
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଶିକ୍ଷା ଜିଲ୍ଲା ଅନ୍ତର୍ଗତ ୬୧୦ ଓ ନୂତନ ଅନୁଦାନପ୍ରାପ୍ତ ସ୍କୁଲ ମାନଙ୍କର ଦରମା ପ୍ରଦାନ କରିବା ଅହେତୁକ ବିଳମ୍ବ ଯୋଗୁଁ ଶିକ୍ଷକ ମହଲରେ ଅସନ୍ତୋଷର ବାତାବରଣ ସୃଷ୍ଟି ହେଉଛି । ଏହା ଆଜିର କଥା ନୁହେଁ ରୀତିମତ ବିଳମ୍ବ କରିବା ଏକ ଅଭ୍ୟାସରେ ପରିଣତ ହୋଇସାରିଛି । ସରକାରୀ ନିୟାନୁଯାୟୀ ପ୍ରତ୍ୟେକ ମାସର ପ୍ରଥମ ତାରିଖରେ ଦରମା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଥିବା ସତ୍ତ୍ବେ ଦରମା ଅନୁମୋଦନ କରୁଥିବା ଅଧିକାରୀଙ୍କ ଖାମଖିଆଲି ମନୋଭାବ ଏଥି ନିମନ୍ତେ ସମ୍ପୂର୍ଣ୍ଣ ଦାୟୀ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଅକ୍ଟୋବର ମାସ ଦରମା ସେପ୍ଟେମ୍ବର ୨୬ ତାରିଖ ମଧ୍ୟରେ ଦେବା ପାଇଁ ନିର୍ଦ୍ଦେଶ ଦେବା ସତ୍ତ୍ବେ ଅଦ୍ୟାବଧି ଦରମା ପ୍ରଦାନ କରାଯାଇନାହିଁ । ଜିଲ୍ଲା ଶିକ୍ଷା ଅଧିକାରୀ ଏହା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ଶିକ୍ଷକ ମହଲରେ ଆଲୋଚନା ହେଉଛି । ଯେହେତୁ ଦରମା ଦେବା ପାଇଁ ସରକାରୀ ଅନୁଦାନ ମହଜୁଦ ରହିଛି ତଥାପି ଏପରି ବିଳମ୍ବ ଗ୍ରହଣୀୟ ନୁହେଁ ବୋଲି ବିଭିନ୍ନ ଶିକ୍ଷକ ସଂଗଠନ ଏହାକୁ ନିନ୍ଦା କରିବା ସହ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।