
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଚାଷୀଙ୍କ ଧାନବିକ୍ରି ପାଇଁ ରାଜ୍ୟ ସରକାର ଜାରି କରିଥିବା ନିୟମାବଳୀ ତଥା ଚାଷୀ ପଞ୍ଜୀକରଣରେ ଥିବା ଜଟିଳତାକୁ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏନେଇ ଆଜି ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା ସହ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝିଙ୍କୁ ପ୍ରଦାନ କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲାରେ ହାଇଟେକ୍ ସର୍ଭେ ଚାଲୁ ରହିଥିବାରୁ ଚାଷୀମାନେ ମ୍ୟୁଟେସନ କରି ପୂର୍ବପୁରୁଷଙ୍କ ନାଁରେ ଥିବା ଜମିକୁ ନିଜ ନାଁରେ କରାଇ ପାରୁନାହାନ୍ତି । ଅପରପକ୍ଷରେ ଏବେ ଚାଷୀ ଚାଷକାର୍ଯ୍ୟରେ ବ୍ୟସ୍ତ ଥିବାରୁ ସରକାରଙ୍କ ଦ୍ଵାରା ପ୍ରଚଳିତ ଏଗ୍ରିଷ୍ଟାକ ଚାଷୀ ପଞ୍ଜୀକରଣ ନୀତିରେ ଜିଲ୍ଲାର ପ୍ରାୟ ୮୦ରୁ ୯୦ ପ୍ରତିଶତ ଚାଷୀ ଏଥିରୁ ବଞ୍ଚିତ ହେବା ଆଶଙ୍କା ଦେଖାଦେଇଛି । ଏଣୁ ସରକାର ଏଗ୍ରିଷ୍ଟାକ୍ ନିୟମକୁ ବାତିଲ କରିବା, ଆବଶ୍ୟକ ମୁତାବକ ସାର ଓ ବିହନ ତୁରନ୍ତ ଯୋଗାଇବା, ଜିଲ୍ଲାର ସମସ୍ତ ଚାଷୀଙ୍କୁ ବୀମାଭୁକ୍ତ କରିବା, ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇଦେବା, ଜିଲ୍ଲାରେ ଉତ୍ପାଦତି ଫସଲ ସଂରକ୍ଷଣ ନିମନ୍ତେ ଶୀତଳ ଭଣ୍ଡାର ନିର୍ମାଣ କରିବା ଓ ଚାଷୀଙ୍କୁ ଅଭାବୀ ବିକ୍ରିରୁ ରକ୍ଷା କରିବା ଆଦି ଦାବି ରହିଛି । ଯଥାଶୀଘ୍ର ଦାବି ଗୁଡ଼ିକ ପୂରଣ ନହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କିଷାନ କଂଗ୍ରେସ ସେଲ୍ ସଭାପତି ସଂଗ୍ରାମ କେଶରୀ ନାୟକ, ପୂର୍ବତନ ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ବିନୋଦ ପାତ୍ର, ବରିଷ୍ଠ ନେତା ସୁଧିର ପଣ୍ଡା, ଜିତେନ୍ଦ୍ର ପଟ୍ଟନାୟକ, ପ୍ରିୟବ୍ରତ ସାହୁ, ପ୍ରଦୀପ ସେଠୀ, ବସନ୍ତ ମହାକୁଡ, ପ୍ରଭୁଦତ୍ତ ବସ୍ତିଆ, ରାଧାମୋହନ ଭୋଇ, ରଞ୍ଜିତ ରାଏ, ଶେଷଦେବ ମେହେର, ପ୍ରମୋଦ ଗୁରୁ, ଚିତ୍ତରଞ୍ଜନ କୁମ୍ଭାର, ନରେନ୍ଦ୍ର ସାହୁ, ଲକ୍ଷ୍ମଣ ସୁନା, ହୃଷୀକେଶ କଣ୍ଠ ପ୍ରମୁଖଙ୍କ ସହ ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରମୁଖ ସାମିଲ ଥିଲେ ।