pakka

ଜିଲ୍ଲା ପ୍ରଶାସନ, ବଲାଙ୍ଗିର ଏବଂ ମହାନଦୀ କୋଲଫିଲ୍ଡ ଲିମିଟେଡ ମଧ୍ୟରେ ୨ଟି ଚୁକ୍ତି ସ୍ଵାକ୍ଷର

bbehera

• ୪ କୋଟି ୬୩ ଲକ୍ଷରେ ହେବ ଅନେକ ଉନ୍ନତିମୂଳକ କାର୍ଯ୍ୟ
• ମିନିଷ୍ଟାଡିୟମ, କଲ୍ୟାଣ ମଣ୍ଡପ ପାଇଁ ଏମ୍‌ସିଏଲ୍‌ ଦେବ ଏକ କୋଟି ଟଙ୍କା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲା ମୁଖ୍ୟାଳୟ କନଫରେନ୍ସ ହଲରେ ଜିଲ୍ଲା ପ୍ରଶାସନ ଏବଂ ମହାନଦୀ କୋଲଫିଲ୍ଡ ଲିମିଟେଡ, ବୁର୍ଲା ମଧ୍ୟରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ପାଇଁ ୪ କୋଟି ୬୩ ଲକ୍ଷ ଦୁଇ ହଜାର ଛଅ ଶହ ଚଉଷଠି ଟଙ୍କାର ଚୁକ୍ତି ସ୍ଵାକ୍ଷର ହୋଇଛି । ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଲ ରାଣା ଏବଂ ଏମ୍‌ସିଏଲ୍‌ ସାଧାରଣ ସମ୍ପାଦକ (ସିଏସ୍‌ଆର୍‌) ରଜନୀକାନ୍ତ ପାଣିଗ୍ରାହୀଙ୍କ ମଧ୍ୟରେ ଏହି ଚୁକ୍ତି ସ୍ଵାକ୍ଷରିତ ହୋଇଛି । ସମୁଦାୟ ୪ କୋଟି ୬୩ ଲକ୍ଷ ଟଙ୍କା ମହିଳାଙ୍କ ସୁରକ୍ଷା ସକାଶେ ପେଟ୍ରୋଲିଂ ପାଇଁ ଦୁଇ ଚକିଆ ଯାନ, ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲ ପାଇଁ ୫୦୦ ଲିଟର ବିଶିଷ୍ଠ ଜଳ ବିଶୋଧନ ଯନ୍ତ୍ର, ମୁଖ୍ୟ ଡାକ୍ତରଖାନରେ ଦାନ୍ତ ଏକ୍ସରେ ଏବଂ ଧାଡି ପରିଚାଳନା ପାଇଁ ସୁବ୍ୟବସ୍ଥିତ ସଂଚାଳନ ପଦ୍ଧତି ନିମନ୍ତେ ଚୁକ୍ତି ହୋଇଛି । ସେହିପରି ଅଙ୍ଗନବାଡି କେନ୍ଦ୍ରମାନଙ୍କରେ ଗର୍ଭବତୀ ମହିଳାମାନଙ୍କ ପରୀକ୍ଷା ନିମନ୍ତେ ଟେବୁଲ ତଥା ପାର୍ଶ୍ଵ ପରଦା ଭଳି ଜିନିଷ ପାଇଁ ଏମ୍‌ସିଏଲ୍‌ ଟଙ୍କା ଦେବ । ଛୋଟ ଛୁଆଙ୍କ ବାଳାଶ୍ରମ ମାନଙ୍କ ପାଇଁ ୪ଟି ମିନି ପାର୍କ, ଖେଳ ସାମଗ୍ରୀ ଓ ସଙ୍ଗୀତ ବାଦନ ସାମଗ୍ରୀ ତଥା ଅନୁସୂଚିତ ଜାତି/ଅନୁସୂଚିତ ଜନଜାତିଙ୍କ ପାଇଁ ପରିଚାଳିତ ହଷ୍ଟେଲରେ ଖାଇବା ଟେବୁଲ ସହ ଉଚ୍ଚମାଧ୍ୟମିକ ବିଦ୍ୟାଳୟମାନଙ୍କରେ ବେଞ୍ଚ ଆଉ ଡେସ୍କ କିଣାଯିବାକୁ ଚୁକ୍ତିରେ ଉଲ୍ଲେଖ ହୋଇଛି । ସେହିପରି ସଇଁତଳା ସ୍ଥିତ ଦିବ୍ୟାଙ୍ଗ ହାଇସ୍କୁଲର ୫ଟି ରୂପାନ୍ତରଣ ପାଇଁ ଏକ କୋଟି ଟଙ୍କାର ଚୁକ୍ତି ସ୍ଵାକ୍ଷରିତ ହୋଇଛି । ଗାନ୍ଧୀଭବନ ଲାଇବ୍ରେରୀର ଉନ୍ନତି ପାଇଁ ମଧ୍ୟ ୧୪ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଏହା ସହ ଏମ୍‌ସିଏଲ୍‌ ଭବିଷ୍ୟତରେ ଆହୁରି ଅଧିକ ସହାୟତା କରିବାକୁ କହିଥିଲେ । ଏହାସହ ସମ୍ପୃକ୍ତ ଅଫିସମାନଙ୍କୁ ଟଙ୍କାର ସୁବିନିଯୋଗ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ସଭାକୁ ସିଏସ୍‌ଆର୍‌ର ନୋଡାଲ ଅଫିସର ସୋନିଆଶ୍ରୀ ମଲିକ ସ୍ଵାଗତ ଭାଷଣ ଦେଇ ପରିଚାଳନା କରିଥିଲେ । ଆରକ୍ଷୀ ଅଧିକ୍ଷକଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

16 − fourteen =

error: Content is protected !!