ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ଇନ୍ଦ୍ରମଣି ତ୍ରିପାଠୀ ବରଗଡ କୋଭିଡ ନୋଡାଲ ଅଫିସର ଭାବେ ଦାୟିତ୍ୱ ନେଲେ

ବରଗଡ଼, (ନିରଂଜନ ତ୍ରିପାଠୀ) : ଜିଲ୍ଲାର ବିଭିନ୍ନ ବ୍ଲକର ସମାଜିକ କର୍ମୀମାନଙ୍କ ପ୍ରବଳ ଚାପ ପ୍ରୟୋଗ ଏବଂ ବରଗଡ଼ ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ି ଚାଲୁଥିବାରୁ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା ହେବା ପରେ ଶେଷକୁ ବରଗଡ଼ ଜିଲ୍ଲାରେ କୋଭିଡ୍‌ ପରିଚାଳନା ନିମନ୍ତେ କୋଭିଡ ନୋଡ଼ାଲ ଅଫିସରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଏନେଇ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଏକ ଚିଠିରେ ବରଗଡ଼ ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ତଥା ବର୍ତ୍ତମାନର ଓଡ଼ିଶା ସରକାରଙ୍କ ଅତିରିକ୍ତ ସଚିବ ଇନ୍ଦ୍ରମଣି ତ୍ରିପାଠୀଙ୍କୁ କୋଭିଡ ନୋଡ଼ାଲ ଅଫିସର ଭାବେ ସାମୟିକ ନିଯୁକ୍ତି ପ୍ରଦାନ କରାଯାଇଥିବା ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ଅସୁସ୍ଥ ଥିବା ବରଗଡ଼ ଜିଲ୍ଲାପାଳଙ୍କ ସ୍ଥାନରେ ବରଗଡ଼ ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋଙ୍କୁ ତାଙ୍କ ଦାୟିତ୍ୱ ଦିଆଯାଇଛି ।


ଗତକାଲି ସମାଜିକ ଗଣମାଧ୍ୟମ ଟ୍ୱିଟର ମାଧ୍ୟମରେ ବରଗଡ ଜିଲ୍ଲାକୁ ଅବହେଳା କରାଯାଇଛି ବୋଲି ଜିଲ୍ଲାର ଅନେକ ସାମାଜିକ କର୍ମୀ ଅଭିଯୋଗ ଆଣିଥିଲେ । ବରଗଡ଼ ସାଂସଦ ସୁରେଶ ପୂଜାରୀ ସଂସଦରେ ଓଡ଼ିଶାର ସ୍ୱାସ୍ଥ୍ୟ ବିଭାଗର କରୁଣ ଚିତ୍ର ଉପସ୍ଥାପନ କରିବା ପରେ ରାଜ୍ୟ ସରକାର ସମସ୍ତ କୋଭିଡ ଡାକ୍ତରଖାନାରେ ୨୪ ଘଣ୍ଟିଆ ହେଲ୍ପଲାଇନ ଜାରି କରିଥିବା ସୂଚନା ରହିଛି, ଯାହାଦ୍ୱାରା ରୋଗୀ ପରିଜନ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ବାବଦରେ ଜାଣିପାରିବେ । ବରଗଡ଼ ଜିଲ୍ଲାର ଦୁର୍ନୀତି ବିରୋଧୀ ଯୁବ ସଙ୍ଗଠନ ୟୁଥ ଆଗେନଷ୍ଟ କରପସନ, ଯୋଖିପାଲି ଟ୍ୱିଟର ମାଧ୍ୟମରେ ବରଗଡ଼ ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଉଥିବା ସତ୍ତ୍ୱେ ବରଗଡ଼ ଜିଲ୍ଲା ପ୍ରଶାସନ ସଂକ୍ରମଣ ରୋକିବାରେ ବିଫଳ ହୋଇ ସୁଦ୍ଧା କାହିଁକି ବରଗଡ଼ ଜିଲ୍ଲାରେ କୌଣସି ଆଇଏଏସ ଅଫିସର ନିଯୁକ୍ତି କରାଯାଇନାହିଁ ବୋଲି ସଂସଦରେ ଉପସ୍ଥାପନ କରିବାକୁ ଅନୁରୋଧ କରିଥିଲେ । ଯେତେବେଳେ ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଇଥିଲା, ସେତେବେଳେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରି ତୁରନ୍ତ ବିଭିନ୍ନ ଜିଲ୍ଲାର ଅଫିସର ମାନଙ୍କୁ ସେଠାରେ ନିଯୁକ୍ତି କରାଇ ସଂକ୍ରମଣ ରୋକା ଯାଇଥିଲା । କିନ୍ତୁ ବରଗଡ଼ ଜିଲ୍ଲାରେ ବର୍ତ୍ତମାନ ସମାନ ଅବସ୍ଥା ଥିବା ସତ୍ତ୍ୱେ କାହିଁକି ଭେଦଭାବ କରାଯାଇଛି ବୋଲି ଅଭିଯୋଗ କରିଥିଲେ ।
ଏହି ଅଭିଯୋଗ ସମ୍ପୂର୍ଣ୍ଣ ସତ୍ୟ ବୋଲି ବିଜେପୁର ବ୍ଲକର ସମାଜିକ କର୍ମୀ ଆକାଶ ସାହୁ ଗଞ୍ଜାମ ଜିଲ୍ଲାରେ ଯଦି ଏକାଧିକ ଆଇଏଏସ ଅଫିସର ନିଯୁକ୍ତି କରାଯାଇଛି, ତେବେ ବରଗଡ଼ ଜିଲ୍ଲାରେ କାହିଁକି ହେଇପାରିବ ନାହିଁ ବୋଲି ପ୍ରଶ୍ନ ପଚାରିଥିଲେ । ଯାହାକୁ ପୂର୍ଣ ସମର୍ଥନ କରି ଜିଲ୍ଲାର ସାମାଜିକ କର୍ମୀ ଅଭୟ ପଣ୍ଡା କହିଥିଲେ ଯେ ଗଞ୍ଜାମ ଜିଲ୍ଲା ଭଳି ପଡ଼ୋଶୀ ସମସ୍ତ ଜିଲ୍ଲାରେ ଆଇଏଏସ ଅଫିସର ନିଯୁକ୍ତି ହୋଇଛନ୍ତି । ଏଭଳିକି ବଲାଙ୍ଗିର ଜିଲ୍ଲାରେ ଦୁଇଜଣ ଆଇଏଏସ ଅଫିସର ଥିବା ସତ୍ତ୍ୱେ ବରଗଡ଼ ଜିଲ୍ଲାରେ ଗୋଟିଏ ମଧ୍ୟ ଆଇଏଏସ ନଥିବା ବାସ୍ତବିକ ଦୁଃଖଦ ବିଷୟ । ବରଗଡ଼ ଜିଲ୍ଲାର ବିଭିନ୍ନ ସମସ୍ୟାଗୁଡ଼ିକ ଉପରେ ତୁରନ୍ତ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ ଉଭୟ ସମାଜିକ କର୍ମୀ ।

Leave A Reply

Your email address will not be published.