ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ୧୯୭୦ରେ ଆରମ୍ଭ ହେବା ଦିନଠାରୁ “ଧରିତ୍ରୀ ଦିବସ” ଏକ ବିଶ୍ଵ ସ୍ତରୀୟ ଗଣ ଆନ୍ଦୋଳନରେ ପରିଣତ ହୋଇ ପରିବେଶ ସମ୍ବନ୍ଧୀୟ ସମସ୍ୟାଗୁଡିକ ଉପରେ ସଚେତନତା ସୃଷ୍ଟି କରିଆସୁଛି । ଜଳବାୟୁ ପରିବର୍ତ୍ତନଠାରୁ ଆରମ୍ଭ କରି ଜୈବ ବିବିଧତା ହ୍ରାସ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟା ବିଷୟରେ ଆଲୋକପାତ କରିବା ହେଉଛି ଏହି ଦିବସ ପାଳନର ଲକ୍ଷ୍ୟ । ଭବିଷ୍ୟତ ପିଢିଙ୍କ ପାଇଁ ଧରିତ୍ରୀ ଗ୍ରହକୁ ସୁରକ୍ଷିତ ରଖିବା ଆମର ସାମୂହିକ ଦାୟିତ୍ୱ ଅଟେ । ଧରିତ୍ରୀ ଗ୍ରହର ଉତ୍ତାପ, ଜଳବାୟୁ ପରିବର୍ତ୍ତନ, ପାଣିପାଗରେ ଅନିୟମିତ ତା ଏବଂ ଅନ୍ୟାନ୍ୟ ଦୁଃଖର କାରଣ ହେଉଛି ଅପରିଣାମଦର୍ଶୀ ମାନବକୃତ କାର୍ଯ୍ୟକଳାପ । ବର୍ତ୍ତମାନ ବିପଜ୍ଜନକ ଉତ୍ତାପ ତରଙ୍ଗ ସୂଚକାଙ୍କ ଅଧିକ ଗତିରେ ବୃଦ୍ଧି ପାଇଛି । ଭାରତରେ ଉତ୍ତାପ ତରଙ୍ଗ ଜଳବାୟୁ ପରିବର୍ତ୍ତନ ହେତୁ ୩୦ ଗୁଣ ଅଧିକ ବଢ଼ିଛି । ବିଶ୍ୱରେ ବନାଗ୍ନି ଅନୁପାତରେ ବହୁତ ବୃଦ୍ଧି ପାଇଛି । ଓଡ଼ିଶାର ଘନ ଜଙ୍ଗଲ ସିମିଳିପାଳରେ ନିଆଁ ଲାଗି ଜଙ୍ଗଲ ଭସ୍ମୀଭୂତ ହୋଇଛି, ଭାରତର ୧୫ଟି ପ୍ରମୁଖ ଜଳଭଣ୍ଡାରରେ ଜଳ ସଂରକ୍ଷଣ କ୍ଷମତା ୩୧ ପ୍ରତିଶତ ହ୍ରାସ ପାଇଛି । ଆମେରିକୀୟ ସିନେଟର୍ ଗେଲ୍ର୍ଡ ନେଲ୍ସନ୍ଙ୍କ ଦ୍ୱାରା ପରିବେଶ ଶିକ୍ଷାର ପ୍ରସାର ପାଇଁ ପ୍ରତିଷ୍ଠିତ ଏହି ଦିନଟି ପ୍ରଥମେ ଏପ୍ରିଲ ୨୨, ୧୯୭୦ରେ ପାଳନ କରାଯାଇଥିଲା । ଏହି ବର୍ଷ ଧରିତ୍ରୀ ଦିବସର ବିଷୟ ବସ୍ତୁ ହେଲା ‘ପ୍ଲାନେଟ୍ ବନାମ ପ୍ଲାଷ୍ଟିକ୍’ । ପ୍ଲାଷ୍ଟିକ୍ ହେଉଛି ଏକ ନୂତନ ପିଢିର ଉତ୍ପାଦ । ପ୍ଲାଷ୍ଟିକ୍ ଏକ ଅଣଜୈବ ବିଭାଜନକ୍ଷମ ଉପାଦାନ ଅଟେ । ପରିବେଶ ପ୍ରଦୂଷଣର ସବୁଠାରୁ ବଡ ଉତ୍ସ ହେଉଛି ପ୍ଲାଷ୍ଟିକ । ମାଇକ୍ରୋ ପ୍ଲାଷ୍ଟିକ୍ ବର୍ତ୍ତମାନ ସ୍ୱାସ୍ଥ୍ୟ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ସମସ୍ୟା ଅଟେ । ଏହି ଥିମ୍ ମାନବ ଏବଂ ଗ୍ରହର ସ୍ୱାସ୍ଥ୍ୟ ପାଇଁ ପ୍ଲାଷ୍ଟିକ୍ ପ୍ରଦୂଷଣ କିଭଳି କ୍ଷତିକାରକ ସେ ବିଷୟରେ ସଚେତନତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି । ମାଇକ୍ରୋ ପ୍ଲାଷ୍ଟିକ୍ ଆମ ରକ୍ତ ସ୍ରୋତ ଦେଇ ପ୍ରବାହିତ ହୁଏ, ଆମର ଆଭ୍ୟନ୍ତରୀଣ ଅଙ୍ଗ ଦେହରେ ଲାକ୍ଷି ରହେ, ଏବଂ ଏହା ସହିତ ଭାରୀ ଧାତୁ ବହନ କରେ ଯାହା କର୍କଟ ରୋଗର କାରଣ ହୋଇଥାଏ । ପ୍ଳାଷ୍ଟିକ ଏକ ଆଶ୍ଚର୍ଯ୍ୟଜନକ ଉପଯୋଗୀ ଦ୍ରବ୍ୟ ବୋଲି ଆମେ ଭାବୁଥିଲେ ଯେତେବେଳେ ଏହାର ଉଦ୍ଭାବନ ହେଲା, କିନ୍ତୁ ଆମର ସ୍ୱାସ୍ଥ୍ୟ ଏବଂ ଅନ୍ୟ ସମସ୍ତ ଜୀବଜନ୍ତୁଙ୍କ ଜୀବନ ପାଇଁ ଏହା ଏକ ବଡ଼ ଆହ୍ଵାନ ଭାବରେ ଉଭା ହୋଇଛି ବର୍ତ୍ତମାନ । ପ୍ଲାଷ୍ଟିକ୍ ଉତ୍ପାଦନ ବର୍ତ୍ତମାନ ବର୍ଷକୁ ୩୮୦ ନିୟୁତ ଟନ୍କୁ ବୃଦ୍ଧି ପାଇଛି । ପ୍ଲାଷ୍ଟିକ୍ ଏକ ପେଟ୍ରୋ କେମିକାଲ୍ ଦ୍ରବ୍ୟ ଏବଂ ଏହି ଶିଳ୍ପ ଦ୍ୱାରା ବିଷାକ୍ତ ବର୍ଜ୍ୟ ପଦାର୍ଥ ନିର୍ଗମନ ହୁଏ ।
Prev Post