pakka

ବଲାଙ୍ଗିରଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ମହିଳା ଓ ଶିଶୁ ବିକାଶ ବିଭାଗ ବଲାଙ୍ଗିର ଦ୍ଵାରା ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଦିବସରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ମୁଖ୍ୟ ଅତିଥି, ବଲାଙ୍ଗିର ପୌର ପରିଷଦର ଅଧ୍ୟକ୍ଷ୍ୟା ଲିକା ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ ନାଏକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବକୃଷ୍ଣ ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରମା ସେଠୀ, ସାଇବର କ୍ରାଇମ ଭାରପ୍ରାପ୍ତ ଥାନା ଅଧିକାରୀ ଭାରତୀ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ସଭାରେ ଉଦ୍‌ବୋଧନ ଦେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସାହୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ମହିଳାମାନେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଏବଂ ମହିଳା ସଶକ୍ତିକରଣ ନିମନ୍ତେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସେମାନେ ସଚେତନ ହେବା ସହ ନିଜକୁ ପ୍ରତିଷ୍ଠିତ କରିବାକୁ ପରାମର୍ଶ ଦେଇଥିଲେ । ପୌର ପରିଷଦର ଅଧ୍ୟକ୍ଷ୍ୟା ଶ୍ରୀମତୀ ସାହୁ, ସ୍ଵୟଂ ସହାୟକ ଗୋଷ୍ଠୀ ଓ ମିଶନ ଶକ୍ତି ଜରିଆରେ ମହିଳାମାନେ ଆତ୍ମନିର୍ଭରଶୀଳ ହେବା ସହ ଜ୍ଞାନର ସୁବିନିଯୋଗ କରି ନିଜ ନିଜ ମଧ୍ୟରେ ଏକତା ଓ ସମନ୍ଵୟ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ନାଏକ ମହିଳାମାନଙ୍କ ସୁରକ୍ଷା ଓ ଅଧିକାର ନିମନ୍ତେ ଥିବା ଆଇନ ଏବଂ ମହିଳା ଓ ଶିଶୁ ଡେସ୍କର କାର୍ଯ୍ୟକାରିତା ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସାହୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଓ ମିଶନ ଶକ୍ତି କାର୍ଯ୍ୟକ୍ରମରେ ମହିଳାମାନଙ୍କ ଭୂମିକା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ସାଇବର କ୍ରାଇମ ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀମତୀ ନାୟକ ଘରୋଇ ହିଂସା, ନାରୀ ନିର୍ଯାତନା ଏବଂ ସମ୍ପ୍ରତି ଘଟୁଥିବା ସାଇବର କ୍ରାଇମ ଉପରେ ଆଲୋଚନା କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସେଠୀ ସ୍ଵାଗତ ବକ୍ତବ୍ୟ ପ୍ରଦାନ କରିବା ସହ ଆନ୍ତର୍ଜାତିକ ମହିଳା ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ । ସଭାରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ୨ ଜଣ କିଶୋରୀ ବାଳିକା, ତୁରେକେଲାର ମୀନା ହଂସ, ଗୁଡଭେଲାର ମନ୍ଦାକିନୀ ରଣା, ୩ ଜଣ ଅଙ୍ଗନୱାଡି କର୍ମୀ, ଚୁଡାପାଲି (ଖ)ର ମମତାରାଣୀ ପଣ୍ଡା, ଟିକ୍ରାପଡା (ଖ)ର ଟିମାରାଣୀ ବିଭାର, ହିରାପୁର (ଖ)ର ରୋଜାଲିନ ପ୍ରଧାନ, ୨ ଜଣ କ୍ଷେତ୍ର ପାରଦର୍ଶିକା ବଙ୍ଗୋମୁଣ୍ଡାର ରତ୍ନମଣି ବରାଳ, ଖପ୍ରାଖୋଲର ଅଞ୍ଜଳି ମିଶ୍ର ଓ ବାଲ୍ୟ ବିବାହ ରୋକିବା କ୍ଷେତ୍ରରେ ଟିଟିଲାଗଡ ସିଡିପିଓ ମିନାକ୍ଷୀ ରାଜଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ସଭାକୁ ଲୋଇସିଂହା ସିଡିପିଓ ପ୍ରଜ୍ଞା ବାରିକ ପରିଚାଳନା କରିଥିଲେ । ପରେ ଲୋଇସିଂହା ଓ ଗୁଡଭେଲାରୁ ଆସିଥିବା କିଶୋରୀ ବାଳିକା ଏବଂ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି ଦିବସ ପାଳନ ଅବସରରେ ଏକ ରାଲିର ଆୟୋଜନ କରାଯାଇଥିଲା । ରାଲିରେ ଅଙ୍ଗନୱାଡି କର୍ମୀ, ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା, ମିଶନ ଶକ୍ତିର ମହିଳାମାନେ ଅଂଶଗ୍ରହଣ କରିଥିଲେ । ରାଲିକୁ ବଲାଙ୍ଗିର ଉପଜିଲ୍ଲାପାଳ କୁମାର ନାଗଭୂଷଣ ଶୁଭାରମ୍ଭ କରିଥିଲେ ।

Leave A Reply

Your email address will not be published.

16 − 16 =