pakka

ଟିଟିଲାଗଡ଼ ସହରରେ ମଙ୍ଗଳବାର ଦିନ ୯ ଘଣ୍ଟା ବିଦ୍ୟୁତ ଯିବା ଯୋଗୁଁ ଲୋକେ ଅତିଷ୍ଟ : ଗ୍ରୀଡ ସ୍ଥାପନ ଦାବୀ କଲା ବିଜେପି

bbehera

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହର ସାରା ରାଜ୍ୟରେ ଉତ୍ତପ୍ତ ସହର ରୂପେ ପରିଚିତ । ଗ୍ରୀଷ୍ମ ଋତୁ ଆସିବା ପୂର୍ବରୁ ଟିଟିଲାଗଡ଼ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ କିଭଳି ସହରବାସୀଙ୍କୁ ସମସ୍ତ ସେବା ଯୋଗାଇ ଦିଆଯିବ ସେଥିପାଇଁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥାଏ । ଜରୁରୀ ସେବା ଭିତରେ ପିଇବା ପାଣି, ବିଦ୍ୟୁତ ଏବଂ ମେଡିକାଲରେ ଅଂଶୁଘାତ ଜନିତ ଚିକିତ୍ସା ବ୍ୟବସ୍ଥା ଅନ୍ୟତମ । ଗତ ମଙ୍ଗଳବାର ଅପରାହ୍ନ ତିନିଟା ସମୟରେ ଘଡଘଡି ମାରିବା ସହ ଜୋରରେ ପବନ ବହିବା ସାଙ୍ଗକୁ କିଛି ସମୟ ପାଇଁ ବର୍ଷା ହୋଇଥିଲା । ରାତିରେ ଦୀର୍ଘ ୯ ଘଣ୍ଟା ସମୟ ଧରି ବିଦ୍ୟୁତ କାଟ୍‌ ଯୋଗୁଁ ଛୋଟ ଛୁଆ ଏବଂ ରୋଗୀ ବହୁ କଷ୍ଟ ସହିଥିଲେ । ତେବେ ବିଦ୍ୟୁତ ବିଭାଗ ପକ୍ଷରୁ ପାଖାପାଖି ପ୍ରତି ମାସରେ ରକ୍ଷଣାବେକ୍ଷଣ ଏବଂ ମରାମତି ପାଇଁ ଘୋଷଣା କରିବା ସହ ବିଦ୍ୟୁତ୍ କାଟ କରାଯାଉଥିଲା, ଏଥିରେ ସହରବାସୀ ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । କିନ୍ତୁ ଦୁଃଖର ବିଷୟ ଯେ, ପବନ, ଘଡଘଡି, ବର୍ଷାରେ ୧୧ କେଭି ତାର ଯାଇଥିବା ବିଦ୍ୟୁତ ଖୁମ୍ୱ ଗଛ ପଡି ଉପୁଡ଼ି ଯାଇଥିବା ଯୋଗୁଁ ଏତେ ସମୟ ଧରି ବିଦ୍ୟୁତ୍ ଯୋଗାଣ ହୋଇପାରି ନଥିଲା । ତା’ହେଲେ ମରାମତି ସମୟରେ ଖୁମ୍ବ ଦୁର୍ବଳ ଥିବା ତଥା ବିଦ୍ୟୁତ ତାର ଯାଇଥିବା ପାଖରେ ଥିବା ଗଛ ଡାଳ ନ କାଟିବା ଯୋଗୁଁ ଏପରି ସମସ୍ୟା ସୃଷ୍ଟି ହୋଇଥିବା ଲୋକେ ଆଲୋଚନା କରୁଛନ୍ତି । ଏହି ୧୨ କେଭି ତାର ଖୁମ୍ବ ବାରମ୍ବାର ଉପୁଡି ପଡ଼ିବା ବିଷୟ ଟାଟା କମ୍ପାନୀର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯଦି ଖୁମ୍ବ ପଡିବା ସମୟରେ କିଛି ଅଘଟଣ ଘଟି ଥାଆନ୍ତା ତା’ହେଲେ ଲୋକଙ୍କ ଜୀବନ ମଧ୍ୟ ଯିବାର ସମ୍ଭାବନା ରହିଛି । ଏହାକୁ ଏଡାଇ ମଧ୍ୟ ହେବନି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

