pakka

ଜନଜାତି କ୍ଷେତ୍ରର ଉନ୍ନତିକରଣ ପାଇଁ କାର୍ଯ୍ୟକାରୀ ହେବ ପ୍ରଧାନମନ୍ତ୍ରୀ ଆଦି ଆଦର୍ଶ ଗ୍ରାମ ଯୋଜନା : କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ

bbehera

• କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତର ଦ୍ବିତୀୟ ଦିନ
• ଜନଜାତିଙ୍କ ପାଇଁ କାର୍ୟ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ସମୀକ୍ଷା, ହିତାଧିକାରୀଙ୍କ ସହ କଲେ ମତ ବିନିମୟ
• ବିଭିନ୍ନ ସରକାରୀ ଯୋଜନାର କାର୍ୟ୍ୟକାରିତାରେ ସମନ୍ବୟ ଆଣିବା ଉପରେ ଗୁରୁତ୍ବ ଦେଲେ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର, (ପିଆଇବି) : ଖୁବଶୀଘ୍ର ଜନଜାତି ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ଆଦି ଆଦର୍ଶ ଗ୍ରାମ ଯୋଜନା କାର୍ୟ୍ୟକାରୀ କରାଯିବ । ଏହା ମାଧ୍ୟମରେ କେନ୍ଦ୍ର ସରକାରଙ୍କ ୪୧ଟି ମନ୍ତ୍ରଣାଳୟ ଓ ବିଭାଗର ବିଭିନ୍ନ ଯୋଜନାକୁ ସମନ୍ବିତ ଢଙ୍ଗରେ କାର୍ୟ୍ୟକାରୀ କରାଯିବ । ଏହାଦ୍ବାରା ଜନଜାତି କ୍ଷେତ୍ରର ଉନ୍ନତିକରଣ ହୋଇପାରିବ ବୋଲି କହିଛନ୍ତି କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା ।
କେନ୍ଦ୍ର ମନ୍ତ୍ରୀ କଳାହାଣ୍ଡି ଜିଲ୍ଲା ଗସ୍ତର ଦ୍ବିତୀୟ ଦିନରେ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି ଅବସରରେ ସେ କେନ୍ଦ୍ର ସରକାରଙ୍କ ଦ୍ବାରା କାର୍ୟ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି । ଜିଲ୍ଲାର ନଙ୍ଗଲବାହାଲି ବିକାଶନଗର ଠାରେ କୁଟିଆ କନ୍ଧ ଜନଜାତିର ଲୋକଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ମତ ବିନିମୟ କରିଥିଲେ । ଏଠାରେ ୮ଟି ପରିବାରର ୬୪ ଜଣ ଲୋକ ରହୁଛନ୍ତି । ପାହାଡ଼ ଉପରୁ ଅଣାଯାଇ ଏ ପରିବାରମାନଙ୍କୁ ଏଠାରେ ରଖାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ସେମାନଙ୍କୁ ଘର ଯୋଗାଇ ଦିଆଯାଇଛି, ସ୍ବଚ୍ଛ ଭାରତ ମିଶନ ଅଧୀନରେ ସେଠାରେ ଶୌଚାଳୟ ନିର୍ମାଣ କରାଯାଇଛି । ମନରେଗା ଯୋଜନା ମାଧ୍ୟମରେ ସେମାନଙ୍କର ରୋଜଗାର ସୁନିଶ୍ଚିତ ହୋଇଛି । ମନରେଗା ଏବଂ ସିଏଫସି ଅଧୀନରେ ସଡ଼କ ନିର୍ମାଣ କରାଯାଉଛି ।
ଅନ୍ୟପକ୍ଷରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ତହସିଲ ଅନ୍ତର୍ଗତ ତଙ୍ଗନକାନା ଗ୍ରାମରେ କାର୍ୟ୍ୟ କରୁଥିବା କୁଟିଆ କନ୍ଧ ଜନଜାତିର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କୁ ଭେଟିଥିଲେ । ଏ ମହିଳାମାନେ ଲେମନ୍ ଗ୍ରାସ ଚାଷ କରୁଛନ୍ତି । ଏଥିସହିତ ସେମାନେ ଏକ ଲେମନ ଗ୍ରାସ ପ୍ଲାଣ୍ଟ ପରିଚାଳନା କରୁଛନ୍ତି ତଥା ଏହାର ମାର୍କେଟିଂ ଓ ବିକ୍ରି କରୁଛନ୍ତି । କୁଟିଆ କନ୍ଧ ଜନଜାତିର ମହିଳାମାନେ ସ୍ବୟଂ ସହାୟକ ଗୋଷ୍ଠୀ ସହ ଯୋଡ଼ି ହୋଇ ସ୍ବାଭିମାନର ସହ ଟଙ୍କା ରୋଜଗାର କରୁଥିବା ଦେଖି କେନ୍ଦ୍ର ମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ମୁଣ୍ଡା କଳାହାଣ୍ଡି ଜିଲ୍ଲାର ଭଟଙ୍ଗପଦର ସରକାରୀ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ବିଦ୍ୟାଳୟରେ ରହିଥିବା ଶିକ୍ଷା ସମ୍ବନ୍ଧୀୟ ସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ଏଠାରେ ପଢ଼ୁଥିବା ୪୦୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କେବଳ ୩୩୦ ଜଣ ଜନଜାତି ବର୍ଗର ଛାତ୍ରଛାତ୍ରୀ ରହିଛନ୍ତି । ଏ ସମ୍ପର୍କରେ ଜାଣି କେନ୍ଦ୍ର ମନ୍ତ୍ରୀ ଖୁସି ହୋଇଥିଲେ ।
