pakka

ଇଚ୍ଛା ଅଛି, ସମ୍ବଳ ନାହିଁ : ଅନଲାଇନ କାମର ଭରସା ଦିବ୍ୟାଙ୍ଗ ଶଙ୍କର

bbehera

ଲୋଇସିଂହା, (କେପିଏନ୍‌ଏସ୍‌) : ନିଜ ଗୋଡ଼ରେ ଛିଡା ହେବା ପାଇଁ ସାହାରା ଦରକାର ପଡୁଛି । ନିତ୍ୟକର୍ମ ସାରିବା ପାଇଁ ଅନ୍ୟ ଉପରେ ଭରସା ହେଉଛି । ଯେହେତୁ ସେ ଜଣେ ଦୁଇ ଗୋଡ଼ କାମ କରୁ ନଥିବା ଦିବ୍ୟାଙ୍ଗ । କିନ୍ତୁ କମ୍ପ୍ୟୁଟରରେ ଅନଲାଇନ କାମ କରାଇବା ପାଇଁ ତାଙ୍କ ଉପରେ ପ୍ରତ୍ୟହ ଶହ ଶହ ଲୋକ ଭରସା ରହିଛି । ସେ ହେଲେ ଦିବ୍ୟାଙ୍ଗ ଶଙ୍କର ବାଗ । ସୂଚନା ଅନୁସାରେ ଲୋଇସିଂହା ବ୍ଲକ ଅନ୍ତର୍ଗତ ସରଗାଡ଼ ଗ୍ରାମର ଜଗନ୍ନାଥ ପଡ଼ାରେ ଘର । ପରିବାର କହିଲେ ବାପା ସାଗର ବାଗ ଓ ମାତା ଯମୁନା ବାଗଙ୍କ ବଡ଼ ପୁଅ ହୋଇଥିବା ବେଳେ ଜଣେ ସାନ ଭାଇ ଅଛନ୍ତି । ଗାଁ ହାଇସ୍କୁଲ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ହଠାତ ଦୁଇ ଗୋଡ଼ କାମ କଲାନାହିଁ । ବାପା/ମା’ ସମେତ ପରିବାର ବର୍ଗ ବଲାଙ୍ଗିରରୁ ବାଙ୍ଗାଲୁରୁ ପର୍ଯ୍ୟନ୍ତ ନେଇ ଚିକିତ୍ସା କରାଇଥିଲେ । ଧାର/କରଜ କରି ଘରର ଆସବାସ ବିକି ଖର୍ଚ୍ଚ କଲେ, ତଥାପି କିଛି ସୁଫଳ ମିଳିଲା ନାହିଁ । ଶେଷରେ ସମ୍ପୂର୍ଣ୍ଣ ଭାବେ ଦୁଇ ଗୋଡ଼ ଅକାମୀ ହେବା ପରେ ଦିବ୍ୟାଙ୍ଗ ହୋଇ ଘରେ ବସି ରହିଲେ । ଅନ୍ୟ କାହାର ସାହାରାରେ ଛିଡା ହେବା ସହିତ ନିତ୍ୟକର୍ମ ମଧ୍ୟ କରିବାକୁ ବାଧ୍ୟ ହେଲେ । କିନ୍ତୁ ଦୀର୍ଘ ୫ ବର୍ଷ ହେଲା ପ୍ରଥମେ ମୋବାଇଲରେ ରିଚାର୍ଜ କରି ଅର୍ଥ ଉପାର୍ଜନ ଆରମ୍ଭ କଲେ । ଧୀରେ ଧୀରେ ଘରେ ଏକ କମ୍ପ୍ୟୁଟର ଯୋଗାଡ଼ କରି ଅନଲାଇନ କାମ କରିବା ଶିଖିଲେ । ସରଗାଡ଼ ବାସୀ ସମେତ ଆଖପାଖ ଗ୍ରାମର ଲୋକଙ୍କ ବିଭିନ୍ନ କମ୍ପ୍ୟୁଟର ଅନଲାଇନ କାମ କରି ଦୁଇ ପଇସା ଉପାର୍ଜନ କଲେ । ଫଳରେ ସ୍କୁଲ କଲେଜ ଛାତ୍ରଛାତ୍ରୀଠାରୁ ଆରମ୍ଭ କରି କୃଷକ, ବ୍ୟବସାୟୀ ଓ ବେକାରୀଙ୍କ ବିଭିନ୍ନ ଅନଲାଇନ କାମର ଭରସା ଯୋଗ୍ୟ କମ୍ପ୍ୟୁଟର ଦୋକାନୀ ହୋଇଛନ୍ତି । ଶଙ୍କରଙ୍କୁ ଏବେ ୨୭ ବର୍ଷ ଛୁଇଁ ସାରିଛି । ତାଙ୍କର ସିନା ଦୁଇ ଗୋଡ଼ ଅକାମୀ ଯୋଗୁଁ ଛିଡା ହେବା ପାଇଁ ଅନ୍ୟ ଉପରେ ଭରସା କରିବାକୁ ପଡୁଛି, କିନ୍ତୁ ତାଙ୍କ ଭରସାରେ ଲୋକେ ୨୪ ଘଣ୍ଟିଆ ସେବା ପାଉଛନ୍ତି ଏହା ନିଃସନ୍ଦେହ । ବର୍ତ୍ତମାନ ସେ ଜଣେ ସରଗାଡ଼ ଅଞ୍ଚଳରେ ପରିଚିତ ବ୍ୟକ୍ତି ଅଟନ୍ତି । ଆଗକୁ ସେ ଏକ ବଡ଼ କମ୍ପ୍ୟୁଟର ଦୋକାନ କରି କିଛିଟା ବେକାରୀ ସମସ୍ୟା ଦୂର କରିବେ ବୋଲି ଚିନ୍ତା କରିଥିବା ପ୍ରକାଶ କରିଛନ୍ତି । ତେଣୁ ପ୍ରଶାସନ ପକ୍ଷରୁ ଯଦି କୌଣସି ପ୍ରକାରର ଆର୍ଥିକ ସହାୟତା କିମ୍ବା ଋଣ ମିଳିଲେ ସେ ଆହୁରି ଆର୍ଥିକ ସ୍ୱବଲମ୍ବୀ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

twenty − eight =