pakka

ବ୍ରହ୍ମପୁର ରେଡିଓ ଷ୍ଟେସନଠାରୁ ଲୋଚ୍ଚାପଡା ପର୍ଯ୍ୟନ୍ତ ନିର୍ମାଣାଧିନ ଥିବା ରାସ୍ତା ଏବଂ ଡ୍ରେନ କାମକୁ ତ୍ୱରାନ୍ୱିତ ପାଇଁ ଦାବୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସହର ସନ୍ନିକଟ ତଥା ସହର ତଳି ଅଞ୍ଚଳ ସ୍ଥିତ ବ୍ରଜନଗରର ବ୍ରଜନଗର ଉନ୍ନୟନ ପରିଷଦ ପକ୍ଷରୁ ରେଡିଓ ଷ୍ଟେସନଠାରୁ ଲୋଚ୍ଚାପଡା ପର୍ଯ୍ୟନ୍ତ ନିର୍ମାଣାଧିନ ଥିବା ରାସ୍ତା ଏବଂ ଡ୍ରେନ କାମ ଦୀର୍ଘ ତିନି ବର୍ଷ ଧରି ଚାଲୁ ରହିଥିବା ବେଳେ ସରିବାର ନାମ ନେଉନଥିବା ପ୍ରତିବାଦରେ ଏକ ଦାବୀ ପତ୍ର ନିର୍ବାହୀ ଯନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ପ୍ରଦତ୍ତ ହୋଇଛି । ନିର୍ବାହୀଯନ୍ତ୍ରୀଙ୍କ ଅନୁପସ୍ଥିତିରେ ସହକାରୀ ଯନ୍ତ୍ରୀ ନିର୍ମଳ ନାୟକଙ୍କୁ ପ୍ରଦାନ କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରେଡିଓ ଷ୍ଟେସନଠାରୁ ଲୋଚ୍ଚାପଡା ରାସ୍ତା କାମ ଏବଂ ଡ୍ରେନ ନିର୍ମାଣ ଦୀର୍ଘ ତିନି ବର୍ଷ ଧରି ମନ୍ଥର ଗତିରେ ଚାଲୁ ରହିଥିବା ଯୋଗୁଁ ସ୍ଥାନୀୟ ବାସିନ୍ଦାମାନଙ୍କ ଅସନ୍ତୋଷର କାରଣ ହୋଇଛି । ଏହି ରାସ୍ତା ଉପରେ ନିର୍ଭର କରୁଥିବା ହଜାର ହଜାର ଲୋକମାନେ ନାନା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଏଠାରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି । ବର୍ତ୍ତମାନ ଏହି ରାସ୍ତାଟି ସହରର ଏକ ବ୍ୟସ୍ତ ବହୁଳ ଅଞ୍ଚଳ ଅଟେ । ବିଭିନ୍ନ ଗ୍ରାମାଞ୍ଚଳ ସହ ସହରକୁ ଏହି ପଥ ଗମନା ଗମନ କ୍ଷେତ୍ରକୁ ଯୋଡ଼ିବାରେ ଏକ ଗୁରୁତ୍ବପୂର୍ଣ୍ଣ ରାସ୍ତା ରୂପେ ପରିଗଣିତ କରାଯାଉଛି । ତେଣୁ ଦାବୀ ପତ୍ରରେ ସୂଚାଇ ଦିଆଯାଇଛି ଆଗକୁ ବର୍ଷା ଦିନ ଆସୁଛି ତେଣୁ ସେହି ରାସ୍ତା ଏବଂ ଡ୍ରେନ ନିର୍ମାଣ କାମ ଯଦି ତ୍ୱରାନ୍ୱିତ କରାଯାଇ ସମ୍ପୂର୍ଣ୍ଣ କରାନଯାଏ, ତାହା ହେଲେ ବର୍ଷା ହେଲେ ନାଳ ନର୍ଦ୍ଦମା ପାଣି ରାସ୍ତା ଉପରେ ଲହଡ଼ି ମାରିବା ସହ ନିର୍ମାଣାଧିନ ରାସ୍ତାଟି ନଷ୍ଟ ହୋଇଯିବ ବୋଲି ପରିଷଦ ତରଫରୁ ସହକାରୀ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଦାବୀପତ୍ର ଗ୍ରହଣ କରି ସହକାରୀ ଯନ୍ତ୍ରୀ କହିଥିଲେ ଯେ, ସେ ଏ ସଂକ୍ରାନ୍ତରେ ନିର୍ବାହୀ ଯନ୍ତ୍ରୀଙ୍କ ସହ ଆଲୋଚନା କରିବା ସହ ରାସ୍ତା କାମ ମେ’ ମାସ ୧୫ ତାରିଖ ପୂର୍ବରୁ ସାରି ଦେବା ପାଇଁ ପ୍ରଯତ୍ନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ତତ୍ ସହିତ ଡ୍ରେନ ନିର୍ମାଣ କାର୍ଯ୍ୟ ବର୍ଷା ଦିନ ପୂର୍ବରୁ ସାରିଦେବା ପାଇଁ କାମ ନେଇଥିବା ଠିକା ସଂସ୍ଥାକୁ କୁହାଯିବ ବୋଲି କହିଥିଲେ । ପରିଷଦ ପକ୍ଷରୁ ଏକ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ କାମ ସାରିବା ପାଇଁ ନିର୍ବାହୀ ଯନ୍ତ୍ରୀଙ୍କୁ ନିବେଦନ କରାଯିବା ସହ ଏଥିରେ ଖିଲାପ ହେଲେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ହାତକୁ ନେବାକୁ ପରିଷଦ ବାଧ୍ୟ ହେବ ବୋଲି ଦାବୀ ପତ୍ରରେ ଚେତେଇ ଦେଇଛି । ଆଜିର ଦାବୀପତ୍ର ପ୍ରଦାନ ସମୟରେ ବ୍ରଜନଗର ଉନ୍ନୟନ ପରିଷଦ ସଭାପତି ଡ .ଶିବ ପ୍ରସାଦ ମିଶ୍ର, ସମ୍ପାଦକ ସଞ୍ଜୀବ କୁମାର ପଟ୍ଟନାୟକ, ଯୁଗ୍ମ ସମ୍ପାଦକଟି ସ୍ବଦେଶ କୁମାର ପାତ୍ର, ସଂଗଠନ ସମ୍ପାଦକ ଶ୍ରୀକାନ୍ତ ପଢ଼ିହାରୀ, କୋଷାଧ୍ୟକ୍ଷ ବି ଭି ସାଗର, ସଂଯୋଜକ ସିଏଚ୍‌ ରାମ କ୍ରିଷ୍ଣା ଦାସ, ଉପଦେଷ୍ଟା ଗଣେଶ ଚନ୍ଦ୍ର ଦାସ ଓ ସୁରେଶ କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

two × two =