ମଙ୍ଗଳବାର ଦିନ ଉପୁଜିଥିବା ଏହି ସମସ୍ୟାକୁ ନେଇ କିପରି ସ୍ଥାୟୀ ସମାଧାନ କରିହେବ ସେ ନେଇ ଟିଟିଲାଗଡ଼ ନଗର ବିଜେପି ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀ, ନଗର ସଂଯୋଜକ ସଞ୍ଜୟ ତ୍ରିପାଠୀ, ଦିଲୀପ ପାଣ୍ଡେ, ଲବଣି ବଗର୍ତି, ନବୀନ ଜୈନ ଟାଟା ପାୱାର ନିର୍ବାହୀ ଯନ୍ତ୍ରୀଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି । ଟିଟିଲାଗଡ଼ଠାରେ ନୂତନ ଗ୍ରୀଡ଼ ପ୍ରତିଷ୍ଠା ନହେବା ପର୍ଯ୍ୟନ୍ତ ଏହି ସମସ୍ୟା ଲାଗି ରହିବ ବୋଲି ଆଲୋଚନାରେ ସାମ୍ନାକୁ ଆସିଥିଲା । ତେବେ ଟିଟିଡୁଙ୍ଗରି ଓ ଖଲିଆପଡାରେ ବିଦ୍ୟୁତ ଖୁଣ୍ଟ ଲଗାଇବା ତଥା ଥାନା ପାଖ ଟ୍ରାନ୍ସଫର୍ମର ତୁରନ୍ତ ସ୍ଥାନାନ୍ତରଣ ପାଇଁ ମଧ୍ୟ ଦାବୀ କରିଛନ୍ତି । ପୂର୍ବରୁ ଟିଟିଲାଗଡରେ ଏକ ନୂତନ ଗ୍ରୀଡ ସ୍ଥାପନ କରିବାକୁ ବିଭିନ୍ନ ରାଜନୈତିକ ଦଳ ଦାବୀ କରିବା ସହ ଟିଟିଲାଗଡ଼ ବିକାଶ ସେନା ତରଫରୁ ସେତେ ବେଳର ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ବାସଭବନକୁ ଯାଇ ମଧ୍ୟ ଏହି ଦାବୀ କରାଯାଇଥିଲା । ବର୍ଷ ବର୍ଷ ବିତିଯାଇଥିଲେ ହେଁ ସୁଫଳ ମିଳୁନି, ଯଦ୍ୱାରା ଲୋକେ ବିଦ୍ୟୁତ କଟିବା ଯୋଗୁଁ ହନ୍ତସନ୍ତ ହେବାର ଦେଖିବାକୁ ମିଳୁଛି । ଆଜି ବୁଧୁବାର ମଧ୍ୟ ସକାଳୁ ସନ୍ଧ୍ୟା ଯାଏଁ ରହି ରହି ବିଦ୍ୟୁତ କାଟ ହେଉଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଦୁଃଖର ବିଷୟ ଯେ ଓଡ଼ିଶା ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ ଏବଂ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ଏହି ଟିଟିଲାଗଡ଼ ସହରରେ ଦୁଇ ଦୁଇଟି ଟାଉନ ହଲ ନିର୍ମାଣ କରିବାକୁ ପାଣ୍ଠି ଆଉ ଜାଗା ମିଳିଲା କିନ୍ତୁ ଯେଉଁଟା ବେଶୀ ଦରକାର ବିଦ୍ୟୁତ ଗ୍ରୀଡ ସ୍ଥାପନ କରିପାରୁ ନାହାନ୍ତି ବୋଲି ଲୋକ ଏବେ ସବୁ ଚା ଦୋକାନରେ ଏହି ବିଷୟରେ ଖଟି ଜମାଉଛନ୍ତି ।

jay balangir
Leave A Reply

Your email address will not be published.

6 − one =