ଠିକା କର୍ମଚାରୀଙ୍କୁ ନବୀନ ନିବାସରୁ ଆସିଲା ଡ଼ାକରା : ହୋଇପାରେ ବଡ଼ ଘୋଷଣା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଖୁବଶୀଘ୍ର ଠିକା କର୍ମଚାରୀଙ୍କୁ ଏକ ବଡ ଆଶ୍ୱସ୍ତି ମିଳିଛି । ଦୀର୍ଘ ଦିନ ପରେ ସେମାନଙ୍କୁ ନବୀନ ନିବାସରୁ ଡାକରା ଆସିଛି । ମିଳିଥିବା ସୂଚନା ଅନୁସାରେ ଗୁରୁବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଠିକା କର୍ମଚାରୀ ସଂଘର ପ୍ରତିନିଧିଙ୍କ ମଧ୍ୟରେ ବୈଠକ ହେବ । ଏହି ବୈଠକରେ ସଂଘର ଦାବୀ ଉପରେ ଆଲୋଚନା କରାଯିବ ଓ କିଛି ନିଷ୍କର୍ଷ ବାହାରିବ ବୋଲି ଚର୍ଚ୍ଚା ହେଉଛି । ଠିକା କର୍ମଚାରୀଙ୍କ ଦାବୀକୁ ରାଜ୍ୟ ମୁଖିଆ ଗ୍ରହଣ କରିବା ସ୍ୱରୂପ ସଂଘର ବରିଷ୍ଠ ସଦସ୍ୟମାନଙ୍କୁ ଡାକିଥିବା କୁହାଯାଉଛି ।

ସୂଚନା ଯୋଗ୍ୟ ଯେ, ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମ ଉଚ୍ଛେଦ ଏବଂ ଚୁକ୍ତି ସମୟକୁ ମୂଳ ଚାକିରିରେ ଯୋଗ ଆଦି ୨ଟି ମୁଖ୍ୟ ଦାବୀ ନେଇ ଠିକା କର୍ମଚାରୀମାନେ ଆନ୍ଦୋଳନ କରୁଛନ୍ତି । ସରକାର ଜାଣିଶୁଣି ସମୟ ଗଡାଇ ନେଉଛନ୍ତି । ମୁଖ୍ୟମନ୍ତ୍ରୀ ଏଥର ଆଲୋଚନା ପାଇଁ ଡାକିଛନ୍ତି । ଯଦି ଏଥର ଆମ ଦାବୀ ପୂରଣ ନ ହୁଏ ତେବେ ଆନ୍ଦୋଳନ ଜୋରଦାର ହେବ ବୋଲି ରାଜ୍ୟ ସରକାରୀ ଠିକା କର୍ମଚାରୀ ସଙ୍ଘ କହିଛି । ସରକାରଙ୍କ ଠିକା ନିଯୁକ୍ତି ନୀତି ଉଚ୍ଛେଦ ଦାବୀରେ ଗତ ଅଗଷ୍ଟ ମାସରୁ ୭୦ ହଜାର ସରକାରୀ ଠିକା କର୍ମଚାରୀ ଆନ୍ଦୋଳନ କରୁଛନ୍ତି । ଗତ ସେପ୍ଟେମ୍ବର ୧୧ ତାରିଖରେ ଲୋକସେବା ଭବନ ଆଗରେ ୪୦ ହଜାର ଠିକା କର୍ମଚାରୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Leave A Reply

Your email address will not be published.