ବିଶ୍ୱାତ୍ମ ବିଦ୍ୟା ମନ୍ଦିରର ୨୭ତମ ପ୍ରତିଷ୍ଠା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶ୍ୱାତ୍ମ ବିଦ୍ୟା ମନ୍ଦିର, ବଲାଙ୍ଗିରର ୨୭ତମ ପ୍ରତିଷ୍ଠା ଦିବସ ତଥା ପୂଜ୍ୟପାଦ ସଦ୍‌ଗୁରୁଦେବ ପରମହଂସ ସ୍ୱାମୀ ଶ୍ରୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ଵତୀ ମହାରାଜଙ୍କ ୬୭ତମ ଜନ୍ମ ଦିବସ ଆନନ୍ଦ ନିକେତନ ଆଶ୍ରମ ପରିସରରେ ହର୍ଷୋଲ୍ଲାସପୂର୍ବକ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟା ମନ୍ଦିରର ପ୍ରତିଷ୍ଠାତା ସ୍ୱାମୀଜୀ ମହାରାଜ ନିଜ ଆଶୀର୍ବଚନରେ ଶିକ୍ଷା ସହିତ ଛାତ୍ରଛାତ୍ରୀମାନଙ୍କ ଉତ୍ତମ ସଂସ୍କାର ତଥା ବ୍ୟକ୍ତିତ୍ଵର ପୂର୍ଣ୍ଣାଂଗ ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ । କାର୍ଯ୍ୟକ୍ରମର ଉଭୟ ଅଧିବେଶନରେ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର ପୂର୍ବତନ କୂଳପତି କମଳକାନ୍ତ ମିଶ୍ର ମୁଖ୍ୟ ଅତିଥି, ଭିସା ଷ୍ଟିଲ୍, ଯାଜପୁର ରୋଡ୍‌ର ନିର୍ଦ୍ଦେଶକ ମନୋଜ କୁମାର ଅଗ୍ରୱାଲ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ନିଜ ନିଜ ଉଦ୍‌ବୋଧନ ମାଧ୍ୟମରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ । ବିଦ୍ୟା ମନ୍ଦିରର ସଭାପତି ଗଜେନ୍ଦ୍ର ତ୍ରିଭୂବନଦାସ ଭମ୍ମରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ୱାତ୍ମ ଚେତନା ପରିଷଦର ସାଧାରଣ ସମ୍ପାଦକ ସ୍ୱାମୀ ସତ୍ୟବେଦାନନ୍ଦ ସରସ୍ଵତୀ ଅତିଥି ପରିଚୟ ପ୍ରଦାନ, ବିଦ୍ୟା ମନ୍ଦିରର ସମ୍ପାଦକ ନବୀନ କୁମାର ବେଦବାକ ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ତରୁଣ କୁମାର ତ୍ରିପାଠୀ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ମ୍ୟାଟ୍ରିକ ବୋର୍ଡ଼ ପରୀକ୍ଷାରେ ସର୍ବାଧିକ ମାର୍କ ରଖିଥିବା ୩ ଜଣ ବାଳିକାଙ୍କୁ ‘ସୁଷମା ମଞ୍ଜରୀ ସ୍ମୃତି ସମ୍ମାନ ୨୦୨୧-୨୨’, ଜଣେ ମେଧାବୀ ଛାତ୍ରୀଙ୍କୁ ‘ଉକିଆ ବଗର୍ତ୍ତି ମେଧା ବୃତ୍ତି’ ତଥା ବୋର୍ଡ଼ ପରୀକ୍ଷାରେ ସର୍ବୋଚ୍ଚ ମାର୍କ ରଖିଥିବା ଶ୍ରେଷ୍ଠ ୩ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ସ୍ୱରୂପ ୫୦୦୦ ଟଙ୍କାର ଅର୍ଥରାଶି ପ୍ରଦାନ କରିବା ସହିତ ବିଦ୍ୟା ମନ୍ଦିରର କୃତି ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ବିଭାଗରେ ପୁରସ୍କାର ପ୍ରଦାନ କରାଯାଇଥିଲା ।

ସେହିପରି ଶ୍ରେଷ୍ଠ ଆଚାର୍ଯ୍ୟ ଭାବରେ ସୁରଥ ସାହୁ ଓ ଆଚାର୍ୟ୍ୟା ଭାବରେ ଅର୍ଚ୍ଚନା ଦାଶଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ସ୍ୱାମୀଜୀଙ୍କ ଜନ୍ମ ଦିବସ ଉପଲକ୍ଷେ କୃତି ଛାତ୍ରଛାତ୍ରୀଂକୁ ଜିଲ୍ଲାସ୍ତରୀୟ ‘ପ୍ରଜ୍ଞା ପୁରସ୍କାର’ ମଧ୍ୟ ବିତରଣ କରାଯାଇଥିଲା । ପରେ ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା । ଏହି ସମସ୍ତ କାର୍ୟ୍ୟକ୍ରମକୁ ବିଶ୍ୱାତ୍ମ ବିଦ୍ୟା ମନ୍ଦିରର ସଂଯୋଜକ ସମ୍ବିତ୍ କୁମାର ସଂଯୋଜନା କରିଥିଲେ । ଏତଦ୍‌ବ୍ୟତୀତ ସ୍ୱାମୀଜୀ ମହାରାଜଙ୍କ ୬୭ତମ ଜନ୍ମ ଦିବସ (୧୦ସେପ୍ଟେମ୍ବର ୨୦୨୨) ଉପଲକ୍ଷେ ବିଶ୍ୱାତ୍ମ ବିଦ୍ୟା ମନ୍ଦିର, ଆନନ୍ଦ ନିକେତନ ଆଶ୍ରମ, ବଲାଙ୍ଗିର ପରିସରରେ ଏକ ରକ୍ତଦାନ ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା । ରାଜ୍ୟସଭା ସଦସ୍ୟ ନିରଞ୍ଜନ ବିଶି, ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଶ୍ୱାତ୍ମ ଚେତନା ପରିଷଦ ଦ୍ୱାରା ଏହି ରକ୍ତଦାନ ଶିବିର ଉଦ୍‌ଘାଟନ କରି ଏହି ମହତ୍ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ । ରକ୍ତଦାନ ଶିବିରରେ ୬୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟା ମନ୍ଦିରର ସଭାପତି ଗଜେନ୍ଦ୍ର ତ୍ରିଭୂବନ ଦାସ ଭମ୍ମର, ସମ୍ପାଦକ ନବୀନ ବେଦବାକ ଉପସ୍ଥିତ ଥିଲେ । ସାମାଜିକ କର୍ମୀ ବିଷ୍ଣୁ ପ୍ରସାଦ କେଡିଆ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ବିଶ୍ୱାତ୍ମ ଚେତନା ପରିଷଦର ସାଧାରଣ ସମ୍ପାଦକ ସ୍ୱାମୀ ସତ୍ୟବେଦାନନ୍ଦ ସରସ୍ଵତୀ ସଂଯୋଜନା କରିଥିଲେ ।

Leave A Reply

Your email address will not be published.

four × 5 =