om academy

କର୍ଲାମୁଣ୍ଡାରେ ୫୦୩୬ ଜଣଙ୍କୁ ଦିଆଗଲାଣି କରୋନା ଟୀକା

jsm

କଳାହାଣ୍ଡି, (ନରୋତ୍ତମ ସେଲମା) : କରୋନାର ଦ୍ୱିତୀୟ ଲହରୀ କଳାହାଣ୍ଡିରେ ଭୟଙ୍କର ରୂପ ଧାରଣ କରିଥିବା ବେଳେ ଲୋକମାନଙ୍କ ମଧ୍ୟରେ ଏବେ ବି ସଚେତନତାର ଅଭାବ ଦେଖାଦେଇଛି । ମାକ୍ସ ବ୍ୟବହାର, ସାମାଜିକ ଦୂରତା ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ବାରମ୍ବାର ସତର୍କ କରାଯାଉଥିଲେ ମଧ୍ୟ ଗହଳି ଭାଙ୍ଗୁନାହିଁ । ଲୋକେ ସବୁବେଳେ ମାକ୍ସ ବ୍ୟବହାର କରୁନାହାନ୍ତି । ସାପ୍ତାହିକ ହାଟ ସମେତ ଡେଲି ମାର୍କେଟ ଏରିଆରେ ମଧ୍ୟ ସାମାଜିକ ଦୂରତା ରକ୍ଷା ହେଉଥିବା ଦେଖାଯାଉନାହିଁ । ଲୋକେ ପକେଟରେ ମାକ୍ସ ରଖି ବୁଲୁଥିବା ଦେଖା ଯାଉଛି । ନିଜେ ସଚେତନ ନ ହେଲେ ନିଜର ହିଁ ଜୀବନ ପ୍ରତି ବିପଦ ଅଛି । ଅନ୍ୟପକ୍ଷରେ ଗତ କିଛି ଦିନ ମଧ୍ୟରେ କରୋନା ଟୀକା ନେବା ପାଇଁ ଲୋକଙ୍କ ମନରେ ଆଗ୍ରହ ଦେଖାଦେବା ଏକ ଶୁଭ ଲକ୍ଷଣ ବୋଲି ଚର୍ଚ୍ଚା ହେଉଛି । ଟୀକାକରଣ ଆରମ୍ଭ ହେବା ପରେ କର୍ଲାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ହିଁ ନିର୍ଦ୍ଧିଷ୍ଟ ହିତାଧିକାରୀ ଓ ବୟସ୍କ ବ୍ୟକ୍ତିଙ୍କୁ ଟୀକା ଦେବାର ବ୍ୟବସ୍ଥା ହୋଇଥିଲା । କିନ୍ତୁ ବର୍ତମାନ ଏଇ ସି.ଏଚ.ସି ସମେତ ରିଷିଡା ଓ ରେଗଡା ପି.ଏଚ.ସିରେ ସ୍ଥାୟୀ ଟୀକାଦାନ କେନ୍ଦ୍ର ଖୋଲାଯାଇଛି । ଏଇ ଦୁଇ ଡାକ୍ତରଖାନାରେ ଗତ ସପ୍ତାହ ମାନଙ୍କରେ ସପ୍ତାହକୁ ତିନି ଦିନ ଲେଖାଏଁ ଟୀକା ଦିଆଯାଇଥିଲା କିନ୍ତୁ ଚଳିତ ସପ୍ତାହରୁ ପ୍ରତିଦିନ ଟୀକା ଦିଆଯାଉଛି । କର୍ଲାମୁଣ୍ଡା ସି.ଏଚ.ସି ପାଇଁ ଦୈନିକ ୪ ଶହ ଟୀକାକରଣ ଟାର୍ଗେଟ ଥିବା ବେଳେ ରିଷିଡା ଓ ରେଗେଡା ପାଇଁ ୨ ଶହ ଭେଖାଏଁ ଟାର୍ଗେଟ ରହିଛି । ପୁଣି ଲୋକଙ୍କୁ ସୁବିଧା ଦୃଷ୍ଟିରୁ କୋଭିଡ ଟୀକାକରଣ କେନ୍ଦ୍ର ଅନ୍ତର୍ଗତ ତେରେସିଂହା ଓ କର୍ଲାମୁଣ୍ଡା କେନ୍ଦ୍ର ଅଧିନସ୍ଥ ରାଗପୁର ଠାରେ ଆଜି ଟୀକାକରଣ କରାଯାଇଛି । ଆଜି ସୁଦ୍ଧା ଏଇ ବ୍ଳକରେ ୫୦୩୬ ଜଣ ଟୀକା ନେଇଥିବା ଜଣାଯାଇଛି । କର୍ଲାମୁଣ୍ଡା, ରିଷିଡା ଓ ରେଗେଡା ଠାରେ ଖୋଲାଯାଇଥିବା କୋଭିଡ ଭେକସିନ ସେଂଟର (ସି.ଭି.ସି) ଅଧିନରେ ତିନି ଜଣ ନୋଡାଲ ଅଫିସର ଦାୟିତ୍ୱରେ ଅଛନ୍ତି । କର୍ଲାମୁଣ୍ଡା ପାଇଁ ପି.ଏଚ.ଓ କିଶୋର ଚନ୍ଦ୍ର ଦାସ. ରିଷିଡା ପାଇଁ ଆରତୀ ପଧାନ ଓ ରେଗେଡା ପାଇଁ କ୍ଷୀରସିନ୍ଧୁ ରଣା ଦାୟିତ୍ୱରେ ଥିବା ବେଳେ ସମଗ୍ର ଟୀକାକରଣ ପ୍ରକ୍ରିୟାକୁ ବି.ପି.ଏମ୍ ଅଜିତ ସିଂ କୁମାର, ଡାଃ ଶିଖିଧ୍ୱଜ ପଟେଲ ଓ ରୀନା ନାଗ ତଦାରଖ କରୁଛନ୍ତି । ଆଗାମୀ ଦିନରେ ସି.ଭି.ସି ଠାରୁ ଦୂରରେ ଥିବା ଗ୍ରାମ ଗୁଡିକର ଜନସାଧାରଣଙ୍କ ପାଇଁ ସଂପୃକ୍ତ ଅଂଚଳରେ ଅସ୍ଥାୟୀ କେନ୍ଦ୍ର ଖୋଲି ଟୀକାକରଣ କରିଯିବାକୁ ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।

Leave A Reply

Your email address will not be published.