jayashree

ଗ୍ରାମସଭାରେ କିଶୋର-କିଶୋରୀଙ୍କ ଦାବିପତ୍ର ଉପସ୍ଥାପନ

  • ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶିଶୁ ସୁରକ୍ଷାକୁ ଜିପିଡିପିରେ ସାମିଲ କରିବାକୁ ଦାବି

ବରଗଡ଼/ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାନ୍ଧୀ ଜୟନ୍ତୀ ଅବସରରେ ଅକ୍ଟୋବର ୨ ତାରିଖ ଦିନ ବରଗଡ଼ ଜିଲ୍ଲାର ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାବାହାଲ ଗ୍ରାମ ପଞ୍ଚାୟତ, ପାଇକମାଲ ବ୍ଲକର ପଲସଦା ଓ କେରମେଲାବାହାଲ ଗ୍ରାମ ପଞ୍ଚାୟତ ଏବଂ ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଭର୍ତ୍ତାବାହାଲ ଗ୍ରାମ ପଞ୍ଚାୟତରେ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା । ଏହି ଗ୍ରାମସଭାଗୁଡ଼ିକରେ କିଶୋର-କିଶୋରୀ ଗୋଷ୍ଠୀର ସଦସ୍ୟମାନେ ସକ୍ରିୟ ଭାବେ ଯୋଗଦେଇ ନିଜ ଅଞ୍ଚଳର ଶିଶୁ ଓ କିଶୋର-କିଶୋରୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ସେମାନେ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶିଶୁ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଦାବିକୁ ଏକ ଦାବିପତ୍ର ମାଧ୍ୟମରେ ଗ୍ରାମସଭାରେ ଉପସ୍ଥାପନ କରିଥିଲେ । କିଶୋର-କିଶୋରୀମାନେ ବିଶେଷ କରି କିଶୋରୀଙ୍କ ରକ୍ତହୀନତା ନିରାକରଣ, ନିୟମିତ IFA ବଟିକା ଓ ସାନିଟାରୀ ନାପକିନ୍ ଉପଲବ୍ଧତା, ପୋଷଣ ସଚେତନତା, ସ୍ୱଚ୍ଛତା ଓ ସୁରକ୍ଷିତ ପାନୀୟଜଳ, ବିଦ୍ୟାଳୟରେ ଆବଶ୍ୟକୀୟ ଭିତ୍ତିଭୂମି ଓ ଶୌଚାଳୟ, ଶିକ୍ଷାରୁ ବଞ୍ଚିତ ଶିଶୁଙ୍କୁ ପୁନଃ ବିଦ୍ୟାଳୟରେ ସାମିଲ କରିବା, ଶିଶୁ ଶ୍ରମ ଓ ଶିଶୁ ବିବାହ ରୋକିବା ଏବଂ ଶିଶୁଙ୍କ ପାଇଁ ସୁରକ୍ଷିତ ପରିବେଶ ସୃଷ୍ଟି ଭଳି ବିଷୟ ଉପରେ ଦାବି ରଖିଥିଲେ । ଗ୍ରାମସଭାରେ ଉପସ୍ଥାପିତ ଏହି ଦାବିଗୁଡ଼ିକୁ ଗ୍ରାମ ପଞ୍ଚାୟତର ଗ୍ରାମ ପଞ୍ଚାୟତ ବିକାଶ ଯୋଜନା (GPDP)ରେ ସାମିଲ କରି ଆଗାମୀ ବର୍ଷର ଯୋଜନା ଓ ବଜେଟରେ ଆବଶ୍ୟକ ବ୍ୟବସ୍ଥା କରିବା ପାଇଁ କିଶୋର-କିଶୋରୀମାନେ ଅନୁରୋଧ କରିଥିଲେ । ଏହି ପଦକ୍ଷେପ ମାଧ୍ୟମରେ ଗ୍ରାମସଭାରେ କିଶୋର-କିଶୋରୀଙ୍କ ଅଂଶଗ୍ରହଣ ବଢ଼ିବା ସହିତ ସେମାନଙ୍କ ସମସ୍ୟା ଓ ଆବଶ୍ୟକତାକୁ ପଞ୍ଚାୟତର ବିକାଶ ଯୋଜନାରେ ସ୍ଥାନ ଦେବାର ଏକ ସୁଯୋଗ ସୃଷ୍ଟି ହୋଇଛି । କିଶୋର-କିଶୋରୀମାନଙ୍କ ଏହି ଅଂଶଗ୍ରହଣ ଏକ ଶିଶୁ-ଅନୁକୂଳ ଓ ଅଧିକ ସମାବେଶୀ ଗ୍ରାମ ପଞ୍ଚାୟତ ଗଠନ ଦିଗରେ ଏକ ସକାରାତ୍ମକ ପଦକ୍ଷେପ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.