
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଛିନ୍ଦେଇକେଲାରୁ ବଛାପଡ଼ାକୁ ସଂଯୋଗ କରୁଥିବା ରାସ୍ତା ଏବେ ଶୋଚନୀୟ ଅବସ୍ଥାରେ ପହଞ୍ଚିଛି । ରାସ୍ତାର ଦୁଇ ପାର୍ଶ୍ଵରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିବାରୁ ଯାତାୟାତରେ ପଡାବାସୀ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପ୍ରବଳ ବର୍ଷା ଯୋଗୁଁ ରାସ୍ତାର ଏଭଳି ଅବସ୍ଥା ହୋଇଥିବା କୁହାଯାଉଛି । ଏହି ରାସ୍ତା ଉପରେ ନିର୍ଭର କରୁଥିବା ବଛାପଡ଼ାବାସୀଙ୍କ ପାଇଁ ଯାତାୟାତ ଏବେ ଚିନ୍ତାର କାରଣ ପାଲଟିଛି । ରାସ୍ତାରେ ଥିବା ବଡ଼ ବଡ଼ ଗର୍ତ୍ତ ଯୋଗୁଁ ବିଶେଷ କରି ଦୁଇଚକିଆ ଯାନ ଚାଳକଙ୍କ ପାଇଁ ଦୁର୍ଘଟଣାର ଆଶଙ୍କା ରହିଛି । ଏନେଇ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ମରାମତି ପାଇଁ ଅବଗତ କରାଯାଇଥିଲେ ମଧ୍ୟ ଏଯାଏଁ କୌଣସି ପଦକ୍ଷେପ ନିଆଯାଇନଥିବା ପଡାବାବାସୀ ଅଭିଯୋଗ କରିଛନ୍ତି । ଏହି ସମସ୍ୟାର ସମାଧାନ ଦାବିରେ ସୋମବାର ପାଇକମାଲଠାରେ ଅନୁଷ୍ଠିତ ଜନଶୁଣାଣି କାର୍ଯ୍ୟକ୍ରମରେ ବଛାପଡ଼ାବାସୀ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଜନସାଧାରଣଙ୍କ ସୁରକ୍ଷା ଓ ସୁବିଧାଜନକ ଯାତାୟାତକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ବିଭାଗ ତୁରନ୍ତ ରାସ୍ତାର ଗର୍ତ୍ତ ମରାମତି କରିବା ସହ ଏହାର ସ୍ଥାୟୀ ସମାଧାନ କରିବାକୁ ଦାବି କରିଛନ୍ତି ।