jayashree

ବାଲିଗୁଡ଼ାରେ ଭକ୍ତିମୟ ପରିବେଶରେ ପାଳିତ ହେଲା ଶ୍ରୀ ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମ ମହୋତ୍ସବ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ପ୍ରେମ, ସେବା, ଶାନ୍ତି ଓ ମାନବିକତାର ମହାନ ବାର୍ତ୍ତା ବହନ କରୁଥିବା ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମ ମହୋତ୍ସବ ବାଲିଗୁଡ଼ାଠାରେ ଅତ୍ୟନ୍ତ ଭକ୍ତି ଓ ଉତ୍ସାହର ସହ ପାଳିତ ହୋଇଯାଇଛି । ଏହି ଅବସରରେ ଭଜନ, ପୂଜାର୍ଚ୍ଚନା, ବୈଦିକ କାର୍ଯ୍ୟକ୍ରମ ସହ ବିଭିନ୍ନ ଜନସେବାମୂଳକ କାର୍ଯ୍ୟକ୍ରମ ଆୟୋଜନ ହୋଇ ସମଗ୍ର ଅଞ୍ଚଳରେ ଏକ ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା । ଏହି ଉପଲକ୍ଷେ ଶ୍ରୀ ସତ୍ୟସାଇ ସେବା ସମିତି, ବାଲିଗୁଡ଼ା ପକ୍ଷରୁ ସ୍ଥାନୀୟ ସୁନାପାଙ୍ଗା ସ୍ଥିତ ସାଇବିହାର ପରିସରରେ ଦିବସ ବ୍ୟାପୀ ମହୋତ୍ସବର ଆୟୋଜନ କରାଯାଇଥିଲା । ଆବାହକ ସୁରେନ୍ଦ୍ର ନାଥ ସାହୁଙ୍କ ତତ୍ତ୍ୱାବଧାନରେ ଭୋର ୫ଟାରୁ ଓଁକାର, ସୁପ୍ରଭାତମ୍ ଓ ନଗର ସଂକୀର୍ତ୍ତନ ମାଧ୍ୟମରେ ଦିବସର ଶୁଭାରମ୍ଭ ହୋଇଥିଲା । ସକାଳ ୬ଟାରେ ମନ୍ଦିର ପରିସରରେ ସ୍ୱଚ୍ଛତା ସେବା କାର୍ଯ୍ୟକ୍ରମ ପରେ ସକାଳ ୮ଟା ୩୦ ମିନିଟ୍‌ରେ ଦିବ୍ୟ ପ୍ରଶାନ୍ତି ପତାକା ଉତ୍ତୋଳନ କରାଯାଇଥିଲା । ପରେ ଷୋଡ଼ଶ ଉପଚାର ପୂଜା, ଅଷ୍ଟୋତ୍ତର ସହସ୍ରନାମ ଅର୍ଚ୍ଚନା ଓ ହୋମ ଆଦି ବୈଦିକ ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇଥିଲା । ପରେ ପରେ ଏକ ଭବ୍ୟ ଆଧ୍ୟାତ୍ମିକ ଶୋଭାଯାତ୍ରା ସାଇବିହାର ପରିସରରୁ ବାହାରି ନଗର ପରିକ୍ରମା କରିଥିଲା । ଏଥିରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଯୋଗଦେଇ ସାଇନାମ ଓ ଭଜନ କୀର୍ତ୍ତନ ମାଧ୍ୟମରେ ପରିବେଶକୁ ଭକ୍ତିମୟ କରିଥିଲେ । ମହୋତ୍ସବର ମୁଖ୍ୟ ଆକର୍ଷଣ ଥିଲା ସେବାମୂଳକ କାର୍ଯ୍ୟକ୍ରମ । ମଧ୍ୟାହ୍ନରେ ନାରାୟଣ ସେବା ଆୟୋଜନ ସହ ୧୦୧ ଜଣ ଆବଶ୍ୟକତା ଥିବା ବ୍ୟକ୍ତିଙ୍କୁ ବସ୍ତ୍ର ବଣ୍ଟନ କରାଯାଇଥିଲା । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା । ଏଥିସହ ଜରାଶ୍ରମ ପରିଦର୍ଶନ କରି ସେଠାରେ ରହୁଥିବା ଅନ୍ତେବାସୀଙ୍କୁ ପ୍ରସାଦ ଓ ବସ୍ତ୍ର ବଣ୍ଟନ କରାଯାଇଥିଲା । ଏହି ସେବା କାର୍ଯ୍ୟ ମାଧ୍ୟମରେ ‘ମାନବ ସେବା ହିଁ ମାଧବ ସେବା’ର ମହାନ ଆଦର୍ଶକୁ ଜୀବନରେ ପ୍ରତିଫଳିତ କରିବାର ବାର୍ତ୍ତା ଦିଆଯାଇଥିଲା । ସେହିପରି ସନ୍ଧ୍ୟାରେ ମହୋତ୍ସବର ଆଧ୍ୟାତ୍ମିକ ମାହୋଲ ଆହୁରି ଉତ୍ସବମୁଖର ହୋଇଉଠିଥିଲା । ୧୦୧ଟି ଦୀପ ପ୍ରଜ୍ୱଳନ, ସାଇଝୁଲା, ବେଦପାଠ ଓ ଭଜନ କାର୍ଯ୍ୟକ୍ରମ ସହ କେକ୍ ସମର୍ପଣ, ସତସଙ୍ଗ ଏବଂ ବିଭିନ୍ନ ସାଂସ୍କୃତିକ ପରିବେଷଣ ଶ୍ରଦ୍ଧାଳୁଙ୍କ ମନ ମୋହିଥିଲା । ଏହାପରେ ପ୍ରତିଯୋଗିତାର ପୁରସ୍କାର ବିତରଣ କରାଯାଇଥିଲା । ଶେଷରେ ମଙ୍ଗଳ ଆରତୀ ସହ ଦିବସବ୍ୟାପୀ ଜନ୍ମ ମହୋତ୍ସବର ପରିସମାପ୍ତି ଘଟିଥିଲା । ଶ୍ରୀ ସତ୍ୟସାଇ ବାବାଙ୍କ ଜୀବନାଦର୍ଶ ଓ ତାଙ୍କର ପ୍ରେମ, ସେବା, ଶାନ୍ତି ତଥା ମାନବିକତାର ବାର୍ତ୍ତାକୁ ଜନମାନସ ରେ ପହଞ୍ଚାଇବା ସହ ସମାଜରେ ସେବା, ସମର୍ପଣ ଓ ଭାଇଚାରା ଭାବନାକୁ ଅଧିକ ସୁଦୃଢ଼ କରିବା ଏହି ମହୋତ୍ସବର ମୂଳ ଲକ୍ଷ୍ୟ ଥିଲା । ଧାର୍ମିକ ଆୟୋଜନ ସହ ମାନବ ସେବାକୁ ପ୍ରାଧାନ୍ୟ ଦେଇ ଶ୍ରୀ ସତ୍ୟସାଇ ସେବା ସମିତି ବାଲିଗୁଡ଼ା ଏକ ମହତ୍ତ୍ୱପୂର୍ଣ୍ଣ ସାମାଜିକ ବାର୍ତ୍ତା ପ୍ରଦାନ କରିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.