
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ ହାଇସ୍କୁଲ୍ ଏବଂ ଏମ୍ଇ ସ୍କୁଲରେ ଦୀର୍ଘଦିନ ଧରି ଶିକ୍ଷକ ଅଭାବ ଲାଗି ରହିଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବ୍ୟାହତ ହେଉଥିବା ଅଭିଯୋଗ ହେଉଛି । ବାରମ୍ବାର ପ୍ରଶାସନକୁ ଜଣାଇବା ସତ୍ତ୍ୱେ କୌଣସି ପଦକ୍ଷେପ ନିଆ ନ ଯିବାରୁ ସ୍ଥାନୀୟ ଲୋକେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଥିଲେ । ଧାରଣାରେ ଅଭିଭାବକ, ମହିଳା, ଯୁବକ ଯୁବତୀ ଓ ବୁଦ୍ଧିଜୀବୀଙ୍କ ସମେତ ବହୁ ସଂଖ୍ୟକ ଗ୍ରାମବାସୀ ଯୋଗ ଦେଇଥିଲେ । ଆନ୍ଦୋଳନକାରୀ ମାନଙ୍କ କହିବା ମୁତାବକ ଶିକ୍ଷକ ଅଭାବ ଯୋଗୁଁ ଛାତ୍ରଛାତ୍ରୀମାନେ ଉଚିତ ଶିକ୍ଷା ପାଇପାରୁ ନାହାନ୍ତି ଏବଂ ସେମାନଙ୍କ ଭବିଷ୍ୟତ ଅନ୍ଧକାର ଦିଗକୁ ଗତି କରୁଛି । ତେଣୁ ତୁରନ୍ତ ଖାଲି ପଦବୀ ପୂରଣ କରି ଆବଶ୍ୟକ ଶିକ୍ଷକ ନିଯୁକ୍ତି କରିବାକୁ ସେମାନେ ଦାବି ଜଣାଇଥିଲେ । ଏଥିସହିତ ସରକାରଙ୍କ ତରଫରୁ ମିଳୁଥିବା ବିଭିନ୍ନ ମାଗଣା ଯୋଜନା ଫେରେଇ ନେଇ ପ୍ରତି ବଦଳରେ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ବ୍ୟବସ୍ଥା କରିବାକୁ ଦାବି କରିଥିଲେ । ଖବର ପାଇ ଲୋଇସିଂହା ବିଡିଓ ଅକ୍ଷୟ ପାଣି ଉଡୁ ଓ ବ୍ଲକଶିକ୍ଷା ଅଧିକାରୀ ଧାରଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ । ଏଥିସହିତ ଆସନ୍ତା ତିନିଦିନ ମଧ୍ୟରେ ଶିକ୍ଷକ ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇ ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି ଉଭୟ ଅଧିକାରୀ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି । ପ୍ରଶାସନର ପ୍ରତିଶ୍ରୁତି ପରେ ପଞ୍ଚାୟତବାସୀ ଧାରଣା ପ୍ରତ୍ୟାହାର କରିଥିଲେ । ସେହି ସମାନ ଦାବିରେ ମଧ୍ୟାହ୍ନ ଭୋଜନ ବର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଉଭୟ ବିଡ଼ିଓ ତଥା ବିଇଓ ସାକ୍ଷାତ କରି ବୁଝାସୁଝା କରିଥିବା ଜଣାଯାଇଛି । ତେବେ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଦାବି ପୂରଣ ନ ହେଲେ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇ ଗଣଧାରଣା ଦିଆଯିବ ବୋଲି ଶିକ୍ଷା ବିକାଶ କମିଟି ସମ୍ପାଦକ ହୃଷୀକେଶ ଗଡତ୍ୟାଙ୍କ ସମେତ ସ୍ଥାନୀୟ ବାସିନ୍ଦା ଚେତାବନୀ ଦେଇଛନ୍ତି ।
