pakka

ଧରାପଡ଼ିଲେ ଡକାୟତ ଦଳ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରପାଲି ଥାନା ପୋଲିସ ଏକ ଡକାୟତ ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ବରପାଲି ଥାନା ବନ୍ଧପାଲି ଗ୍ରାମର ଅକ୍ଷୟ ମହାନନ୍ଦ(୨୨), ଗୁପେ ଓରଫ ପୂର୍ଣ୍ଣଚନ୍ଦ୍ର ସାହୁ(୨୨) ଏବଂ ବିଶ୍ୱନାଥ ମହାନନ୍ଦ(୧୯) । ସେମାନଙ୍କ ବିରୋଧରେ ବରପାଲି ଥାନାରେ ଦଫା ୩୯୫ ଆଇପିସିରେ ମାମଲା(୧୯୫/୨୨) ରୁଜୁ ହୋଇଛି । ଏହି ଗ୍ୟାଙ୍ଗର ଅନ୍ୟ ୩ ଅଭିଯୁକ୍ତ ଫେରାର୍‌ ଥିବା ଯୋଗୁଁ ସେମାନଙ୍କୁ ଗିରଫ ପାଇଁ ତନାଘନା ଚାଲିଥିବା ପୋଲିସ ସୂଚନା ଦେଇଛି । ଆଜି ବରପାଲି ଥାନାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ବରଗଡ଼ ଏସଡ଼ିପିଓ ଦୀପକ କୁମାର ଗୋଚ୍ଛାୟତ କହିଛନ୍ତି ଯେ, ଗତ ୨୦ ତାରିଖ ସନ୍ଧ୍ୟା ପ୍ରାୟ ୭ଟାରେ ମେଲଛାମୁଣ୍ଡା ଥାନା ଗୁଦେରପାଲି ଗ୍ରାମର ଯୋଗେଶ୍ୱର ପଟେଲ ଏକ ବାଇକ(ନଂ-ଓଡ଼ି୧୭ଜେ ୬୮୭୬) ଯୋଗେ ସୁବର୍ଣ୍ଣପୁର ଜିଲ୍ଲା ରାମପୁରରୁ ନିଜ ଘରକୁ ଫେରୁଥିଲେ । ବାଟରେ ବନ୍ଧପାଲି ବ୍ରିଜ ନିକଟରେ ଗିରଫ ୩ ଅଭିଯୁକ୍ତଙ୍କ ସମେତ ଅନ୍ୟ ୩ଜଣ ତାଙ୍କୁ ଛୁରି ଦେଖାଇ ଭୟଭୀତ କରିଥିଲେ । ପରେ ତାଙ୍କ ବାଇକ ଏବଂ ମୋବାଇଲ ନେଇ ଫେରାର୍‌ ହୋଇଯାଇଥିଲେ । ଏ ନେଇ ଯୋଗେଶ୍ୱର ବରପାଲି ଥାନାରେ ଏତଲା ଦେବା ପରେ ପୋଲିସ ଉପରୋକ୍ତ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଗୁରୁବାର ଅଭିଯୁକ୍ତ ଅକ୍ଷୟ ଏବଂ ଗୁପେଙ୍କଠାରୁ ବାଇକ୍‌ ଜବତ କରିବା ସହିତ ସେମାନଙ୍କୁ ଗିରଫ କରାଯାଇଥିଲା । ଆଜି ଅନ୍ୟ ଅଭିଯୁକ୍ତ ବିଶ୍ୱନାଥଙ୍କୁ ଗିରଫ କରାଯାଇଥିଲା । ଫେରାର୍‌ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଚାଲିଛି ବୋଲି ଏସଡ଼ିପିଓ ଗୋଚ୍ଛାୟତ କହିଥିଲେ । ତେବେ ଗିରଫ ଅକ୍ଷୟ ଜଣେ ପେଶାଦାର ଅପରାଧୀ ଏବଂ ତାଙ୍କ ବିରୋଧରେ ବିଜେପୁର ଥାନାରେ ଗୋଟିଏ ଲୁଟ୍‌ ଏବଂ ରାମପୁର ଥାନାରେ ୩ଟି ଡକାୟତି ମାମଲା ରହିଥିବା ଏସଡ଼ିପିଓ ସୂଚନା ଦେଇଥିଲେ । ବରପାଲି ଥାନା ଅଧିକାରୀ ରୋଜାଲିନ ପଟେଲ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

6 + seventeen =