ଗଛ ମୂଳରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଘଟଣା : ନିଦାବିଷ୍ଣୁ ଶିକ୍ଷା ବିଭାଗ, ଖବର ପ୍ରସାରଣ ପରେ ଗଣମାଧ୍ୟମ ପ୍ରତିନିଧି ଉପରେ ମାନହାନୀ ମକଦ୍ଦମା ଧମକ

  • ଘଟଣାକୁ ନେଇ ଆନ୍ଦୋଳନ ଚେତାବନୀ ଦେଇଛନ୍ତି କୋଶଳ ମୁକ୍ତି ମୋର୍ଚ୍ଚା

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ମଣ୍ଡଳ ପଞ୍ଚାୟତ ସିଲିଙ୍ଗପଡାରେ ଦୀର୍ଘ ୫ ବର୍ଷରୁ ଅଧିକ ଦିନ ହେବ ଛାତ୍ରଛାତ୍ରୀମାନେ ଗଛମୂଳେ ପାଠ ପଢ଼ୁଛନ୍ତି । ଏନେଇ ବ୍ଲକ ଶିକ୍ଷା ଅଧିକାରୀମାନେ ସବୁ ଜାଣିଥିଲେ ବି କୌଣସି ଆଖି ଦୃଶିଆ କାମ କରୁନାହାନ୍ତି । ନିଦାବିଷ୍ଣୁ ସାଜିଛି ଶିକ୍ଷା ବିଭାଗ । ଅନ୍ୟ ପଟେ ଏପରି ଏକ ସମ୍ବେଦନଶୀଳ ଘଟଣାକୁ ଗଣମାଧ୍ୟମରେ ପ୍ରକାଶ କରିବା ପରେ ଶିକ୍ଷୟତ୍ରୀଙ୍କ ସମ୍ପର୍କୀୟମାନେ ସାମ୍ବାଦିକମାନଙ୍କୁ ଫୋନ କରି‌ ମାନହାନି ମକଦ୍ଦମା କରିବାକୁ ଧମକ ଚମକ ଦେଉଥିବା ଜଣାପଡିଛି । ଯାହାକୁ ନେଇ କୋଶଳ ମୁକ୍ତି ମୋର୍ଚ୍ଚା ତରଫରୁ କଡା ବିରୋଧ କରିବା ସହ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆନଗଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ମଣ୍ଡଳ ସିଲିଙ୍ଗପଡାରେ ସ୍କୁଲ ଗୃହ ନଥିବାରୁ ଦୀର୍ଘ ୫ ବର୍ଷରୁ ଅଧିକ ହେବ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୩୦ ଜଣ ଛାତ୍ରଛାତ୍ରୀ ଗଛ ମୂଳେ ପାଠ ପଢ଼ୁଛନ୍ତି । ଏପରିକି ଖରା ବର୍ଷା ଶୀତ କାକରରେ ଛାତ୍ରଛାତ୍ରୀମାନେ ଗଛମୂଳରେ ପାଠ ପଢ଼ୁଛନ୍ତି । ଖୋଲା ଆକାଶ ତଳେ ପାଠ ପଢ଼ୁଥିବାରୁ ବହୁ ଛାତ୍ର ଛାତ୍ରୀ ସ୍କୁଲ ମଧ୍ୟ ଆସୁନାହାନ୍ତି । ଅନ୍ୟପଟେ ସ୍କୁଲ ଗୃହ ହେବା ପର୍ଯ୍ୟନ୍ତ ପଡ଼ାରେ ଥିବା ଏକ କଚା ଘରେ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ଦାବୀ କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଗାଁ ଲୋକମାନେ ଅଭିଯୋଗ କରିଛନ୍ତି । ସରକାର ଗ୍ରାମାଞ୍ଚଳରେ ଥିବା ସ୍କୁଲମାନକୁ ୫ଟି ଅଧିନରେ ଆଣି ସ୍କୁଲମାନଙ୍କର ରୁପାନ୍ତର କରୁଛନ୍ତି । ସହର ଭଳି ଗାଁରେ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କୁ ଉନ୍ନତ ମାନର ପରିବେଶରେ ଶିକ୍ଷାଦାନ କରିବାକୁ ଲକ୍ଷ ରଖିଛନ୍ତି କିନ୍ତୁ ଗଛ ମୂଳେ କିପରି ସରକାରୀ ସ୍କୁଲ କେମିତି କାହା ନଜରରେ ଦେଖାଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ ଏବଂ ଆଗାମୀ ଦିନରେ ଏହାର ସମାଧାନ କରାନଗଲେ ଆନ୍ଦୋଳନ ଚେତାବନୀ ଧମକ ଦେଇଛନ୍ତି କୋଶଳ ମୁକ୍ତି ମୋର୍ଚ୍ଚାର ଆବାହକ ମଣ୍ଡଳୀ । ଏନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Leave A Reply

Your email address will not be published.

1 × 5 =

error: Content is protected !!