ଗୋଟିଏ ନାବାଳିକା ଶିଶୁ ସମେତ ୫ ଜଣ ଦାଦନ ଶ୍ରମିକ ଉଦ୍ଧାର

  • ଫେରାର ଥିବା ମୁଖ୍ୟ ଦାଦନ ସର୍ଦ୍ଦାର ଗିରଫ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ଥାନା ଓଡ଼ିଆପାଲି ପଞ୍ଚାୟତ କରଲାବହାଲି ଠାରେ ପେଟ୍ରୋଲିଂ ବେଳେ ପୋଲିସ ଗୋଟିଏ ଶିଶୁ ସମେତ ପାଞ୍ଚ ଜଣ ଦାଦନ ଶ୍ରମିକଙ୍କୁ ମଙ୍ଗଳବାର ରାତିରେ ଉଦ୍ଧାର କରିଥିବା ଜଣାଯାଇଛି । ସୂଚନା ଅନୁସାରେ ଖପ୍ରାଖୋଲ ଥାନା ଏଏସ୍‌ଆଇ ଗୋପିନାଥ ମହାକୁଡ଼, କନେଷ୍ଟବଲ ସଞ୍ଜୀବ ସାହୁ, ମଞ୍ଜୁ ପଧାନ ଧଣ୍ଡାମୁଣ୍ଡାରୁ କରଲାବହାଲି ରାସ୍ତାରେ ପେଟ୍ରୋଲିଂ କରୁଥିବା ବେଳେ ଗୋଟିଏ ହୋଣ୍ଡା ମୋବିଲିଓ କାର ନଂ ଓଡି୦୨ଜେଡ୍‌ ୦୪୮୪ ଯୋଗେ ଧଣ୍ଡାମୁଣ୍ଡାରୁ କରଲାବହାଲି ରାସ୍ତା ଦେଇ ଦୃତ ଗତିରେ ଯାଉଥିବା ଦେଖିଥିଲେ । ଗାଡିକୁ ଅଟକାଇ ବେଆଇନ ଦାଦନ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲେ । ଶ୍ରମିକ ମାନଙ୍କୁ ପଚରା ଉଚୁରା କଲା ପରେ ସେମାନେ ପ୍ରଥମେ କଣ୍ଟାବାଞ୍ଜି ଏବଂ ପରେ ତିରୁପତି ଯିବା କଥା ପ୍ରକାଶ କରିଥିଲେ । ଏହାପରେ ସମସ୍ତଙ୍କୁ ଖପ୍ରାଖୋଲ ଥାନାକୁ ଅଣାଯାଇଥିଲା । ଶ୍ରମିକମାନେ ଖପ୍ରାଖୋଲ ଥାନା ଅନ୍ତର୍ଗତ ଧଣ୍ଡାମୁଣ୍ଡା ଗ୍ରାମର ବୋଲି ଜଣାଯାଇଥିଲା । ମୋଟ ଚାରିଜଣ ପୁରୁଷ, ଗୋଟିଏ ମହିଳା ଓ ଗୋଟିଏ ନାବାଳିକା ଶିଶୁକୁ ପୋଲିସ ଉଦ୍ଧାର କରି ନିଜ ନିଜ ଘରକୁ ପଠାଇ ଦେଇଥିବା ଜଣାଯାଇଛି । ଦାଦନ ଚାଲାଣ ଅଭିଯୋଗରେ ବେଲପଡା ଥାନା ସର୍ଗିଗୁଡା ଗାଁର ମୁଖ୍ୟ ଦାଦନ ସର୍ଦ୍ଦାର ରିଙ୍କୁ ବାଗ, ଦାଦନ ଦଲାଲ ନିରାକାର ବାଗ ଏବଂ ଗାଡିର ଡ୍ରାଇଭର ନୃପରାଜ ମାଝୀଙ୍କୁ ବେଆଇନ ଦାଦନ ଚାଲାଣ ଅଭିଯୋଗରେ ଖପ୍ରାଖୋଲ ଥାନା କେସ ନଂ ୧୮୩/୨୨ରେ ଏକ ମାମଲା ରୁଜୁ କରି ପାଟଣାଗଡ଼ କୋର୍ଟକୁ ଚାଲାଣ କରାଯାଇଛି । ସେହିପରି ଗତ ଅକ୍ଟୋବର ମାସ ପିଙ୍କି ବସ୍‌ ଯୋଗେ ବେଆଇନ ଭାବେ ୨୨ ଜଣ ଦାଦନ ଶ୍ରମିକଙ୍କୁ ଚାଲାଣ କରୁଥିବା ଖୁଟଲୁମୁଡା ଗ୍ରାମର ମୁଖ୍ୟ ଦାଦନ ସର୍ଦ୍ଦାର ପୁରନ ବାଗ ଫେରାର ଥିବା ବେଳେ ତାଙ୍କୁ ମଧ୍ୟ ମଙ୍ଗଳବାର ରାତିରେ କାବୁ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି । କିଛି ଲୋକଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିଲା ଯେ, ପୁଲିସ ମୁଖ୍ୟ ଦାଦନ ସର୍ଦ୍ଦାର ମାନଙ୍କୁ ଗିରଫ କରୁନାହିଁ କିନ୍ତୁ ମଙ୍ଗଳବାର ରାତିରେ ଦୁଇଜଣ ମୁଖ୍ୟ ଦାଦନ ସର୍ଦ୍ଦାରଙ୍କୁ ଗିରଫ କରିଥିବାରୁ ପୁଲିସ ପ୍ରତି ଜନସାଧାରଣଙ୍କ ପକ୍ଷରୁ ଭୁରି ଭୁରି ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.

five × one =

error: Content is protected !!