
- ଦେଓଗାଁରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ହେଲାନି ପତାକା ଉତ୍ତୋଳନ
ଦେଓଗାଁ, (ମନୀଷ କୁମାର ସାହୁ) : ସାରା ଭାରତ ମନାଉଛି ସ୍ୱାଧୀନତା ଦିବସ । ଏହି ଅବସରରେ ସାରା ଭାରତ ବର୍ଷରେ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ ସହ ସ୍କୁଲ, କଲେଜ ପ୍ରଭୃତି ଶିକ୍ଷାନୁଷ୍ଠାନରେ ପତାକା ଉତ୍ତୋଳନ କରୁଥିବା ବେଳେ ଏହି ଅବସରରେ ଦେଶ ସାରା ଲୋକ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଳନ ଅବସରରେ ପ୍ରତିଟି ଘର, ଦୋକାନ ବଜାରରେ ତ୍ରିରଙ୍ଗା ପତାକା ଉଡ଼ାଇ ହସ ଖୁସିରେ ସ୍ୱାଧୀନତା ଦିବସ ପାଳନ କରିଛନ୍ତି । ହେଲେ ଦେଓଗାଁ ସ୍ଥିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ ସ୍ୱାଧୀନତା ଦିବସକୁ ଅଣଦେଖା କରାଯାଇଥିବା ଦେଖିବାକୁ ମିଳିଛି । ଶନିବାର ଦିନ ବ୍ୟାଙ୍କ ଛୁଟି ଥିବାରୁ କର୍ମଚାରୀଙ୍କ ଦେଖା ନ ଥିବା ବେଳେ ସ୍ୱାଧୀନତା ଅବସରରେ ପତାକା ଉତ୍ତୋଳନ ମଧ୍ୟ କରାଯାଇ ନ ଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଗାଁରେ ବିଭିନ୍ନ ଚର୍ଚ୍ଚା ଜାରି ରହିଛି । କିଏ କହୁଛି ସ୍ୱାଧୀନତା ଦିବସକୁ ବ୍ୟାଙ୍କ୍ କର୍ମଚାରୀ ଭୁଲି ଯାଇଛନ୍ତି ତ ଆଉ କିଏ କହୁଛି ଆଉ କାହାରିକୁ ଖାତିର ନାହିଁ, ଯିଏ ଯାହା ପାରିଲା କରିଲା : କର୍ମଚାରୀଙ୍କ ଦରମା ତ ମିଳୁଛି, ପତାକା ଉଡ଼ାଇଲେ କେତେ ନ ଉଡାଇଲେ କେତେ ? ଏହି ଘଟଣାକୁ ନେଇ ଦେଓଗାଁ ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଯୋଗାଯୋଗ କରିବାରୁ ଫୋନ୍ ଉଠାଉ ନ ଥିବା ବେଳେ ଉପରୋକ୍ତ ବ୍ୟାଙ୍କର ରିଜିନାଲ ମ୍ୟାନେଜରଙ୍କୁ ପଚାରିବାରୁ ମୁଁ କର୍ମଚାରୀଙ୍କୁ ପଚାରି ବୁଝୁଛି ବୋଲି କହିଥିଲେ । ସେହିପରି ଜରାସିଂହା ଏଏନ୍ଏମ୍ ସେଣ୍ଟରରେ ମଧ୍ୟ ପତକା ଉତ୍ତୋଳନ କରିନଥିବା ଦେଖିବାକୁ ମିଳିଛି । ସରକାରୀ କର୍ମଚାରୀମାନେ ମଧ୍ୟ ସ୍ୱାଧୀନତା ଦିବସରେ ତ୍ରିରଙ୍ଗା ପତାକାର ଅସମ୍ମାନ କରୁଥିବା ମନେ ହେଉଛି । ସେହିପରି ବଲାଙ୍ଗିର ସଦର ବ୍ଲକ୍ ଅନ୍ତର୍ଗତ କୁଡାସିଂହା ସ୍ଥିତ ଫରେଷ୍ଟ ଅଫିସରେ ମଧ୍ୟ ପତାକା ଉତ୍ତୋଳନ ହୋଇନଥିବା ଜଣାପଡିଛି । ସ୍ୱାଧୀନତା ଦିବସରେ ସରକାରୀ କାର୍ଯ୍ୟାଳୟରେ ମଧ୍ୟ ପତାକା ଉତ୍ତୋଳନ କରାଯାଉ ନ ଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସରକାରୀ ଅଧିକାରୀମାନେ ସ୍ଥାନୀୟ ଲୋକଙ୍କୁ ନେଇ ଏହି ସବୁ କାର୍ଯ୍ୟକ୍ରମ ପାଳନ କରାଯିବା ବଦଳରେ ପତାକା ଉତ୍ତୋଳନ କରିବାକୁ ଭୁଲି ଯାଉଥିବାରୁ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।