om academy

ଦେଓଗାଁ ବ୍ଲକରେ ଅଧାପନ୍ତରିଆ ପଡ଼ିଲା ଧାନ ଚାଷ : ଠିକ୍‌ ସମୟରେ ବର୍ଷା ନ ହେଲା, ପଡ଼ିଆ ପଡ଼ିଲା ସାଢ଼େ ୧୧ଶହ ହେକ୍ଟର ଜମି

jsm

ଦେଓଗାଁ, (ମନୀଷ କୁମାର ସାହୁ) : ଚଳିତ ବର୍ଷ ଦେଓଗାଁ ବ୍ଳକରେ ଧାନ ଚାଷକୁ ନେଇ ଚିନ୍ତାରେ ଚାଷୀ । ଠିକ୍‌ ସମୟରେ ପାଣି ଅଭାବରୁ ଧାନ ଚାଷ ଜମି ପଡ଼ିଆ ପଡ଼ିଥିବା ତଳିକୁ ରୋପଣ କରାଯାଇ ପାରି ନାହିଁ, ହେଲେ ନୂଆଁଖାଇ ରାତିରୁ ଲଗାତାର ଭାବେ ବର୍ଷା ହୋଇଥିବାରୁ ପୂର୍ବରୁ ଅମଳ ପ୍ରସ୍ତୁତ ହୋଇଥିବା ଧାନ ଚାଷ ପାଇଁ ଶୁଭଙ୍କର ହେବାକୁ ଥିବା ବେଳେ ପଡ଼ିଆ ପଡ଼ିଥିବା ଜମି ପାଇଁ କିଛି କାମରେ ଲାଗିବ ନାହିଁ ବୋଲି କୃଷି ବିଭାଗର ଅଧିକାରୀମାନେ ମତ ପ୍ରଦାନ କରିଛନ୍ତି । ପୂର୍ବରୁ ଚାଷୀ ବର୍ଷାକୁ ଅପେକ୍ଷା କରି କରି ଶେଷରେ ଚାଷରୁ ମୁହଁ ମୋଡି ଦେଇଥିଲା । ହେଲେ ନୂଆଁଖାଇ ପରଦିନରୁ ୨ଦିନ ଲଗାତାର ବର୍ଷା ହେବାରୁ ପୂର୍ବରୁ ଚାଷ କାମ ଛାଡିଥିବା ଚାଷୀ ମୁଣ୍ଡରେ ହାତ ଦେଇ ବସିଛି ।
ସୂଚନା ଯୋଗ୍ୟ ଯେ, ଦେଓଗାଁ ବ୍ଳକର ମୋଟ ୨୦ହଜାର ୧୭୫ହେକ୍ଟର ଚାଷ ଜମି ମଧ୍ୟରୁ ୧୦,୫୦୦ହେକ୍ଟର ଜମିରେ ଧାନ ଚାଷ କରିବା ପାଇଁ କୃଷି ବିଭାଗ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ୧୦,୫୦୦ହେକ୍ଟର ମଧ୍ୟରୁ ୬୪୪୫ ହେକ୍ଟରରେ ବୁଣିବାକୁ ଓ ୪୦୫୫ ହେକ୍ଟରରେ ରୋପଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ୬୪୪୫ହେକ୍ଟର ବୁଣା ମଧ୍ୟରୁ ୫୫୨୦ହେକ୍ଟର ଜମିରେ ବୁଣା ଯାଇଛି ଓ ତନ୍‌ମଧ୍ୟରୁ ୧୭୯୦ହେକ୍ଟର ଜମିରେ ବେଉଷଣ ହୋଇପାରିନାହିଁ । ସେହିପରି ୪୦୫୫ହେକ୍ଟର ଜମିରେ ରୋପଣ ପାଇଁ ପହ୍ଲାପକା ଶେଷ ହୋଇଥିଲା । ତନ୍‌ମଧ୍ୟରୁ ୩୨୩୦ହେକ୍ଟର ଜମିରେ ରୋପଣ କରାଯାଇଥିବା ବେଳେ ପାଣି ଅଭାବରୁ ୮୨୫ହେକ୍ଟର ଜମିରେ ପହ୍ଲା ରୁଆ ହୋଇପାରିନାହିଁ । ମୋଟ ଧାନ ଚାଷ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ୧୦୫୦୦ହେକ୍ଟର ଜମି ମଧ୍ୟରୁ ରୁଆ ଓ ବୁଣା ମିଶି ୧୧୫୦ହେକ୍ଟର ଚାଷ ଜମିରେ ପାଣି ଅଭାବରୁ ଚାଷ କରାଯାଇନଥିବା ଜଣାପଡ଼ିଛି । ନୂଆଁଖାଇ, ନୂଆଁଖାଇ ବାସୀ ପରେ ଲଗାତାର ଭାବେ ବର୍ଷା ହେବା ସତ୍ୱେ ପଡ଼ିଆ ପଡ଼ିଥିବା ଜମିରେ ଆଉ ଚାଷ ହୋଇପାରିବନାହିଁ । ତେଣୁ ଏହି ଚାଷୀଙ୍କୁ ସରକାର ସହାୟତା ସହ ବିକଳ୍ପ ଚାଷ କରିବା ପାଇଁ ପ୍ରୋତ୍ସାହନ ଯୋଗାଇ ଦେବାକୁ ଚାଷୀ ମହଳରେ ଦାବୀ ହେଉଛି ।

Leave A Reply

Your email address will not be published.