରବନ୍ଧା, ଡ଼ୁଡ଼ୁକାରଂଜା, ଉର୍ଲଦାନୀ, ଲୁବେନଗଡ଼, ଦେଢଶୂଳୀ, ମାଣିକେରା, ସିଂହପୁର ଆଦି ପଞ୍ଚାୟତରେ ନେଟୱାର୍କ ସାତସପନ ହୋଇଥିବା ବେଳେ ଏହି ସବୁ ଇଲାକାରେ ସ୍ମାର୍ଟ ଫୋନ୍ ମଧ୍ୟ ସମସ୍ତଙ୍କ ହାତରେ ଉପଲବ୍ଧ ନାହିଁ । ଡ଼ିଜିଟାଲ ପ୍ଲାଟଫର୍ମ କ୍ରମରେ ବ୍ୟବାହର କରାଯିବ ହ୍ୱାଟ୍ସଅପ୍‌, ଫେସବୁକ୍‌, ଇନଷ୍ଟ୍ରାଗ୍ରାମ, ଗୁଗୁଲ ମିଟ୍ ଭଳି ଆଭାସୀ ମାଧ୍ୟମ ହେବ ଡ଼ିଜିଟାଲ ପ୍ରଚାର । ଆଦିବାସୀ ତଥା ବଣପାହାଡ଼ ଘେରା ଅଞ୍ଚଳରେ ନେଟ ୱାର୍କ ସମସ୍ୟା ସତରେ ଏହି ଡ଼ିଜିଟାଲ ପ୍ରଚାରକୁ ଏକ ଉପହାସ ମାତ୍ର । ତେଣୁ ପ୍ରାର୍ଥୀମାନେ କୋଭିଡ଼ କଟକଣା ମଧ୍ୟରେ ବାଧ୍ୟ ହୋଇ ଘରକୁ ଘର ଯାଇ ନିଜର ସମର୍ଥନ ଲୋଡ଼ିବେ । ଏଥର କୋଭିଡ଼ କଟକଣା ପାଇଁ ଷ୍ଟାର କେମ୍ପେନ ମଧ୍ୟ ହୋଇପାରିବ ନାହିଁ ତଥା ବିଭିନ୍ନ ଶୋଭାଯାତ୍ରା, ସଭାସମିତିକୁ ମଧ୍ୟ ସଂପୂର୍ଣ୍ଣ ବାରଣ କରାଯାଇଛି । ମ.ରାମପୁର ବ୍ଲକର ଅପହଞ୍ଚ ଇଲାକାକୁ ବାଦଦେଇ ଅନ୍ୟ ସବୁ ଇଲାକାରେ ଡ଼ିଜିଟାଲ ପ୍ରଚାର ଗୋଟିଏ ପ୍ରକାର ସୁହାଇବା ନେଇ ଆଶାବାଦୀ ଅଛନ୍ତି ତିନି ପ୍ରମୁଖ ଦଳ । ସୋମବାର ଠାରୁ ପ୍ରାର୍ଥୀ ପତ୍ର ଦାଖଲ ଏବଂ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଚୂଡ଼ାନ୍ତ ପ୍ରାର୍ଥୀ ଘୋଷଣା ପରେ କେତେ ଡ଼ିଜିଟାଲ ହେଉଛି ପ୍ରଚାର ଏବଂ କୋଭିଡ଼ କଟକଣାକୁ କେତେ ପାଳନ କରାଯାଉଛି ତାହା ଦେଖିବାକୁ ବାକି ରହିଛି ।

Leave A Reply

Your email address will not be published.

3 + five =