
ରାଉରକେଲା, (ସସ୍ମିତା ପ୍ରଧାନ) : ଦେଶୀ ମଦ ଟେଣ୍ଡର ବିରୋଧରେ ରାଉରକେଲାରେ ଚାଲିଥିବା ପ୍ରତିବାଦକୁ ବ୍ୟାପକ ଜନସମର୍ଥନ ମିଳୁଥିବା ଦେଖାଯାଉଛି । ରାଉରକେଲାର ସାମାଜିକ କର୍ମୀ ମୁକ୍ତିକାନ୍ତ ବିଶ୍ୱାଳ ଗତ ୧୫ ଦିନ ଧରି ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ତାଙ୍କର ଏହି ପ୍ରତିବାଦକୁ ବିଭିନ୍ନ ସାମାଜିକ ସଂଗଠନ ସମେତ ଜନସମର୍ଥନ ମିଳୁଛି । ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ମଧ୍ୟ ଦେଶୀ ମଦ ପ୍ରତିବାଦରେ ଯୋଗ ଦେଇଥିଲେ ଏବଂ ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ଭେଟି ସମର୍ଥନ ଜଣାଇଥିଲେ। ସେ କହିଥିଲେ ଯେ, ଏହି ପ୍ରତିବାଦ ପ୍ରକୃତରେ ସାଧାରଣ ଲୋକଙ୍କ ସ୍ୱାର୍ଥ ପାଇଁ । ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ସମର୍ଥନ ଏହି ଦେଶୀ ମଦ ବନ୍ଦ ଆନ୍ଦୋଳନକୁ ନୂତନ ଶକ୍ତି ଦେଇଛି । ଶୁକ୍ରବାର ଟ୍ରାନ୍ସଜେଣ୍ଡର ଆସୋସିଏସନର ସଭାପତି ଜୋୟା ତ୍ରିପାଠୀ ତାଙ୍କ ଦଳ ସହିତ ପ୍ରତିବାଦ ସ୍ଥଳରେ ପହଞ୍ଚିଥିଲେ । ସେ ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ଭେଟି ଆନ୍ଦୋଳନ ସହିତ ନିଜର ସହମତି ପ୍ରକାଶ କରିଥିଲେ । ଏଥିସହିତ ଦେଶୀ ମଦ ଟେଣ୍ଡରକୁ ଦୃଢ଼ ବିରୋଧ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏଠାରେ ଉଲ୍ଲେଖନୀୟ ଯେ, ମୁକ୍ତିକାନ୍ତ ବିଶ୍ୱାଳ ଦେଶୀ ମଦ ଟେଣ୍ଡର ବିରୋଧରେ ନିରନ୍ତର ପ୍ରତିବାଦ କରି ଏହି ପ୍ରସଙ୍ଗ ପ୍ରତି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ।