pakka

ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଛାଡି ଶଙ୍ଖ ଧରିବା ନେଇ ଚର୍ଚ୍ଚା : ପ୍ରାଥମିକ ସଦସ୍ୟ ଓ ଜିଲ୍ଲା କଂଗ୍ରେସ ସଭାପତି ପଦବୀରୁ ଇସ୍ତଫା

bbehera
  • ବଲାଙ୍ଗିର ସାଂସଦ ଟିକେଟ୍‌କୁ ନେଇ ଚର୍ଚ୍ଚା

ସଇଁତଲା, (ପ୍ରମୋଦ ସେଲମା) : ଦୀର୍ଘ ୩୮ ବର୍ଷଧରି କଂଗ୍ରେସରେ ରହି ଆସିଥିବା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳ ଛାଡିଛନ୍ତି । ସେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି । ପିସିସି ସଭାପତିଙ୍କ ଜରିଆରେ ପଠାଇଥିବା ପତ୍ରରେ ନିଜର ବ୍ୟକ୍ତିଗତ କାରଣ ପାଇଁ ଦଳ ଛାଡୁଥିବା ଉଲ୍ଲେଖ କରିଛନ୍ତି । ଶ୍ରୀ ସିଂ ଭୋଇ ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟିର ସଭାପତି ଭାବେ କାର୍ଯ୍ୟରତ ଥିଲେ । ସେ ଦଳର ପ୍ରାଥମିକ ସଦସ୍ୟ ପଦବୀ ସମେତ ଜିଲ୍ଲା କଂଗ୍ରେସ କମିଟି ସଭାପତି ଓ ଏଆଇସିସି ସଦସ୍ୟ ପଦବୀରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ବର୍ତ୍ତମାନ ନିର୍ବାଚନକୁ ନେଇ ରାଜନୈତିକ ପାଣିପାଗ ସରଗରମ ହୋଇ ଉଠିଥିବା ବେଳେ ସୁରେନ୍ଦ୍ର ସିଂ ଭୋଇଙ୍କ ଇସ୍ତଫା ବଲାଙ୍ଗିର ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି । ଶ୍ରୀ ସିଂ ଭୋଇ ୧୯୮୬ ମସିହାରେ କଂଗ୍ରେସ ଦଳରେ ଯୋଗଦାନ କରିଥିଲେ । ୧୯୯୦ ମସିହାରେ କଂଗ୍ରେସ ଦଳରୁ ଟିକେଟ୍‌ ପାଇ ଯଜ୍ଞଶ୍ଵର ବାବୁଙ୍କଠାରୁ ପରାଜିତ ହୋଇଥିଲେ । ୧୯୯୫ ମସିହାରେ ସଇଁତଲା ନିର୍ବାଚନ ମଣ୍ଡଳୀରୁ ଯଜ୍ଞଶ୍ଵର ବାବୁଙ୍କୁ ହରାଇ କଂଗ୍ରେସ ଦଳ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୯୮ ମସିହାରେ ମଧ୍ୟ ବିଜୟୀ ହୋଇ ଜଙ୍ଗଲ ଓ ପରିବେଶ ବିଭାଗର ମନ୍ତ୍ରୀ ହୋଇଥିଲେ । ୨୦୦୪ ମସିହାରେ କଳିକେଶ ନାରାୟଣ ସିଂ ଦେଓଙ୍କଠାରୁ ପରାଜିତ ହୋଇଥିଲେ ସୁରେନ୍ଦ୍ର ସିଂ ଭୋଇ । ୨୦୦୯ ମସିହାରେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ଯୋଗେନ୍ଦ୍ର ବେହେରାଙ୍କୁ ହରାଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୩ ମସିହାରେ ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ମଧ୍ୟ ହୋଇଥିଲେ । ବର୍ତ୍ତମାନ ସେ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପଦବୀରେ ଥିଲେ । ଆଜି ତାଙ୍କ ସମର୍ଥକମାନଙ୍କ ଉପସ୍ଥିତି ଏକ ଶୋଭାଯାତ୍ରା ବାହାରି ଭୁବନେଶ୍ୱର ଶଙ୍ଖ ଭବନରେ ପହଂଚି ବିଜେଡି ଦଳରେ ସାମିଲ ହେବେ ବୋଲି ଜଣାପଡିଛି । ସେ ବଲାଙ୍ଗିର ବିଜେଡି ସାଂସଦ ପାଇଁ ଆଶାୟୀ ଥିବା ନେଇ ଚର୍ଚ୍ଚା ହେଉଥିବା ଜଣାପଡିଛି ।

Leave A Reply

Your email address will not be published.

11 − 8 =