କୋଭିଡ ସ୍ଥିତି ସୁଧାରିବା ପାଇଁ ନଗର କଂଗ୍ରେସ ପକ୍ଷରୁ ୬ ଦଫା ଦାବୀପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରେ କୋଭିଡ ପରିଚାଳନାରେ ହେଉଥିବା ଅନିୟମିତତା ଦେଖା ଦେଇଛି । ତେବେ ଏଥିରେ ଯଥା ଶୀଘ୍ର ସୁଧାର ଆଣିବା ଓ କୋଭିଡ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ପାଇଁ ନଗର କଂଗ୍ରେସ ଦାବୀ କରିଛି । ଆଜି ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ନେତୃତ୍ୱରେ ଏକ ଦଳ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ଦେଖା କରିବା ସହ ତାଙ୍କୁ ଏସଂକ୍ରାନ୍ତୀୟ ଏକ ୬ ଦଫା ଦାବୀପତ୍ର ଜିଲ୍ଲା କଂଗ୍ରେସ ଉପସଭାପତି ତଥା ବିଧାୟକଙ୍କ ସ୍ୱାସ୍ଥବିଭାଗ ପ୍ରତିନିଧି ମନୀଷ ମିଶ୍ର ପ୍ରଦାନ କରିଛନ୍ତି । ଜିଲ୍ଲାରେ କରୋନା ତାର କରାଳ ରୂପ ଧରିଛି । ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ଆହୁରି ଘାତକ ସାବ୍ୟସ୍ତ ହୋଇଛି । କରୋନା ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ସଂପୁର୍ଣ୍ଣ ପ୍ରସ୍ତୁତ ବୋଲି ଘୋଷଣା କରିଥିଲା । କିନ୍ତୁ ବର୍ତ୍ତମାନ କୋଭିଡ ସ୍ଥିତିକୁ ପରିଲକ୍ଷିତ କଲେ ଏହା ଫମ୍ପା ପ୍ରମାଣିତ ହେଉଛି । ପ୍ରଶାସନ ସଂକ୍ରମିତଙ୍କୁ ଡାକ୍ତରଖାନାରେ ଅମ୍ଳଜାନ ଯୁକ୍ତ ଶଯ୍ୟା ମଧ୍ୟ ଯୋଗଇ ପାରୁ ନାହିଁ । ତେଣୁ ଭୀମ ଭୋଇ ମେଡିକାଲ ତଥା କିସ୍ ହସପିଟାଲରେ ଯଥା ଶୀଘ୍ର ଆବଶ୍ୟକତା ଅନୁସାରେ ଆଇସିୟୁ ଓଏଚଡିୟୁ ସଂଖ୍ୟା ବଢାଯାଉ, ଉଭୟ ଡାକ୍ତରକାନାରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ସିଲିଣ୍ଡରର ବ୍ୟବସ୍ଥା କରାଯାଉ, କର୍ମଚାରୀମାନଙ୍କ ଅଭାବ ପୂରଣ ପାଇଁ ଛଟେଇ ହୋଇଥିବା କର୍ମଚାରୀଙ୍କୁ ପୁନଃ ନିଯୂକ୍ତି ଦେବା ସହ ସମସ୍ତ ପିଏଚସି ଓ ସିଏଚସିରେ ଡାକ୍ତର ନିଯୁକ୍ତ କରାଯାଉ, ଘରେ ରହି ଚିକିତ୍ସିତ ହେଉଥିବା ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥାକୁ ବ୍ୟବସ୍ଥିତ କରାଯାଉ, ଘରକୁ ଘର ଯାଇ ଲୋକକଙ୍କ କରୋନା ପରୀକ୍ଷା କରାଯାଉ ଓ ଠିକ ସେହିପରି ଲୋକଙ୍କ ଘରକୁ ପହଞ୍ଚି କରୋନା ଟୀକା ଦେବା ପାଇଁ ନଗର କଂଗ୍ରେସ ଦାବୀ କରିଛି । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା କୈଳାସ ମିଶ୍ର, ଛାତ୍ର ନେତା ଅଙ୍କିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

1 × two =