pakka

୮ଦଫା ଦାବୀ ପୂରଣ ଦାବୀରେ ପ୍ରତୀକ ଧାରଣା ୩ୟ ଦିନରେ

bbehera

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : କୋଷାଗୁମଡା ବ୍ଲକ୍ କୋଡ଼ିଙ୍ଗା ଅଞ୍ଚଳ ବିକାଶ ପରିଷଦ ପକ୍ଷରୁ ୮ଦଫା ଦାବୀ ନେଇ ଗତ ଗୁରୁବାର ଦିନଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଦିଆଯାଇଥିବା ପ୍ରତୀକ ଧର୍ମଘଟ ଆଜି ୩ୟ ଦିନରେ ପହଞ୍ଚିଛି । ଆଜି ଧାରଣା ସ୍ଥଳକୁ ଯୁବ କଂଗ୍ରେସ ନେତା ରାଜେଶ ଯାନୀ, ହାରାବତୀ ଗଣ୍ଡଙ୍କ ସହିତ ପାପଡାହାଣ୍ଡି ବ୍ଲକର ଅନେକ ନେତା, କର୍ମୀ ପହଞ୍ଚି ଗ୍ରାମବାସୀଙ୍କୁ ସମର୍ଥନ ଜଣାଇଥିଲେ ।ଗତ ଗୁରୁବାର ଦିନଠାରୁ ୩୨ ଗୋଟି ପଞ୍ଚାୟତବାସୀ, ବିଭିନ୍ନ ସଂଗଠନର କର୍ମକର୍ତ୍ତା ଓ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଧାରଣା ସ୍ଥାନରେ ପହଞ୍ଚି ଉକ୍ତ ଦାବୀ ପୂରଣ ନିମନ୍ତେ ସମର୍ଥନ କରୁଥିବା ଦେଖିବାକୁ ମିଳିଛି । କୋଡ଼ିଙ୍ଗା ଅଞ୍ଚଳ ବିକାଶ ପରିଷଦ ଜିଲ୍ଲା ପ୍ରଶାସନ ନିକଟରେ ଦାବୀ ରଖିଛନ୍ତି କି, କୋଡ଼ିଙ୍ଗା ଗ୍ରାମଠାରେ ଏକ ଟ୍ରେଜରି, +୩ ମହାବିଦ୍ୟାଳୟ, ଅତିରିକ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଜେ.ଏମ୍‌.ଏଫ୍‌.ସି କୋର୍ଟ, କୋଡ଼ିଙ୍ଗାଠାରେ ନୂତନ ବ୍ଲକ ଗଠନ, ଏକଲବ୍ୟ ଆବାସିକ ବିଦ୍ୟାଳୟ, ଅତ୍ୟାଧୁନିକ ବସଷ୍ଟାଣ୍ଡ, ଷ୍ଟେଟବ୍ୟାଙ୍କ ଶାଖା ନିର୍ମାଣ ପାଇଁ ଦାବୀ ଉପସ୍ଥାପନ କରାଯାଇଛି । ଏନେଇ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । କିନ୍ତୁ ପ୍ରତୀକ ଧାରଣା ତିନିଦିନ ବିତିଯାଇଥିଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ଜିଲ୍ଲାର କୌଣସି ଜନପ୍ରତିନିଧି ଧାରଣାସ୍ଥଳକୁ ଆସିନଥିବା ପରିଷଦର କର୍ମକର୍ତ୍ତା ପକ୍ଷରୁ କ୍ଷୋଭର ସହ କହିଛନ୍ତି । ଯଦି ଚଳିତ ମାସର ୩ ତାରିଖ ସୁଦ୍ଧା ଉକ୍ତ ଦାବୀ ଉପରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାନଯାଏ ତେବେ ଆସନ୍ତା ୪ ତାରିଖରୁ ଆମରଣ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି । ଏଥିସହ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ କୋଡ଼ିଙ୍ଗା ଅଞ୍ଚଳ ବିକାଶ ପରିଷଦ ଭୋଟ ବର୍ଜନ କରିବାକୁ ପ୍ରଶାସନକୁ ରୋକଠୋକ ଶୁଣାଇଛନ୍ତି । ଏଣୁ ଜିଲ୍ଲା ପ୍ରଶାସନ ଯଥା ଶୀଘ୍ର ଏଥିପ୍ରତି ଦୃଷ୍ଟି ଦେଇ ଉକ୍ତ ଦାବୀ ଉପରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

jay balangir
Leave A Reply

Your email address will not be published.

1 + 5 =

error: Content is protected !!