pakka

ୟୁକ୍ରେନରେ ଫସିିଛନ୍ତି ପଶ୍ଚିମ ଓଡ଼ିଶାର ୩୦ ଡାକ୍ତରୀ ଛାତ୍ରଛାତ୍ରୀ

bbehera

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ରୁଷିଆ ଓ ୟୁକ୍ରେନ ଭିତରେ ଆରମ୍ଭ ହୋଇଯାଇଛି ଯୁଦ୍ଧ । ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ପାଇଁ ବଢିଛି ଚିନ୍ତା । ଏହି କ୍ରମରେ ପଶ୍ଚିମ ଓଡିଶାର ସମ୍ବଲପୁର, ରାଉରକେଲା, ବରଗଡ଼ ଝାରସୁଗୁଡା ଓ ବଲାଙ୍ଗିର ଜିଲାର ୩୦ରୁ ଊର୍ଦ୍ଧ୍ୱ ଡାକ୍ତରୀ ଛାତ୍ରୀଛାତ୍ର ସେଠାରେ ଫସି ରହିଛନ୍ତି । ଏନେଇ ପରିବାର ଲୋକେ ଚିନ୍ତିତ ହୋଇପଡିଛନ୍ତି । ସମ୍ବଲପୁର ସେନ୍‌ପାର୍କ ନୟାପଡାର ମେଡିକାଲ ଛାତ୍ର ମହମ୍ମଦ ଜାକିଙ୍କୁ ଫେରାଇ ଆଣିବା ଲାଗି ତାଙ୍କ ବାପା ମହମ୍ମଦ ଅଜିମ ଅଜୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି, ପୁଅ ସହ ବାରମ୍ବାର କଥା ହେଉଛୁ । ସବୁଆଡେ ଭୟର ବାତାବରଣ ରହିଥିବା ପୁଅ ସୂଚନା ଦେଉଛି । ଗୁରୁବାର ସକାଳେ ସେ ୟୁକ୍ରେନରୁ ଦୁବାଇ ଦେଇ ଭୁବନେଶ୍ୱର ଆସିବାର ଥିଲା । ତେଣୁ ସେ ୟୁକ୍ରେନସ୍ଥିତ କ୍ୱିବ୍‌ ଏୟାରପୋର୍ଟକୁ ଆସିଥିଲା । ହେଲେ ସକାଳେ ରୁଷିଆ ଯୁଦ୍ଧ ଘୋଷଣା କରି ଏୟାରପୋର୍ଟକୁ ନିଜ ଦଖଲକୁ ନେଇଯାଇଥିଲା । ତେଣୁ ପୁଅ ଫେରିପାରି ନ ଥିଲା । ଏବେ ସେମାନେ ଏୟାରପୋର୍ଟରୁ ଫେରିଯାଇ ବାହାରେ ଏକ ହଷ୍ଟେଲରେ ରହୁଛନ୍ତି । ୟୁକ୍ରେନ୍‌ ସ୍ଥିତ ଭିଏନ୍‌ ଖାର୍କିଭ୍‌ ନ୍ୟାସନାଲ ମେଡିକାଲ ୟୁନିଭର୍ସିଟିରେ ଡାକ୍ତରୀ ପଢୁଥିବା ଶେଷବର୍ଷ ଛାତ୍ରୀ ରାଉରକେଲା ଜଗଦା ଅଞ୍ଚଳର ସୁଶ୍ରୀ ଶ୍ରୀପତି ଜଣାଇଛନ୍ତି, ବର୍ତ୍ତମାନ ସୁଦ୍ଧା ଆମେ ୩ଥର ବୋମାମାଡ ଶବ୍ଦ ଶୁଣିସାରିଲୁଣି । ୟୁକ୍ରେନ୍‌ ସରକାର ମେଡିକାଲ କଲେଜ କ୍ୟାମ୍ପସ ଭିତରୁ ନ ବାହାରିବା ପାଇଁ ଆମ୍ଭମାନଙ୍କୁ ଅପିଲ କରିଛନ୍ତି । ସୁଶ୍ରୀ ୨୦୧୬ରେ ଡାକ୍ତରୀ ପାଠ ପଢ଼ିବା ପାଇଁ ୟୁକ୍ରେନ୍‌ ଯାଇଥିବା ତାଙ୍କ ବାପା ଚନ୍ଦ୍ରଶେଖର ପତି କହିଛନ୍ତି । ସେହିପରି ସେକ୍ଟର-୪ ଅଞ୍ଚଳର ପ୍ରତିଭା ଜେନାଙ୍କ ଝିଅ ସାଲେନି ଜେନା ୟୁକ୍ରେନ କାରିଭ ମେଡିକାଲ କଲେଜର ପଞ୍ଚମ ବର୍ଷ ଛାତ୍ରୀ । ସେ ମଧ୍ୟ ୨୦୧୮ରେ ଡାକ୍ତରୀ ପଢ଼ିବା ପାଇଁ ସେଠାରେ ନାମ ଲେଖାଇଥିଲେ । ସେହିପରି ଟେନସା ଅଞ୍ଚଳର କୈଳାସ ଚନ୍ଦ୍ର ପଣ୍ଡାଙ୍କ ଝିଅ ପ୍ରିୟଙ୍କା ପଣ୍ଡା ୨୦୨୧ ଡିସେମ୍ବର ୪ରେ ଡାକ୍ତରୀପାଠ ପଢ଼ିବା