ଭାରତ ଏବଂ ଚୀନ୍‌ ମଧ୍ୟରେ ଲଦ୍ଦାଖରେ କୋର୍‌ କମାଣ୍ଡର୍‌ ସ୍ତରର ଷଷ୍ଠ ବୈଠକ

ନୂଆଦିଲ୍ଲୀ : ଭାରତ ଏବଂ ଚୀନ୍‌ ମଧ୍ୟରେ ଲଦ୍ଦାଖରେ କୋର୍‌ କମାଣ୍ଡର୍‌ ସ୍ତରର ଷଷ୍ଠ ବୈଠକ ପରେ କିଛି ସାକାରାତ୍ମକ ସଂକେତ ଆସୁଥିବା କୁହାଯାଉଛି । ଏବେ ସୀମାରେ ସେନା ସଂଖ୍ୟା ବଢ଼ା ନଯିବା ପାଇଁ ଦୁଇ ଦେଶ ସହମତ ହୋଇଛନ୍ତି । ତେବେ ଗତ ସୋମବାର ଦିନ ଦୀର୍ଘ ୧୪ ଘଂଟା ପର୍ଯ୍ୟନ୍ତ ଚାଲିଥିବା ବୈଠକରେ ଦୁଇ ପକ୍ଷର ସହମତିକୁ ନେଇ ସଂଯୁକ୍ତ ବୟାନ ଜାରି କରାଯାଇଛି । ବୟାନ ଅନୁସାରେ ସୀମା ଅଂଚଳର ସ୍ଥିତି ଏକତରଫା ବଦଳାଇବାର ପ୍ରଚେଷ୍ଟା କିମ୍ବା ଏଭଳି କିଛି କାମରୁ ଦୁଇ ଦେଶ ନିବୃତ ରହିବେ, ଯାହା ସ୍ଥିତିକୁ ଜଟିଳ କରିବ । ଭୁଲ୍‌ ବୁଝାମଣାରୁ ନିବୃତ ରହି ଶାନ୍ତି ବଳବତ୍ତର ରଖିବାକୁ ଯୋଗାଯୋଗକୁ ମଜ୍‌ବୁତ୍‌ କରିବେ । ସମସ୍ୟାଗୁଡ଼ିକୁ ଉଚିତ୍‌ ମାର୍ଗରେ ସମାଧାନ ପାଇଁ ବ୍ୟବହାରିକ ଉପାୟ ଅବଲମ୍ବନ କରିବେ ଏବଂ ସଂଯୁକ୍ତ ଭାବେ ଶାନ୍ତି ରକ୍ଷା ପାଇଁ ପଦକ୍ଷେପ ନେବେ । ଖୁବ୍‌ ଶୀଘ୍ର କମାଣ୍ଡର ସ୍ତରୀୟ ସପ୍ତମ ବୈଠକର କଥାବାର୍ତ୍ତା ପାଇଁ ପ୍ରସ୍ତୁତି କରିବେ ।
ତେବେ ଏଲ୍‌ଏସିରୁ ସେନା ପ୍ରତ୍ୟାହାର ମାମଲାରେ କୌଣସି ସଫଳତା ମିଳିନାହିଁ । ଭାରତୀୟ ସେନା ଅନୁସାରେ ଦୁଇ ପକ୍ଷ ମଧ୍ୟରେ ଡିସ୍‌ଏନ୍‌ଗେଜ୍‌ମେଣ୍ଟ ଏବଂ ଡି-ଏକ୍‌ସେଲେସନ୍‌ ମାମଲାରେ କଥାବାର୍ତ୍ତାର ବୋଧହୁଏ କିଛି ଆଧାର ଥିଲା । ଅନ୍ୟପକ୍ଷରେ ସୈନ୍ୟ ଏବଂ ରାଜନୀତିକ ସ୍ତରର କଥାବାର୍ତ୍ତାର ବାହାନାରେ ଚୀନ୍‌ର ପିଏଲ୍‌ଏ ସୀମା ନିକଟରେ ଲାଜିଷ୍ଟିକ୍ସ ନିର୍ମାଣ ଏବଂ ସୈନିକ ମୁତୟନରେ ଲାଗିଛି । ଚୀନ୍‌ ପିଏଲ୍‌ଏଙ୍କ ଅନୁସାରେ ପୌଗଙ୍ଗ ଝିଲ୍‌ର ଦକ୍ଷିଣ ତଟ ଅଂଚଳରୁ ଭାରତ ପ୍ରଥମେ ନିଜର ସେନା ପ୍ରତ୍ୟାହାର କରୁ । ତେବେ ସୂଚନା ଅନୁସାରେ ଭାରତୀୟ ସେନା ଏବେ ପୈଗଙ୍ଗ୍‌ ଝିଲ୍‌ର ଦକ୍ଷିଣ ତଟ ନିକଟସ୍ଥ ଠାକୁଙ୍ଗରୁ ଆରମ୍ଭ କରି ଗୁରୁଙ୍ଗ୍‌ ହିଲ୍‌ ପର୍ଯ୍ୟନ୍ତ ଅଂଚଳରେ ନିଜର ପତିଆରା ମଜ୍‌ବୁତ୍‌ କରିଛନ୍ତି ।

Leave A Reply

Your email address will not be published.