pakka

ଓଡ଼ିଶାର ବିଶିଷ୍ଟ ଗଣକ ଜ୍ୟୋତିର୍ବିଦ ବାଚସ୍ପତି ପଣ୍ଡିତ ନରସିଂହ ଶତପଥୀଙ୍କ ଦେହାନ୍ତ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ଜଣେ ପ୍ରତିଷ୍ଠିତ ଜ୍ୟୋତିଷ ବିଶାରଦ, ଗଣକ, କର୍ମକାଣ୍ଡ ବିଶାରଦ, ଓଡ଼ିଶାରେ ପ୍ରକାଶିତ ଏକ ମାତ୍ର ନିର୍ଭରଯୋଗ୍ୟ ସୁପ୍ରସିଦ୍ଧ ରାଧାରମଣ ପଞ୍ଜିକାର ପ୍ରକାଶକ ଜ୍ୟୋତିର୍ବିଦ ବାଚସ୍ପତି ପଣ୍ଡିତ ନରସିଂହ ଶତପଥୀଙ୍କ ଦେହାନ୍ତ ହୋଇଯାଇଥିବା ଖବର ମିଳିଛି । ସେ ଦୀର୍ଘଦିନ ଧରି ଅସୁସ୍ଥତା ଭିତ୍ତିରେ ଗତିକରି ଆସି ଦୀର୍ଘଦିନ ଭୁବନେଶ୍ୱରସ୍ଥ ସୋମ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ସେ ଗୁରୁବାର ରାତ୍ର ୧୦ଘଣ୍ଟା ସମୟରେ ବ୍ରହ୍ମପୁରର ଏକ ଘରୋଇ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଥାଇ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବୋଲି ଜଣାପଡିଛି । ତାଙ୍କ ନିଜ ଜନ୍ମସ୍ଥାନ ଗଞ୍ଜାମ ଜିଲ୍ଲାର ହୁମ୍ମା ନିକଟସ୍ଥ ଖଟିଆ ରାମଚନ୍ଦ୍ରପୁରରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି ବୋଲି ତାଙ୍କ ଭିଣୋଇ ଜ୍ୟୋତିଷ ବିଶାରଦ ପଣ୍ଡିତ ବଟକୃଷ୍ଣ ତ୍ରିପାଠୀ ଜଣାଇଛନ୍ତି । ଶୁକ୍ରବାର ତାଙ୍କ ଅନ୍ତେଷ୍ଟିକ୍ରିୟାରେ ଶୋକାକୁଳ ପରିବେଶ ମଧ୍ୟରେ ବହୁ ବନ୍ଧୁବର୍ଗ, ମାନ୍ୟଗଣ୍ୟ ପଣ୍ଡିତଗଣ, ବହୁ ନେତ୍ତୃବର୍ଗ ଯୋଗଦେଇ ସ୍ୱର୍ଗତ ଆତ୍ମାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳିର ସହ ସମ୍ମାନ ଜଣାଇଥିଲେ । ତାଙ୍କ ବିୟୋଗରେ ଓଡ଼ିଶାର ଜଣେ ଉଜ୍ଵଳ ତାରକା ହରାଇଲା ବୋଲି ବହୁ ବିଜ୍ଞ ସାଧୁଜନ ମତବ୍ୟକ୍ତ କରଛନ୍ତି । ଜ୍ୟୋତିର୍ବିଦ ଡ଼ଃ.ପ୍ରମୋଦ କୁମାର ପାତ୍ର ଭୁବନେଶ୍ୱରରୁ ତାଙ୍କ ଉଦ୍ଦେଶ୍ୟରେ ଗଭୀର ଶୋକବ୍ୟକ୍ତ କରି ଶୋକ ସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇବା ସ୍ୱରୂପ ଏକ ବାର୍ତ୍ତା ଦେଇଛନ୍ତି ।

ମୃତ୍ୟୁବେଳକୁ ତାଙ୍କୁ ୮୩ବର୍ଷ ବୟସ ହୋଇଥିଲା । ସେ ସିଦ୍ଧାନ୍ତ ଦର୍ପଣକୁ ଆଧାର କରି ଦୀର୍ଘ ୬୫ବର୍ଷ କାଳ ଦୃକସିଦ୍ଧି ପଞ୍ଜିକା “ରାଧାରମଣ ପଞ୍ଜିକା” ପ୍ରତିବର୍ଷ ମୁଦ୍ରଣ କରି ଓଡ଼ିଶାର ତଥା ଭାରତ ବର୍ଷରେ ଓଡ଼ିଆ ପଞ୍ଜିକା ଗବେଷଣା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରି ସମାଜରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ । ୧୯୪୦ ମସିହାରେ ଗଞ୍ଜାମ ଜିଲ୍ଲାର ହୁମ୍ମା ନିକଟସ୍ଥ ଖଟିଆ ରାମଚନ୍ଦ୍ରପୁର ଶାସନରେ ସେ ଜନ୍ମଗ୍ରହଣ କରିଥିଲେ । ପିତା ଯୋଗଜନ୍ମା ପଣ୍ଡିତ ସ୍ୱର୍ଗତ ରାଜୀବ ଶତପଥୀ, ମାତା ସ୍ୱର୍ଗତ ତିଳୋତ୍ତମା ଦେବୀଙ୍କର ସେ ଏକ ମାତ୍ର ପୁତ୍ର ଥିଲେ । ସେ ୧୪ବର୍ଷ ବୟସରରୁ ପାଞ୍ଜି ଗଣନା କ୍ଷେତ୍ରରେ ପିତାଙ୍କୁ ସହଯୋଗ କରି ଆସି ଆଜି ସୁଦ୍ଧା ସେ ପ୍ରସିଦ୍ଧ ରାଧାରମଣ ପଞ୍ଜିକାର ପ୍ରକାଶନ ଦାୟିତ୍ୱ ତୁଳାଇ ଆସିଥିଲେ । ସୂଚନା ଥାଉକି, ପ୍ରସିଦ୍ଧ ରାଧାରମଣ ପଞ୍ଜିକାର ପ୍ରକାଶନର ପ୍ରତିଷ୍ଠାତା ତାଙ୍କ ପିତା ସ୍ୱର୍ଗତ ରାଜୀବ ଶତପଥୀ ଅଟନ୍ତି । ଅଧୂନା ଏହି ଦାୟିତ୍ୱରେ ଏବେ ପଣ୍ଡିତ ନରସିଂହ ଶତପଥୀଙ୍କ ପୁତ୍ର ସ୍ୱର୍ଣ୍ଣପଦକ ପ୍ରାପ୍ତ ସିଦ୍ଧାନ୍ତ ଜ୍ୟୋତିଷ ଆଚାର୍ଯ୍ୟ ସଞ୍ଜୟ ଶତପଥୀ ଓ ବୋହୂ ଶର୍ମିଳା ମିଶ୍ର ଅଦ୍ୟାବଧି ଦାୟିତ୍ୱ ବହନ କରି ଆସୁଛନ୍ତି ।

Leave A Reply

Your email address will not be published.

four × three =