ପାଇଁ ୟୁକ୍ରେନ୍‌ ଯାଇଥିଲେ । ପ୍ରିୟଙ୍କା ପ୍ରଥମ ବର୍ଷର ମେଡିକାଲ ଛାତ୍ରୀ ଭାବେ ୟୁକ୍ରେନ ଭିଏନ କାରିଭ ଜାତୀୟ ବିଶ୍ୱବିଦ୍ୟାଳୟରେ ପାଠ ପଢୁଛନ୍ତି । ଏଭଳି ପରିସ୍ଥିତିରେ ରାଜ୍ୟ ଓ କେନ୍ଦ୍ର ସରକାର ଆମ ପିଲାମାନଙ୍କୁ ସୁରକ୍ଷିତ ଉଦ୍ଧାର କରି ଆଣନ୍ତୁ ବୋଲି କୈଳାସ ନିବେଦନ କରିଛନ୍ତି । ଫର୍ଟିଲାଇଜରର ସୋହନ ପାଣି ୟୁକ୍ରେନ୍‌ରେ ଦ୍ବିତୀୟ ବର୍ଷ ଛାତ୍ର ଭାବେ ଡାକ୍ତରୀ ପାଠ ପଢୁଛନ୍ତି । ସୋହନଙ୍କ କହିବା ଅନୁଯାୟୀ, ଯୁଦ୍ଧ ଆଶଙ୍କା ଥିବାରୁ ଏକ ସପ୍ତାହ ତଳେ ସମସ୍ତ ଆବଶ୍ୟକ ସାମଗ୍ରୀ କିଣି ନେବା ପାଇଁ ସେଠାକାର ସରକାରଙ୍କ ପକ୍ଷରୁ ପ୍ରଚାର କରାଯାଇଥିଲା । ପ୍ରତି ମୁହୂର୍ତ୍ତରେ ଆମ ଘର ଲୋକେ ଫୋନ କରୁଥିବାରୁ ଆମେ ଚିନ୍ତିତ ଅଛୁ । ସେହିପରି ରାଉରକେଲା ଛେଣ୍ଡ୍‌ କଲୋନୀ, କୋଏଲନଗର, ବାସନ୍ତୀ କଲୋନୀ, ଫଟଲାଇଜର ଟାଉନଶିପ୍‌, ସେକ୍ଟର-୨୦ ଅଞ୍ଚଳରୁ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ମେଡିକାଲ ଛାତ୍ରୀଛାତ୍ର ୟୁକ୍ରେନ୍‌ରେ ଫସି ରହିଥିବା ସେମାନଙ୍କ ଅଭିଭାବକମାନେ ସୂଚନା ଦେଇଛନ୍ତି । ଝାରସୁଗୁଡ଼ା ଜିଲ୍ଲା ବନ୍ଧବାହାଲ ଅଞ୍ଚଳର ୮ ଛାତ୍ରୀଛାତ୍ର ୟୁକ୍ରେନ୍‌ର ଭିଏନ୍‌ କାରଜିନ୍‌ ଖାର୍କିଭ୍‌ ୟୁନିଭର୍ସିଟିରେ ମେଡିକାଲ ପାଠ ପଢୁଛନ୍ତି । ଏମାନେ ହେଲେ ସୋନାଲି ତ୍ରିପାଠୀ, ଦେବୀ ପ୍ରସାଦ ସାହୁ, ଅକ୍ଷୟ ସିଂହଦେଓ, ସ୍ମୃତିଶିକ୍ତା ବେହେରା, ନେଲଶନ ସାହୁ, ହରପ୍ରଭା ସାହୁ, ରଞ୍ଜିତା ପ୍ରଧାନ ଓ ସୁଶ୍ରୀ ସ୍ବାଗତିକା ନାୟକ । ୨ଦିନ ତଳେ ସେଠାରେ ବୋମା ବିସ୍ଫୋରଣ ହେବା ଫଳରେ ଛାତ୍ରୀଛାତ୍ର ଭୟଭୀତ ହୋଇ ଘରେ ରହିଛନ୍ତି । ବାହାରକୁ ଆସିଲେ ମାର୍କେଟ୍‌ରେ ଠିକ୍‌ ଭାବେ ସାମଗ୍ରୀ ମିଳୁନାହିଁ । ଖାଦ୍ୟାଭାବ ସ୍ଥିତି ଦେଖାଦେଇଛି ବୋଲି ଫସି ରହିଥିବା ଛାତ୍ରୀଛାତ୍ର ନିଜ ଅଭିଭାବକଙ୍କ ସହ କଥାବାର୍ତ୍ତାରୁ ଜଣାପଡିଛି । ବଲାଙ୍ଗିର ଜିଲା ଟିଟିଲାଗଡ ସହର ହାଟପଦାପଡାର ପାଣ୍ଡବ କୁମାର ତ୍ରିପାଠୀଙ୍କ ପୁଅ ସାଇସ୍ବରୂପ ତ୍ରିପାଠୀ । ସେ ସେଠାକାର ଖାର୍କିଭ୍‌ ନ୍ୟାସନାଲ ମେଡିକାଲ ୟୁନିଭର୍ସିଟିରେ ଏମ୍‌ବିବିଏସ୍‌ ଶେଷ ବର୍ଷର ଛାତ୍ର । ଯୁଦ୍ଧ ଆରମ୍ଭ ହୋଇଯାଇଥିବାରୁ ଏବେ ସାଇସ୍ୱରୂପଙ୍କ ପରିବାରର ଚିନ୍ତା ବଢିଯାଇଛି ।

Leave A Reply

Your email address will not be published.

four × 2 =