ଦୁଇ ଦିନିଆ କଳହାଣ୍ଡି ଗସ୍ତ ଅବସରରେ ଜିଲ୍ଲା ଓ ରାଜ୍ୟସ୍ତରୀୟ ଅଧିକାରୀଙ୍କ ସହିତ ମଧ୍ୟ କେନ୍ଦ୍ର ମନ୍ତ୍ରୀ ଆଲୋଚନା କରିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ୟ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା କାର୍ୟ୍ୟକାରୀ କରିବା କ୍ଷେତ୍ରରେ ସମନ୍ବୟ ଆଣିବା ଉପରେ ସେ ଗୁରୁତ୍ବ ଦେଇଛନ୍ତି । ବିଶେଷ କରି ସେ ବିଭାଗୀୟ ସମନ୍ବୟ ଉପରେ ଜୋର ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ସରକାରୀ ଯୋଜନା ଏବଂ କାର୍ୟ୍ୟକ୍ରମଗୁଡ଼ିକ ସୀମିତ ନୁହେଁ ବରଂ ବ୍ୟାପକ ଉଦ୍ଦେଶ୍ୟରେ କାର୍ୟ୍ୟକାରୀ ହେବା ଆବଶ୍ୟକ । ଗ୍ରାମାଞ୍ଚଳରେ ରହିଥିବା ମୌଳିକ ସୁବିଧା ସୁଯୋଗ ଅନୁଧ୍ୟାନ କରିବା ସହିତ ସେସବୁ ଦୂର କରିବା ଲାଗି ଅଧିକ ସମର୍ପିତ ହୋଇ କାମ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ପରାମର୍ଶ ଦେଇଥିଲେ ।
କଳାହାଣ୍ଡି ଜିଲ୍ଲା ଗସ୍ତ ପରେ କେନ୍ଦ୍ର ମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାର ଏବଂ ବିଶେଷ କରି ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କାର୍ୟ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ ଭାରତ ୧୪୦ଟି ଦେଶକୁ ମାଗଣା କରୋନା ଟିକା ଯୋଗାଇ ଦେଇଛି । ଏହା ସମସ୍ତ ଦେଶବାସୀଙ୍କ ପାଇଁ ଗର୍ବର ବିଷୟ । ଆକାଂକ୍ଷୀ ଜିଲ୍ଲା କାର୍ୟ୍ୟକ୍ରମ ମାଧ୍ୟମରେ ଦେଶରେ ଏକ ନୂଆ ପ୍ରଶାସନିକ ବ୍ୟବସ୍ଥା ସୃଷ୍ଟି ହୋଇଛି । ଏହି କାର୍ୟ୍ୟକ୍ରମ ଜରିଆରେ ଦେଶର ପଛୁଆ ଅଞ୍ଚଳରେ ଥିବା ଅଭାବ ଅସୁବିଧା ଦୂର କରାଯାଇପାରୁଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ । ସ୍ବାସ୍ଥ୍ୟ କ୍ଷେତ୍ରରେ କଳାହାଣ୍ଡି ଜିଲ୍ଲାରେ ଅନେକ ଉନ୍ନତି ଆସିପାରିଛି । ଏଥିପାଇଁ ନୀତି ଆୟୋଗଙ୍କ ପକ୍ଷରୁ ୩ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିବା କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ । ଆଇଟିଡିଏ ମାଧ୍ୟମରେ ଜନଜାତି କ୍ଷେତ୍ରର ଉନ୍ନତି ପାଇଁ ଅନେକ କାର୍ୟ୍ୟକ୍ରମ ହାତକୁ ନିଆଯାଇଛି ।
ଡିଜିଟାଲ ପ୍ରଶାସନ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ସବୁ ଯୋଜନାର ସହାୟତା ସିଧାସଳଖ ଭାରତର ଗ୍ରାମାଞ୍ଚଳରେ ପହଞ୍ଚାଇବା ଲାଗି ପ୍ରୟାସ ଜାରି ରହିଥିବା କେନ୍ଦ୍ର ମନ୍ତ୍ରୀ କହିଥିଲେ । ଭାରତ ସରକାର ଟ୍ରାଇଫେଡ୍ ମାଧ୍ୟମରେ ବନ୍ୟଜାତ ଉତ୍ପାଦର ବିକ୍ରିବଟା, ମାର୍କେଟ ଲିଙ୍କେଜ ଓ ପ୍ରୋତ୍ସାହନ ପାଇଁ ପଦକ୍ଷେପ ନେଉଥିବା ସେ ସୂଚନା ଦେଇଥିଲେ । ବିଶେଷ କରି ବନ୍ୟଜାତ ଉତ୍ପାଦର ଜିଓ ଟ୍ୟାଗିଂ ଉପରେ ଗୁରୁତ୍ବାରୋପ କରାଯାଉଛି । ଖୁବଶୀଘ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟର ଏକ ଟିମ୍ କଳାହାଣ୍ଡି ସମେତ ରାଜ୍ୟର ବିଭିନ୍ନ ଜନଜାତି ବହୁଳ ଜିଲ୍ଲା ଗସ୍ତ କରିବ । ସେଠାରେ ଜିଲ୍ଲା ପ୍ରଶାସନ ସହ ସମନ୍ବୟ ସ୍ଥାପନ କରି ବନ୍ୟଜାତ ଉତ୍ପାଦଗୁଡ଼ିକ ବିପଣନ ପାଇଁ ବ୍ୟବସ୍ଥା କରିବ ।

jay balangir
Leave A Reply

Your email address will not be published.

six − 3 =